ସାଇବର୍ ଲୁଟେରାଙ୍କ ଜାଲରେ ଫସିଗଲେ, ବିଦେଶୀ ସାମଗ୍ରୀ କିଣୁକିଣୁ ଉଡ଼ିଗଲା ୩ ଲକ୍ଷ

ଚନ୍ଦ୍ରଶେଖରପୁର: ମହାମାରୀ କୋଭିଡ୍‌-୧୯ ପାଇଁ ଲାଗୁ ହୋଇଥିବା ତାଲାବନ୍ଦର ସୁଯୋଗକୁ ହାତଛଡ଼ା ନକରି ସାଇବର୍ ଲୁଟେରାମାନେ ମାତି ଯାଇଛନ୍ତି। ଅନ୍‌ଲାନ୍‌ରେ ବିଭିନ୍ନ ଆବଶ୍ୟକ ସାମଗ୍ରୀ ଯୋଗାଇଦେବାରେ ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଏପରି ଏକ ଘଟଣା ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଅନ୍‌ଲାଇନ୍‌ରେ ଦାମୀ ବିଦେଶୀ ସାମଗ୍ରୀ କିଣିବାକୁ ଯାଇ ବିଚରା ବ୍ୟକ୍ତିଜଣଙ୍କ (ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି) ସାଇବର୍‌ ଲୁଟେରାଙ୍କ ଶିକାର ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଅଭିଯୋଗ ଗ୍ରହଣ କରି ଇନ୍‌ଫର୍ମେସନ୍ ଟେ‌କ୍ନୋଲୋଜି (ଆଇଟି) ଅପରାଧ ବିଭାଗକୁ ମାମଲା ହସ୍ତାନ୍ତର କରିଛି।

ସୂଚନାନୁସାରେ, ଦୁଇ ଦିନ ତଳେ ଲୁଟ୍‌ର ଶିକାର ବ୍ୟକ୍ତି ଅନ୍‌ଲାଇନ୍‌ରେ ଦାମୀ ବିଦେଶୀ ଜିନିଷ ବିକ୍ରି କରୁଥିବା ଏକ ୱେବ୍‌ସାଇଟ୍‌ ଖେଳାଇଥିଲେ। ତାଙ୍କୁ କମ୍ ମୂଲ୍ୟରେ ବହୁ ବିଦେଶୀ ଜିନିଷ କିଣିବା ପାଇଁ ଅଫର୍ ଦିଆଯାଇଥିଲା। ସେ ଉତ୍ସାହିତ ହୋଇ କିଛି ଅଫର୍‌ ଉପରେ ମତାମତ ଦେଇଥିଲେ ଓ ସେହି ଜିନିଷ କିଣିବାକୁ ଯାଇ ନିଜର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ କରିଥିଲେ। ପରେ ୱେବ୍‌ସାଇଟ୍‌ ପକ୍ଷରୁ ତାଙ୍କ ନିକଟକୁ ଅନ୍ୟ ତଥ୍ୟ ଦେବା ପାଇଁ ଭିଡିଓ କଲିଂ କରାଯାଇଥିଲା। ସେପଟୁ ଆସୁଥିବା ନିର୍ଦ୍ଦେଶ ଅନୁସା‌ରେ ସେ ମୋବାଇଲ୍‌ ଫୋନ୍‌ରେ ନିଜର ତଥ୍ୟ ସବୁ ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩ଟି କିସ୍ତିରେ ୩ଲକ୍ଷ ଟଙ୍କା ଉଠି ଯାଇଥିଲା। ଜିନିଷ ପାଇବା ପରେ ଟଙ୍କା ଦେବା ପାଇଁ ପ୍ରଥମରୁ ସୂଚନା ଥିଲେ ବି ଲୁଟେରା ତାଙ୍କ ଆକାଉଣ୍ଟରୁ ୩ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲା। ମାତ୍ର କେଇ ମିନିଟ୍‌ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବା ଦେଖି ବିଦେଶୀ ଜିନିଷ କିଣିବାକୁ ମନ କରିଥିବା ବ୍ୟକ୍ତିଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ଏହି ଅନ୍‌ଲାଇନ୍‌ ଠକେଇ ଆମେରିକାନ୍ ଡଲାର୍ ଏଫସିଆର୍ ଆକାଉଣ୍ଟ ଯୋଗେ ଅଦଳବଦଳ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନା ଅଇଆଇସି ବିଶ୍ବରଞ୍ଜନ ନାୟକ ମାମଲା ସଂଖ୍ୟା ଆପିସି ୧୮୬୦/୪୧୯/୪୨୦/୪୬୫/୪୭୧ ସହ ଆଇଟି ଧାରା ୬୬(ସି) ଓ ୬୬(ଡ଼ି) ରୁଜୁ କରି ମା‌ମଲାକୁ ଆଇଟି ବିଭାଗକୁ ହସ୍ତାନ୍ତର କରିଥିଲେ ହେଁ ନିଜ ଆଡ଼ୁ ମଧ୍ୟ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର