ଭୁବନେଶ୍ବର: ସାଇବର ଠକଙ୍କ ରୢାକେଟ୍ ଏବେ ସୁନ୍ଦର ଯୁବତୀଙ୍କ ଛବିକୁ ମେଗା ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ମାୟାବିନୀଙ୍କ ଫଟୋ ରଖି ହ୍ବାଟ୍ସ୍ଆପ୍ ଓ ଟେଲିଗ୍ରାମ୍ ଭଳି ସୋସିଆଲ୍ ମିଡିଆରେ ମେସେଜ୍ କରୁଛନ୍ତି। କାହାକୁ ବ୍ୟାଙ୍କ ଅଫିସର ତ କାହାକୁ ପ୍ରତିଷ୍ଠିତ ଟ୍ରେଡର୍ ବୋଲି ପରିଚୟ ଦେଉଛନ୍ତି। ଚାଟିଂ ମାଧ୍ୟମରେ ମିଠା ମିଠା କଥା କହି ପୂରା ନିଜର ହୋଇଯାଉଛନ୍ତି। ଟେକ୍ନୋଲୋଜି ବଳରେ କରୁଥିବା ଭିଡିଓ କଲ୍ରୁ ସେମାନଙ୍କୁ ଠକ ବୋଲି ଠଉରେଇବା ଅସମ୍ଭବ। ରାତାରାତି କୋଟିପତି କରାଇବାର ଲୋଭ ଦେଖାଇ ଭିନ୍ନ ଭିନ୍ନ ଆପ୍ରେ ପୁଞ୍ଜିନିବେଶ କରିବା ପାଇଁ କହୁଛନ୍ତି। ସେମିତି ଲାଇଭ୍ ସାର୍ଟିଫିକେଟ୍ ବାହାର କରିବା ନାଁରେ ଅନ୍ଲାଇନ୍ ସର୍ଭିସ ଯୋଗାଇ ଦେବାକୁ କହି ଆକାଉଣ୍ଟ ଖାଲି କରୁଛନ୍ତି। ଏହି ମାୟାବିନୀଙ୍କ ଜାଲରେ ଇଂଜିନିୟରଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟବସାୟୀମାନେ ଫସି ଲକ୍ଷଲକ୍ଷ ଟଙ୍କା ହରାଇଛନ୍ତି। ଗତ ସପ୍ତାହକ ମଧ୍ୟରେ ଏଭଳି ୧୦ରୁ ଅଧିକ ମାମଲା ଘଟିଛି ଏବଂ ସାଇବର ଠକମାନେ ୨କୋଟିରୁ ଊର୍ଧ୍ବ ଟଙ୍କା ଚୂନ ଲଗାଇଥିବା ଜଣାପଡ଼ିଛି।
ଟାର୍ଗେଟ୍ରେ ଅବସରପ୍ରାପ୍ତ କର୍ମଚାରୀ
କିଛି ଦିନ ତଳେ ଡାକ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ହ୍ବାଟ୍ସଆପ୍କୁ ମେସେଜ୍ ଆସିଲା ଯେ ତାଙ୍କ ପେନ୍ସନ୍ ପ୍ରୋସେସ୍ ହୋଇପାରି ନାହିଁ। ଲାଇଭ୍ ସାର୍ଟିଫିକେଟ୍ ନଥିବାରୁ ସମସ୍ୟା ହୋଇଛି। ଯୁବତୀଙ୍କ ମେସେଜ୍ ଦେଖି ସେ ବିଶ୍ବାସ କରିଗଲେ। ଯୁବତୀଙ୍କ ମିଠା ମିଠା କଥାରେ ଫସିଯାଇ ଅବସରପ୍ରାପ୍ତ କର୍ମଚାରୀଜଣକ ତାଙ୍କୁ ଆଧାରକାର୍ଡ, ପ୍ୟାନ୍କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଆଦି ସମସ୍ତ ତଥ୍ୟ ହ୍ବାଟ୍ସଆପ୍ରେ ପଠାଇଦେଲେ। ଏହାପରେ ଯୁବତୀଜଣକ ଏକ୍ ଆପ୍ ପଠାଇ ସେଥିରେ କ୍ଲିକ୍ କରିବାକୁ କହିଥିଲେ। ଆପ୍କୁ କ୍ଲିକ୍ କରିବାର କିଛି କ୍ଷଣ ମଧ୍ୟରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟରୁ ସାଢ଼େ ୮ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। କେବଳ ସେ ଜଣେ ନୁହନ୍ତି, ସପ୍ତାହକ ମଧ୍ୟରେ ଏଭଳି ଆଉ କିଛି ଅବସରପ୍ରାପ୍ତ ଅଧିକାରୀ ଲାଇଭ୍ ସାର୍ଟିଫିକେଟ୍ ନାଁରେ ୨୫ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି।
ଫସିଲେ ଯନ୍ତ୍ରୀ, ବାବୁ
ଲୋକସେବା ଭବନରେ କାର୍ଯ୍ୟରତ ଜଣେ ଏଏସ୍ଓଙ୍କ ହ୍ବାଟ୍ସଆପ୍କୁ ଏକ ମେସେଜ୍ ଆସିଲା। ଡିପିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ଅଧିକାରୀଜଣକ ହ୍ବାଟ୍ସଆପ୍ ଚାଟ୍ ଖୋଲିଥିଲେ। ମେସେଜ୍ କରିଥିବା ବ୍ୟକ୍ତି ନିଜକୁ ଜଣେ ଟ୍ରେଡ୍ର ବୋଲି ପରିଚୟ ଦେଇ ହ୍ବାଟ୍ସଆପ୍ କଲ୍ରେ କଥା ହୋଇଥିଲେ। ପୁଞ୍ଜିନିବେଶ କଲେ ମାସକ ମଧ୍ୟରେ ୮ ଗୁଣ ଟଙ୍କା ମିଳିବ ବୋଲି କହି ପ୍ରଲୋଭିତ କରିଥିଲେ। ଏହାପରେ ଠକ ଭିଡିଓ କଲ୍ କରିଥିଲା। ଏଥର ଏଏସ୍ଓ ଫସିଯାଇଥିଲେ ଏବଂ ପ୍ରଥମେ ଏକ ଲକ୍ଷ ଟଙ୍କା ନିବେଶ କରିଥିଲେ। ୩ଦିନ ପରେ ତାଙ୍କ ୱାଲେଟ୍ରେ ୪ ଲକ୍ଷ ଟଙ୍କା ଦେଖାଯାଇଥିଲା। ଏହାପରେ ସେ ୧୦ଲକ୍ଷ ଟଙ୍କା ନିବେଶ କରିଥିଲେ। ୫ଦିନ ପରେ ତାହା ୩୦ଲକ୍ଷ ଟଙ୍କା ହୋଇଯାଇଥିଲା। ଲୋଭରେ ପଡ଼ି ଏଏସ୍ଓ ତାଙ୍କ ପତ୍ନୀ ଓ ଶ୍ବଶୂରଙ୍କ ଠାରୁ ପାଖାପାଖି ୨୨ଲକ୍ଷ ଟଙ୍କା ଆଣି ନିବେଶ କରିଥିଲେ। କିଛିଦିନ ପରେ ଏହା ଦେଢ଼ କୋଟି ଟଙ୍କା ହୋଇଯାଇଥିଲା। ଏଥର ସେ ଟଙ୍କା ଉଠାଇବାକୁ ଚେଷ୍ଟା କରି ବିଫଳ ହେଲେ ଏବଂ ଠକାମିର ଶିକାର ହୋଇଥିବା ବୁଝି କାନମୁଣ୍ଡା ଆଉଁସିଲେ। ଏଏସ୍ଓ ଏବେ ସାଇବର ଥାନା ଦୁଆରେ। ସେମିତି ସମାନ ଢ଼ଙ୍ଗରେ ଜଣେ ବ୍ୟବସାୟୀ ୩୧ଲକ୍ଷ ଟଙ୍କା ଓ ଜଣେ ଇଂଜିନିୟର ୧୯ଲକ୍ଷ ଟଙ୍କା ହରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/untitled-12-2025-11-06-07-00-15.jpg)