ସାଇବର ସୁରକ୍ଷା ଓ ନିରାପତ୍ତା ସଚେତନତା କର୍ମଶାଳା : ସାଇବର ଅପରାଧର ମୁକାବିଲା ବିଶ୍ୱ ପାଇଁ ଆହ୍ୱାନ

ପ୍ରଶିକ୍ଷଣ ନେଲେ ୭୭, ୫ରୁ ସଚେତନତା ସପ୍ତାହ

ଭୁବନେଶ୍ବର/ଖଣ୍ଡଗିରି : ଆପଣ କୌଣସି ସୁରାକ୍‌ ପାଇବେ ନାହିଁ, ଆପଣଙ୍କ ମୋବାଇଲ ନମ୍ବର ବ୍ୟବହାର କରି ଅନ୍ୟ ଜଣେ ଅସୀମିତ କଲ୍‌ କରିପାରିବ। ଆପଣଙ୍କ ମୋବାଇଲ୍‌ ନମ୍ବର ବ୍ୟବହାର କରି ଅନ୍ୟ କାହାକୁ ଠକି ପାରିବ। ଗୋଟିଏ ଲିଙ୍କ୍‌ ଜରିଆରେ ଆପଣଙ୍କ ଆକାଉଣ୍ଟ୍‌ରୁ ଲକ୍ଷ ଲକ୍ଷ ଟଙ୍କା ନିମିଷକେ ଗାୟବ ହୋଇଯିବ। ସାଇବର୍‌ ଅପରାଧୀ ଏଭଳି କୌଶଳ ବ୍ୟବହାର କରି ଦିନକୁ ଦିନ ଠକିବାରେ ଲାଗିଛନ୍ତି, ଯାହାର ମୁକାବିଲା ସମଗ୍ର ବିଶ୍ବ ପାଇଁ ଏକ ଆହ୍ବାନ ପାଲଟିଛି। ଆଇଏସ୍‌ଆଇଏସ୍ ଭଳି ଆତଙ୍କବାଦୀ ସଂଗଠନ ସାଇବର ଅପରାଧରୁ ହିଁ ସୃଷ୍ଟି। ତେବେ ଏହି ଅପରାଧରୁ ନିଜକୁ ବଞ୍ଚାଇବା ପାଇଁ କେବଳ ସଚେତନ ହେବା ଛଡ଼ା ବିକଳ୍ପ ବ୍ୟବସ୍ଥା ହୋଇପାରିନାହିଁ। ରାଜଧାନୀ ଉପକଣ୍ଠ ଗୋଠପାଟଣାସ୍ଥିତ ଆଇଆଇଆଇଟି କଲେଜ, କେନ୍ଦ୍ର ଓ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ଏବଂ ଓଡ଼ିଶା ପୁଲିସର ମିଳିତ ଉଦ୍ୟମରେ ଆଜି ଆୟୋଜିତ ଏକ କର୍ମଶାଳାରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।

କର୍ମଶାଳାରେ ରାଜ୍ୟ ପୁଲିସ ଓ କ୍ରାଇମ୍ ବ୍ରାଞ୍ଚର ୩୦ଜଣ ଅଧିକାରୀଙ୍କ ସମେତ ଇଞ୍ଜିନିୟରିଂ ଓ ଡିପ୍ଲୋମା ସ୍କୁଲର ୩୦ ଜଣ କର୍ମଚାରୀ ଓ ବିଭିନ୍ନ ସରକାରୀ ବିଭାଗରୁ ୧୭ଜଣ ଅଧିକାରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ଜାନୁଆରି ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସାଇବର ସୁରକ୍ଷା ସପ୍ତାହ ପାଳିତ ହେବ। ଟ୍ରିପ୍‌ଲ ଆଇଟି କଲେଜ ସହଯୋଗରେ ଓଡ଼ିଶା ପୁଲିସ, ଗଣଶିକ୍ଷା ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ମିଳିତ ଭାବେ ପାଳିତ ହେବାକୁ ଥିବା ଏହି ସଚେତନତା ସପ୍ତାହରେ ୩୦ଟି ବିଦ୍ୟାଳୟ ଓ ୨୦ଟି କଲେଜରେ ୬୦ଟି ଶିବିର ଅନୁଷ୍ଠିତ ହେବ। ଏଥିରେ ଏହି ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। ଏଥିସହ ରୋଡ୍‌ ସୋ, ରୢାଲି, ପଥପ୍ରାନ୍ତ ନାଟକ ଏବଂ ୱାକାଥନ୍‌ର ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଣ୍ଟରନେଟ୍‌ ସେବା ମଣିଷ ଜୀବନକୁ ଯେତିକି ସହଜ କରିଛି, ସେତିକି ବିପଦ ଭିତରକୁ ଠେଲି ଦେଇଛି। ସାମାନ୍ୟ ଅସାବଧାନତା କାରଣରୁ ଲୋକେ ସାଇବର ଲୁଟେରାଙ୍କ ଶିକାର ହେଉଛନ୍ତି। ତେଣୁ ବ୍ୟାପକ ଜନସଚେତନତା ହିଁ ସାଇବର ଅପରାଧକୁ ମୁକାବିଲା କରିପାରିବ।

ଟ୍ରିପ୍‌ଲ ଆଇଟିର ନିର୍ଦେଶକ ପ୍ରଫେସର୍‌ ଗୋପାଳକୃଷ୍ଣ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସୂଚନା ଓ ପ୍ରଯୁକ୍ତି ବିଭାଗ ଯୁଗ୍ମ ସଚିବ ସୁଜିତ୍ ମଲ୍ଲିକ, ହାଇଦ୍ରାବାଦ୍‌ ସିଡାକ୍ ପ୍ରକଳ୍ପ ନିର୍ଦେଶକ ଏମ୍‌ ଜଗଦୀଶ ବାବୁ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଦେବାଶିଷ ଜେନାଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଇବର ଅପରାଧର ନମୁନା ପ୍ରଦର୍ଶନ କରିଥିଲେ। ଅତି ସହଜରେ କିଭଳି ସାଇବର ଠକମାନେ ଲୁଟୁଛନ୍ତି, ତାହା ଦେଖାଇଥିଲେ। କିଭଳି ଫେକ୍‌-ମେଲ୍ ଆଇଡି ଚିହ୍ନଟ କରିହେବ, ସୁରକ୍ଷିତ ରହିବା ପାଇଁ କେବଳ ଗୁଗୁଲ୍‌ ପ୍ଲେ’ ଷ୍ଟୋର୍‌ରୁ ହିଁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ହେବ ବୋଲି ପରାମର୍ଶ ଦେଇଥିଲେ। କମ୍ପ୍ୟୁଟର୍‌ ହାକିଂ, ଡାଟା ଚୋରି, ମୋବାଇଲ୍‌ରେ ଅପରିଚିତ ଆପ୍‌ ଡାଉନ୍‌ଲୋଡିଂର ବିପଦ, ମାଗଣା ୱାଇଫାଇ ବ୍ୟବହାରର ଅପକାରିତା, ଏଚ୍‌ଆଇଡି ଆଟାକ୍ ଓ ବ୍ୟକ୍ତିଗତ ସୂଚନା ପ୍ରଦାନ କଲା ବେଳେ ସତର୍କତା ଅବଲମ୍ବନ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ପିଏଚ୍‌ଡି ଛାତ୍ରୀ ଶୁଭଶ୍ରୀ ଓଝା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର