ଭୁବନେଶ୍ବର: ବ୍ୟାଙ୍କ୍ରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ଲୋକଙ୍କୁ କୋଟିକୋଟି ଟଙ୍କାର ଚୂନ ଲଗାଉଥିଲେ। ସେହି ଟଙ୍କାକୁ ଭାଗବାଣ୍ଟି ନେଉଥିଲେ। କିନ୍ତୁ ଠକେଇ ଟଙ୍କାର ଭାଗ ନ ଛିଡ଼ିବାରୁ ମ୍ୟୁଲ୍ ଆକାଉଣ୍ଟଧାରୀମାନେ ସାଇବର୍ ଠକକୁ ଅପହରଣ କଲେ। ମୁଣ୍ଡ ଜାମିନ ରଖି ଧମକ ଦେଲେ। ଏହି ମାମଲାରେ କମିସନରେଟ୍ ପୁଲିସ ସାଇବର୍ ଠକ ଓ ୪ ଅପହର୍ତ୍ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାଇବର୍ ଠକ ତଥା ମାଷ୍ଟର୍ମାଇଣ୍ଡ ବିହାର ମୀର୍ଗଞ୍ଜର ସମୀର କୁମାର ଭୁଭେ(୩୫) ଓ ତାଙ୍କୁ ଅପହରଣ କରିଥିବା ମୈତ୍ରୀବିହାର ବିଡିଏ କଲୋନିର ଭଗବାନ ସାହୁ(୨୧), ଚନ୍ଦକା ସଂଘର୍ଷ ବିହାରର ଅମିତାରାଣୀ ରାଉତ(୫୦), ତାଙ୍କ ଝିଅ ଆକାଂକ୍ଷା(୨୧) ଓ ପୁଅ ଚିରଞ୍ଜୀବ(୨୧)। ସେମାନଙ୍କ ନିକଟରୁ କାର୍, ମାରଣାସ୍ତ୍ର ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
କିଛି ମାସ ତଳେ ସୁଶାନ୍ତ ନାମକ ଜଣେ ଯୁବକ ସାଇବର୍ ଠକ ସମୀର ସହ ଅମିତାରାଣୀଙ୍କୁ ପରିଚିତ କରାଇଥିଲା। ସମୀର ବିଭିନ୍ନ ବ୍ୟବସାୟର ପ୍ରଲୋଭନ ଦେଖାଇ ଅମିତାରାଣୀଙ୍କୁ ପ୍ରଭାବିତ କରିଥିଲା। ଅମିତାରାଣୀଙ୍କୁ ଚକ୍ରବ୍ୟୁହରେ ଫସାଇବା ପରେ ପୁରୀ ବୁଲିବା ଆଳରେ ତାଙ୍କ ଘରକୁ ଆସୁଥିଲା ଏବଂ ତାଙ୍କୁ ବ୍ୟବସାୟ ସମ୍ପର୍କରେ ବୁଝାସୁଝା କରିଥିଲା। ଏହାପରେ ତାଙ୍କୁ ବିଭିନ୍ନ ବ୍ୟାଙ୍କ୍କୁ ନେଇ ଆକାଉଣ୍ଟ ଖୋଲିଥିଲା। କିନ୍ତୁ ଚେକ୍ ବୁକ୍ଠାରୁ ଆରମ୍ଭ କରି ଏଟିଏମ୍ କାର୍ଡ, ପାସ୍ୱାଡ୍ ସବୁ ନେଇ ବିହାର ଚାଲି ଯାଇଥିଲା। ଗତ ମେ’ରୁ ଜୁଲାଇ ମଧ୍ୟରେ ସେ ୯.୫ କୋଟି ଟଙ୍କାର ଠକେଇ କାରବାର କରିଥିଲା। ଏଥିପାଇଁ ସେ ଅମିତାରାଣୀ ଓ ତାଙ୍କ ସହଯୋଗୀଙ୍କୁ ୧.୪% ହିସାବରେ କମିସନ ବାବଦକୁ ପାଖାପାଖି ୧୪ ଲକ୍ଷ ଟଙ୍କା ଦେଇଥିଲା। ତାଙ୍କ ଆକାଉଣ୍ଟରେ କିଭଳି ଏତେ ଟଙ୍କାର ଆର୍ଥିକ କାରବାର ହୋଇଛି ବୋଲି କିଛିଦିନ ପୂର୍ବେ ଅମିତାରାଣୀଙ୍କ ନିକଟକୁ ବ୍ୟାଙ୍କରୁ କଲ୍ ଆସିଥିଲା। ଆଉ ବିଭିନ୍ନ ସମୟରେ ୩ଟି ଆକାଉଣ୍ଟରେ ୧୫ ଲକ୍ଷ, ୧୦ ଲକ୍ଷ ଏବଂ ୬ଲକ୍ଷ ଏମିତି ମୋଟ ୩୧ ଲକ୍ଷ ଟଙ୍କା ଫ୍ରିଜ୍ ହୋଇଛି ବୋଲି ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିଲେ। ଏମିତିକି ଟଙ୍କା ଫ୍ରିଜ୍ ହୋଇଥିବାରୁ ସାଇବର ଠକେଇ କଥା ନେଇ ଅମିତାରାଣୀଙ୍କୁ ପ୍ରଶ୍ନ କରାଯାଇଥିଲା। ଯେହେତୁ ସେମାନେ ରୢାକେଟ୍ରେ ଫସି ସାରିଥିଲେ, ଟଙ୍କା ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଥିଲା ଟଣାଓଟରା।
ସମୀରଠାରୁ ଟଙ୍କା ଝଡ଼ାଇବା ପାଇଁ ଅମିତାରାଣୀ ଯୋଜନା କରିଥିଲେ। ଯୋଜନା ମୁତାବକ ଅଧିକ ମ୍ୟୁଲ୍ ଆକାଉଣ୍ଟ ଖୋଲିବା ପାଇଁ ସେମାନେ ସମୀରକୁ ପୁଣି ଭୁବନେଶ୍ବର ଡାକିଥିଲେ। ଗତ ୫ ତାରିଖ ସନ୍ଧ୍ୟାରେ ସମୀର ରାଜଧାନୀରେ ପହଞ୍ଚିବା ପରେ ଚତୁରତାର ସହ ଭଗବାନ, ଅମିତାରାଣୀ ଏବଂ ତାଙ୍କ ପୁଅଝିଅ ମିଶି ତାଙ୍କୁ ପଥରଗାଡ଼ିଆ ନିକଟକୁ ଡକାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ସେଠାରୁ କାର୍ରେ ଅପହରଣ କରି ସଂଘର୍ଷ ବସ୍ତିକୁ ନେଇଯାଇଥିଲେ। ସେଠାରେ ଏକ ଘରେ ରଖି ମାଡ଼ମାରିବା ସହ ୨୫ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖିଥିଲେ। ସେମାନଙ୍କ କବ୍ଜାରୁ ଖସି ନପାରି ସମୀର ହୋଟେଲ୍ର ମ୍ୟାନେଜର୍ଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲା। ଖବର ପାଇ ଚନ୍ଦକା ଥାନା ପୁଲିସ ସଂଘର୍ଷ ବିହାରରେ ଚଢ଼ଉ କରି ସମୀରକୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ଜେରା କରିବା ପରେ ରୢାକେଟ୍ର ଗୁମର ଖୋଲିଥିଲା। ସମୀର କିଭଳି ବିଭିନ୍ନ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ କରୁଥିଲା, ପୁଲିସ ସାମନାରେ ସବୁ ସତ ଓଗାଳିଥିଲା। ଏନେଇ ପୁଲିସ ଦୁଇଟି ମାମଲା ରୁଜୁକରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଆଇଆଇସି ସମିତା ମିଶ୍ର କହିଛନ୍ତି।