ସାଇବର ଠକେଇ : ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଠାଇ ନେଲେ

ଭୁବନେଶ୍ୱର : ମାତିଛନ୍ତି ସାଇବର ଠକ। ଆଖି ପିଛୁଳାକେ ଖାଲି କରି ଦେଉଛନ୍ତି ଆକାଉଣ୍ଟ। ଜମାକାରୀର ନିଦ ଭାଙ୍ଗିବା ବେଳକୁ ଆକାଉଣ୍ଟରେ କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଠକାମିର ଶିକାର ହୋଇଛି ଏକ ଖବରକାଗଜ ସଂସ୍ଥା। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଖବରକାଗଜ ଆକାଉଣ୍ଟକୁ ହ୍ୟାକ୍ କରି ଦୁର୍ବୃତ୍ତ ୧ ଲକ୍ଷ ୧୧ ହଜାର ୫ଶହ ଟଙ୍କା ନେଇ ଯାଇଛନ୍ତି। ସଂସ୍ଥାର ସମ୍ପାଦକ ସୁଧିର କୁମାର ପଣ୍ଡା ଏନେଇ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆଇଟି ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୋଟିଏ ପଟେ ସରକାର କ୍ୟାସ୍‌ଲେସ୍ ଟ୍ରାଞ୍ଜାକ୍ସନ୍ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନ୍‌ଲାଇନ୍‌ ଠକେଇ ଉପରେ ନିୟନ୍ତ୍ରଣ କରିପାରୁ ନ ଥିବାରୁ ଜମାକାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସୂଚନା ମୁତାବକ, ସମ୍ପୃକ୍ତ ସମ୍ବାଦପତ୍ର ସଂସ୍ଥାର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରେ ରହିଛି। ଗତ ୬ ଓ ୭ ତାରିଖରେ ଏହି ଆକାଉଣ୍ଟରୁ ମୋଟ ୧୦ ହଜାର ଟଙ୍କା ଲେଖାଏଁ ୧୧ ଥର ଉଠାଣ ହୋଇଥିବା ବେଳ‌େ ଥରେ ୧ହଜାର ୫ଶହ ଟଙ୍କା ଉଠାଣ ହୋଇଥିଲା। ଏ ନେଇ ଆକାଉଣ୍ଟ ସହ ସଂଯୁକ୍ତ ମୋବାଇଲ ନମ୍ବରକୁ ସୂଚନା ଆସିବା ପରେ ଶ୍ରୀ ପଣ୍ଡା ବ୍ୟାଙ୍କ୍‌ର ଟୋଲ୍ ଫ୍ରି ନମ୍ବରରେ ସୂଚନା ଦେଇ ଡେବିଟ୍ କାର୍ଡକୁ ମଧ୍ୟ ବ୍ଲକ୍ କରାଇଥିଲେ। ବଡ଼କଥା ଥିଲା ଯେ, ମୋବାଇଲକୁ ଓଟିପି ଆସି ନ ଥିଲା କିମ୍ବା ସିଭିଭି ନମ୍ବର ମଧ୍ୟ କାହାରିକୁ ଦିଆଯାଇ ନ ଥିଲା। ଏଭଳି ସ୍ଥିତିରେ କିଭଳି ଲକ୍ଷାଧିକ ଟଙ୍କା ଚାଲିଗଲା ତାହାକୁ ନେଇ ତନାଘନା ହୋଇଥିଲା। ତଦନ୍ତ ବେ‌ଳେ ବ୍ୟାଙ୍କ୍‌ ଅଧିକାରୀ ଜାଣିବାକୁ ପାଇଥିଲେ ଯେ, ନୂଆଦିଲ୍ଲୀର ଆଇଡିବିଆଇ ଏଟିଏମ୍‌ରୁ ନକଲି କାର୍ଡ ବଳରେ ଏହି ଟଙ୍କା ଉଠାଣ ହୋଇଥିଲା।

ଏହା ଜଣାପଡ଼ିବା ପରେ ପୁଲିସ ଭୁବନେଶ୍ୱରରେ ଥିବା ଆଇଡିବିଆଇ ସହ ଯୋଗାଯୋଗ କରିଛି। ସମ୍ପୃକ୍ତ ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ସଂଗ୍ରହ ପାଇଁ ଉଦ୍ୟମ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧି କୌଣସି ସଫଳତା ମିଳିନାହିଁ।

ସମ୍ବନ୍ଧିତ ଖବର