କୋଉ କାମକୁ ସାଇବର ଥାନା! ୯୮% ଏତଲା ଗ୍ରହଣ ହେଉନି

ତଦନ୍ତରେ ବାଧକ ଦୁର୍ବଳ ଭିତ୍ତିଭୂମି, କର୍ମଚାରୀ ଅଭାବ, ଟଙ୍କା ଫେରସ୍ତରେ ବି ସ୍ଥିତି ନୈରାଶ୍ୟଜନକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ରାଜଧାନୀ ସମେତ ରାଜ୍ୟର ୧୪ଟି ସ୍ଥାନରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା କାର୍ଯ୍ୟକାରୀ ହେଉଛି। ମାତ୍ର ଥାନାର ଦୁର୍ବଳ ସ୍ଥିତି ଏବଂ କର୍ମଚାରୀ ଅଭାବ, ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ସାଇବର ଥାନାକୁ ଯେତିକି ଲୋକ ଅଭିଯୋଗ ନେଇ ଆସୁଛନ୍ତି, ସେଥିମଧ୍ୟରୁ ହାତଗଣତି ମାତ୍ର ଗୋଟିଏ କି ଦୁଇଟି ଲୋକଙ୍କ ଅଭିଯୋଗ ପଂଜୀକୃତ ହେଉଛି। ବାକି ମାମଲା ରୁଜୁ କି ତଦନ୍ତ ହେଉନାହିଁ।

ଭୁବନେଶ୍ବର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ଜାନୁଆରିରୁ ଏପ୍ରିଲ ମଧ୍ୟରେ ଭୁବନେଶ୍ବରରେ କେବଳ ୧୧୧୩ଟି ସାଇବର ଅରାଧ ଜନିତ ଅଭିଯୋଗ ହୋଇଛି। କିନ୍ତୁ ସେଥିମଧ୍ୟରୁ ମାତ୍ର ୧୮ଟି ଅଭିଯୋଗ ପଂଜୀକୃତ କରାଯାଇଛି। ଅର୍ଥାତ୍ ମୋଟ ଅଭିଯୋଗ ସଂଖ୍ୟାର ମାତ୍ର ୧.୬ ପ୍ରତିଶତ ମାମଲା ରୁଜୁ ହୋଇଛି। ବଳକା ୯୮.୪ ପ୍ରତିଶତ ଅଭିଯୋଗର ପଂଜୀକରଣ କିମ୍ବା ତଦନ୍ତ ସାଇବର ଥାନା ପକ୍ଷରୁ କରାଯାଉନାହିଁ। ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି, ଭୁବନେଶ୍ବରକୁ ଉଦାହରଣ ନେଲେ, ରାଜ୍ୟରେ ଥିବା ସମସ୍ତ ୧୪ ସାଇବର ଥାନାରେ କିଭଳି ସାଇବର ଅପରାଧର ତଦନ୍ତ ହେଉଥିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଭୁବନେଶ୍ବର ଭଳି ଅନ୍ୟ ସମସ୍ତ ସହର ଓ ୩୦ ଜିଲ୍ଲାରେ ସାଇବର ଠକେଇ ମାମଲାକୁ ଗୁରୁତ୍ବ ଦିଆଯାଉନଥିବାରୁ ସାଇବର ଠକେଇ ଶିକାର ପୀଡ଼ିତମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।

Sambad

ଜଣେ ବରିଷ୍ଠ ପୁଲିସ କର୍ମଚାରୀ ଏ ସଂପର୍କରେ କହିଛନ୍ତି ଯେ ଜଣେ ପୁଲିସ କର୍ମଚାରୀ ମାସକରେ ୩ଟି ମାମଲାର ତଦନ୍ତ କରିବା କଥା। ଏମିତି ହେଲେ ଠିକ୍‌ ଭାବେ ତଦନ୍ତ ହୋଇପାରିବ। ତଦନ୍ତ ପାଇଁ ପର୍ଯ୍ୟାପ୍ତ ସମୟ ନ ମିଳିଲେ ଅଭିଯୁକ୍ତ ଧରାପଡ଼ିବା ଓ ଟଙ୍କା ଫେରସ୍ତ କରିବାରେ ସମସ୍ୟା ସୃଷ୍ଟି ହେବ। ଏହାବ୍ୟତୀତ କୋର୍ଟରେ ଠିକ୍‌ ସମୟରେ ଚାର୍ଜସିଟ୍ ଦାଖଲ କରିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ତେଣୁ ଏ ସବୁକୁ ଦେଖିଲେ ସବୁ ମାମଲା ରୁଜୁ କରିବା ସମ୍ଭବ ନୁହେଁ। ସେହିଭଳି ସାଇବର ନିୟମର ଅନୁସାରେ, ଜଣେ ଇନ୍ସପେକ୍ଟର ବା ତଦୂର୍ଦ୍ଧ୍ବ ରୢାଙ୍କ୍‌ର ଅଫିସର ହିଁ ଏହି ମାମଲାର ତଦନ୍ତ କରିପାରିବେ। ମାତ୍ର ରାଜ୍ୟର ୧୪ ଥାନାରେ ୧୪ ଇନ୍ସପେକ୍ଟର ଦିଆଯାଇଛି। ଜଣେ ଇନ୍ସପେକ୍ଟର୍ କେମିତି ଏତେ ସଂଖ୍ୟକ ମାମଲାର ତଦନ୍ତ କରି‌ବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ସାଇବର ଥାନା ଚଳାଇବା ପାଇଁ ଯାହା ରୂପରେଖ ପ୍ରସ୍ତୁତ ହୋଇଥିଲା, ତାହା ବି ପୂରା କାର୍ଯ୍ୟକ୍ଷମ କରାଯାଉନାହିଁ। ଆଜି ପର୍ଯ୍ୟନ୍ତ ଥାନାରେ ଜଣେ ହେଲେ ବି ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇନଥିବା ସେ କହିଛନ୍ତି।

ଅପରପକ୍ଷେ, ଲୁଟ୍‌ ଟଙ୍କା ଫେରସ୍ତ ବା ରିକଭରି କ୍ଷେତ୍ରରେ ମଧ୍ୟ ସ୍ଥିତି ନୈରାଶ୍ୟଜନକ ରହିଛି। ୪ ମାସରେ ମୋଟ ୪କୋଟି ୩୮ଲକ୍ଷ ୯୭ହଜାର ୨୨୩ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ସାଇବର ଥାନା ତଦନ୍ତ କରି ମାତ୍ର ୪୦ଲକ୍ଷ ୨୭ହଜାର ୫୭୬ଟଙ୍କା ଫେରସ୍ତ କରିଥିବା ବେଳେ ୧୭ଲକ୍ଷ ୬୨ହଜାର ୯୨୮ଟଙ୍କା ଅଚଳ କରିଛି। ଅର୍ଥାତ୍ ଠକେଇ ଟଙ୍କାର ମାତ୍ର ୯ପ୍ରତିଶତ ଟଙ୍କା ଲୋକଙ୍କୁ ଫେରସ୍ତ କରାଯାଇଥିବା ବେଳେ ୪ ପ୍ରତିଶତ ଅଚଳ କରାଯାଇଛି। ଏହି କ୍ରମରେ ୧୩ ପ୍ରତିଶତ ଟଙ୍କା ସାଇବର ଠକଙ୍କ ପାଖରୁ ଆଣିବାକୁ ସାଇବର ଥାନା ସକ୍ଷମ ହୋଇଥିବା ବେଳେ ଆହୁରି ୮୭ ପ୍ରତିଶତ ଟଙ୍କା ରିକଭରି ହୋଇପାରିନାହିଁ।
ଏ ସଂପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ଗୀତା ସିଂହ କହିଛନ୍ତି, ଭୁବନେଶ୍ବର ସାଇବର ଥାନାକୁ ଆସୁଥିବା ଅଭିଯୋଗ ମଧ୍ୟରୁ ପ୍ରାଥମିକସ୍ତରରେ କେତୋଟି ମାମଲା ସମାଧାନ କରାଯାଉଛି। ଅନେକ କ୍ଷେତ୍ରରେ ସାଇବର ଠକ ପୀଡ଼ିତକୁ ଠକିବାକୁ ଉଦ୍ୟମ କରି ବିଫଳ ହେଉଛି। ତେଣୁ ଅଭିଯୋଗର ଗୁରୁତ୍ବ ଦେଖି ମାମଲା ରୁଜୁ କରାଯାଉଛି। ଆଗାମୀ ଦିନରେ ଯେପରି ସବୁ ମାମଲାର ତଦନ୍ତ କରାଯିବ, ସେ ସଂକ୍ରାନ୍ତରେ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର