ଭୁବନେଶ୍ବର: କାହାକୁ ଘରେ ବସି ଅର୍ଥ ରୋଜଗାରର ଲୋଭ ଦେଖାଇ ତ କାହାକୁ ଫଟୋ ଭାଇରାଲ୍ କରିବାର ଭୟ ଦେଖାଇ ସାଇବର ଲୁଟେରାମାନେ ଆଜି ଗୋଟିଏ ଦିନରେ ୪ ଜଣଙ୍କୁ ଚୂନ ଲଗାଇଛନ୍ତି। ରାଜଧାନୀର ୪ଜଣଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଉଡ଼ାଇ ନେଇଛନ୍ତି। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୪ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ପଟିଆ ଅଞ୍ଚଳର ଜଣେ ମହିଳା ଇଂଜିନିୟରଙ୍କୁ ସାଇବର ଠକ ଫୋନ୍ କରିଥିଲା। ଘରେ ବସି କିଭଳି କମ୍ ସମୟରେ ଅଧିକ ଅର୍ଥ ରୋଜଗାର କରିପାରିବେ, ସେନେଇ ପ୍ରବର୍ତ୍ତାଇଥିଲା। ମହିଳା ଇଂଜିନିୟରଜଣଙ୍କ ପ୍ରଥମେ କିଛି ପୁଞ୍ଜି ନିବେଶ କରି ମୋଟା ଅଙ୍କର ଅର୍ଥ ଫେରସ୍ତ ପାଇଥିଲେ। ଅଧିକ ଲାଭ ଲୋଭରେ ସେ ପରେ ସାଢ଼େ ୧୭ଲକ୍ଷ ଟଙ୍କା ନିବେଶ କରିଥିଲେ। ହେଲେ ଆଉ ଫେରସ୍ତ ପାଇ ନଥିଲେ। ସେହିପରି ଜଣେ ବ୍ୟାଙ୍କ କର୍ମଚାରୀ(ଯୁବତୀ) ଅନ୍ଲାଇନ୍ ଲୋନ୍-ଆପ୍ରେ ଋଣ ପାଇଁ ଆବେଦନ କରିଥିଲେ। ଲୋନ୍-ଆପ୍ ଡାଉନ୍ଲୋଡ୍ କରି ସମସ୍ତ ତଥ୍ୟ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଯେ ବିନା କୌଣସି କନ୍ଫର୍ମେସନରେ ତିନିଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା। ଏହାର କିଛି ଦିନ ପରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା। ଆକାଉଣ୍ଟକୁ ଆସିଥିବା ଅର୍ଥର ତିନିଗୁଣା ପୈଠ କରିବାକୁ ଅଜଣା ବ୍ୟକ୍ତି କହିଥିଲା। ନ ହେଲେ ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ଧମକାଇଥିଲା। ଭୟରେ ସେ ୫୦ ହଜାର ଟଙ୍କା ଦେଇଥିଲେ। ଏହାପରେ ଠକ ଅଧିକ ଟଙ୍କା ଦାବି କରି ପୁଣି ଧମକାଇଥିଲା। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।