ଭୁବନେଶ୍ବର: ଦିନକୁ ଦିନ ଆତଙ୍କ ଖେଳାଇ ଚାଲିଛନ୍ତି ସାଇବର ଠକ। ହୋଟେଲରେ ରୁମ୍‌ ବୁକ୍ ନାଁରେ ପର୍ଯ୍ୟଟକଙ୍କଠାରୁ ଟଙ୍କା ଲୁଟୁଛନ୍ତି। ଜାଲ ୱେବ୍‌ସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଏମିତି ଚୁନ ଲଗାଉଛନ୍ତି। ୱେବ୍‌ସାଇଟ୍‌ରେ ହୋଟେଲ ରୁମ୍ ବୁକ୍ କରି ପର୍ଯ୍ୟଟକ ଯେତେବେଳେ ଓଡ଼ିଶାରେ ପହଞ୍ଚୁଛନ୍ତି ଓ ହୋଟେଲକୁ ଯାଉଛନ୍ତି, ସେତେବେଳେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଉଛନ୍ତି। ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛି ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ)।

Advertisment

ଜାଲ୍‌ ୱେବ୍‌ସାଇଟ୍‌ରେ ଚଳାଉଛନ୍ତି କାରବାର
ମୁଖ୍ୟ ଶାସନ ସଚିବଙ୍କ ସହଯୋଗ ଲୋଡ଼ିଲା ହାରୋ
ତଦନ୍ତ ବେଳେ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ ହଇରାଣ କରାନଯାଉ

ହାରୋର ଅଧ୍ୟକ୍ଷ ଜେକେ ମହାନ୍ତି ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି। ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲ ନାଁରେ ଜାଲ ୱେବ୍‌ସାଇଟ୍ ତିଆରି କରିଛନ୍ତି। ହୋଟେଲ ରୁମ୍ ବୁକ୍ କରୁଥିବା କେତେକ ପର୍ଯ୍ୟଟକ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି। ପର୍ଯ୍ୟଟକମାନେ ଏ ନେଇ ଅଭିଯୋଗ କରିବା ପରେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି। ହୋଟେଲର ସମସ୍ତ ରେକର୍ଡପତ୍ର ଯାଞ୍ଚ କରୁଛି। ଏହା ସାଇବର ଅପରାଧୀଙ୍କର କାର୍ଯ୍ୟ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ଉଭୟ ପର୍ଯ୍ୟଟକ ଓ ହୋଟେଲ କର୍ତ୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କୌଣସି ସମାଧାନର ବାଟ ବାହାରୁ ନାହିଁ। ଏଭଳି ପରିସ୍ଥିତିରେ ହୋଟେଲଗୁଡ଼ିକ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ତରଫରୁ ପରାମର୍ଶ ଜାରି କରାଯିବା ସହିତ ସହଯୋଗ ଯୋଗାଇ ଦିଆଯାଉ। ଏହା ସହିତ ଏଭଳି ଧରଣର ସାଇବର ଅପରାଧ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଶ୍ରୀ ମହାନ୍ତି ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିର ନକଲ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, କ୍ରାଇମ୍‌ବ୍ରାଞ୍ଚ ଏଡିଜି, ସାଇବର କ୍ରାଇମ୍‌ ଥାନା ଆଇଆଇସି, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି।