୩ ଧୂର୍ତ୍ତଙ୍କୁ ବାନ୍ଧିଲା ସାଇବର ଥାନା: ମନ୍ତ୍ରୀଙ୍କ ପିଏ ନାଁରେ ୩୧ ହଜାର ଚଳୁ

ଭୁବନେଶ୍ବର: ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପି.ଏ) ବୋଲି ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କୁ ଚୂନ ଲଗାଇଥିବା ୩ଧୂର୍ତ୍ତଙ୍କୁ ବାନ୍ଧିଛି ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ। ସେମାନେ ହେଲେ, ଅନୁଗୁଳ କିଶୋରନଗର ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ ଓରଫ୍ ଲକି, ଯାଜପୁର ଅଞ୍ଚଳର ତୁଷାରକାନ୍ତି ବାଇ ଓରଫ ସନ୍ତୁ ଓ ଗଞ୍ଜାମର ସୁନୀଲ କୁମାର ସାମନ୍ତରାୟ। ସେମାନଙ୍କ ନିକଟରୁ ନଗଦ ୫୦ହଜାର ଟଙ୍କା ଓ ୬ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଧୂର୍ତ୍ତ ଗ୍ୟାଙ୍ଗ୍‌ ଆଉ କେତେ ଜଣଙ୍କୁ ଏମିତି ଠକିଛନ୍ତି, ସେନେଇ ତନାଘନା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ, ଗତ ଶନିବାର ବ୍ୟବସାୟୀ ବିକାଶ ସେହେଗଲ ଏହି ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଗତ ୧୨ତାରିଖ ଦିନ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତିଜଣଙ୍କ ନିଜକୁ ଜଣେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇଥିଲା। ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ ଯଜ୍ଞର ଆୟୋଜନ କରିଥିବାରୁ କିଛି ଟଙ୍କା ଆବଶ୍ୟକ ହେଉଛି ବୋଲି ଉକ୍ତ ନକଲି ପିଏ କହିଥିଲା। ଶ୍ରୀ ସେହଗଲ ଜଣେ ପରୋପକାରୀ ଓ ହୋମଯଜ୍ଞ ପ୍ରିୟ ବ୍ୟକ୍ତି ବୋଲି ସେ ପ୍ରଶଂସା କରିବା ସହ ମନ୍ତ୍ରୀ ଯଜ୍ଞ ପାଇଁ ଟଙ୍କା ଦରକାର ପଡ଼ୁଥିବା କହିଥିଲା। ମନ୍ତ୍ରୀଙ୍କ ନାଁ ଓ ହୋମଯଜ୍ଞ କଥା ଶୁଣିବା ପରେ ସେହଗଲ ବିଶ୍ବାସ କରିଯାଇଥିଲେ। ତେଣୁ ଯଜ୍ଞ ବାବଦରେ ପଚରାଉଚରା ନକରି ସେ ନକଲି ପିଏ ଦେଇଥିବା ଫୋନ୍‌ ପେ ନମ୍ବର-୮୨୮୦୦୯୦୯୭୭୭ରେ ୩୧ ହଜାର ୫ଶହ ଟଙ୍କା ପଠାଇ ଦେଇଥିଲେ। ଟଙ୍କା ପଠାଇବା ପରେ ସେହଗଲ ନକଲି ପିଏ ଦେଇଥିବା ଅନ୍ୟ ଏକ ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। ତେବେ ଉକ୍ତ ଫୋନ୍‌ ଧରିଥିବା ବ୍ୟକ୍ତି ଯଜ୍ଞ ବାବଦରେ କିଛି ଜାଣିନାହାନ୍ତି କି ସେ କଳାହାଣ୍ଡିର ବାସିନ୍ଦା ନୁହନ୍ତି ବୋଲି କହିଥିଲେ। ତେଣୁ ସନ୍ଦେହ କରି ସେହଗଲ ପ୍ରଥମରୁ ନକଲି ପିଏ କରିଥିବା ନମ୍ବରରେ ଯୋଗାଯୋଗ କରିଥିଲେ। ଉକ୍ତ ନମ୍ବର ସୁଇଚ୍ ଅଫ୍ ଥିଲା। ସେତେବେଳେ ସେହଗଲ ଜାଣିପାରିଥିଲେ ଯେ ମନ୍ତ୍ରୀଙ୍କ ପିଏ କହି କେହି ଠକ ତାଙ୍କୁ ଚୂନ ଲଗାଇଛି। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର