ସାଇବର ଠକେଇ ଦୁର୍ଦ୍ଦଶା : ଠକେଇ ଯନ୍ତ୍ରଣାକୁ ବଳିଯାଉଛି ପୁଲିସର ପ୍ରଶ୍ନବାଣ

ଥାନାରେ ନାହାନ୍ତି ଅଭିଜ୍ଞ କର୍ମଚାରୀ
ଅଭିଯୋଗକାରୀଙ୍କୁ ଆଶ୍ବାସନା ଦେବ କାଉନସେଲିଂ: ବିଶେଷଜ୍ଞ

ଭୁବନେଶ୍ବର : ‘ଆପଣ କାହିଁକି ଓଟିପି ଦେଉଥିଲେ? କାହିଁକି ଏଟିଏମ୍ ଓ କ୍ରେଡିଟ୍ କାର୍ଡ ନମ୍ବର ଦେଉଥିଲେ? କାହିଁକି ଆକାଉଣ୍ଟ ନମ୍ବର ଦେଉଥିଲେ? ଯିଏ ସିଏ ଫୋନ୍ କରି ମାଗିବ, ତାକୁ କ’ଣ ଆପଣ ସବୁ ତଥ୍ୟ ଦେଇଦେବେ? ଆପଣ ଜାଣୁ ନାହାନ୍ତି କି ଏମିତି ଠକେଇ ଚାଲିଛି ବୋଲି? ହଉ ଅଭିଯୋଗ ଦିଅନ୍ତୁ.. ଦେଖିବା..।’ ଏମିତି ପୁଳାପୁଳା ପ୍ରଶ୍ନ ପଚାରି ଅଭିଯୋଗକାରୀଙ୍କୁ ଘାଇଲା କରନ୍ତି ପୁଲିସ ଅଧିକାରୀ। ସାଇବର ଠକେଇର ଶିକାର ହୋଇ ସଂଚିତ ଅର୍ଥ ହରାଇ ମାନସିକ ଅବସାଦରେ ଥିବା ଅଭିଯୋଗକାରୀକୁ ଏମିତି ଥାଏ ପୁଲିସ ବାବୁଙ୍କ ବ୍ୟବହାର। ସାନ୍ତ୍ବନା ତ ମିଳେନି, ବରଂ ପ୍ରଶ୍ନବାଣରେ ଜର୍ଜରିତ ହୋଇ ବ୍ୟର୍ଥ ମନରେ ଫେରିବାକୁ ପଡ଼େ ସାଇବର ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ। ଫଳରେ ଟଙ୍କା ହରାଇ ଜଣେ ଯେତିକି କଷ୍ଟ ପାଇ ନଥାଏ, ପୁଲିସ ବାବୁଙ୍କ ପ୍ରଶ୍ନ ତାଙ୍କୁ ‌ତା’ଠାରୁ ଅଧିକ ନିର୍ଯାତନା ଦେଇଥାଏ।

ଚନ୍ଦ୍ରଶେଖରପୁର ଅଞ୍ଚଳର ମନୋଜ ବାଡ଼ତ୍ୟାଙ୍କ ଉଦାହରଣକୁ ଲକ୍ଷ୍ୟ କଲେ, ସାଇବର ଠକାମି ମାମଲାରେ ପୁଲିସ ବାବୁଙ୍କ କାର୍ଯ୍ୟଦକ୍ଷତା ଓ ନିର୍ଯାତନାର କରୁଣ ଚିତ୍ର ସ୍ପଷ୍ଟ ହୋଇଯାଏ। ଗତବର୍ଷ ନଭେମ୍ବର ୧୧ରେ ତାଙ୍କ କ୍ରେଡିଟ୍ କାର୍ଡରୁ ଦୁଇଟି ପର୍ଯ୍ୟାୟରେ ୭୧ ହଜାର ଟଙ୍କା ଗା‌ଏବ୍ ହୋଇଗଲା। ଏ ନେଇ ସେ ଚନ୍ଦ୍ରଶେଖରପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ମାମଲା ତାଙ୍କ ମ୍ୟାଟର୍‌ ନୁହେଁ ବୋଲି କହି ଚନ୍ଦ୍ରଶେଖରପୁର ଥାନା ପୁଲିସ ତାଙ୍କୁ ସାଇବର ଥାନାକୁ ପଠାଇ ଦେଲା। ତେଣୁ ମନୋଜ କଟକ ସାଇବର ଥାନାର ଦ୍ବାରସ୍ଥ ହେଲେ। ସେଠାରେ ତାଙ୍କୁ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା। ଶେଷରେ ଏହି ଠକେଇ ମାମଲାରେ ତାଙ୍କର ସବୁ ଭୁଲ୍‌ ବୋଲି ସାଇବର ଥାନା ପୁଲିସ ମତ ଦେଲା। ତାଙ୍କ ଉପରେ ସବୁ ଦୋଷ ଲଦି ଦେବା ପରେ ଅବଶ୍ୟ ଏତଲା ରଖିଲା। ୧୦ ଦିନ ପରେ ଏତଲାର ନକଲ ଡାକ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସାଇବର ଥାନା ପକ୍ଷରୁ ତାଙ୍କୁ କୁହାଯାଇଥିଲା। କିଛିଦିନ ଅପେକ୍ଷା କରିବା ପରେ ମନୋଜ ପୁଣି ଥରେ କଟକ ଯାଇ ଏତଲା କପି ବାବଦରେ ଓ ତଦନ୍ତ ବାବଦରେ ପଚାରି ବୁଝିଥିଲେ। ତଦନ୍ତ ବାବଦରେ ତାଙ୍କୁ କୌଣସି ସୂଚନା ଦିଆଗଲା ନାହିଁ। ଏତଲା ନକଲ ଭୁବନେଶ୍ବର ଡିସିପିଙ୍କ ନିକଟକୁ ପଠାଯାଇଛି ବୋଲି ତାଙ୍କୁ କୁହାଗଲା। ସେ ଭୁବନେଶ୍ବର ଡିସିପି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ଯିବା ପାଇଁ କୁହାଗଲା। ସେ ଚନ୍ଦ୍ରଶେଖରପୁର ଥାନାକୁ ଯାଇ ବୁଝିବା ପରେ ସେଠାରେ ମଧ୍ୟ ଏତଲା କପି ନଥିବା ଜଣାପଡ଼ିଥିଲା। ଦୁଇ ଚାରି ଥର ଦୌଡ଼ିବା ପରେ ଡିସେମ୍ବର ୧୧ ତାରିଖରେ ତାଙ୍କୁ ସାନି ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଲା। ତେଣୁ ବାଧ୍ୟ ହୋଇ ମନୋଜ ଆଉ ଥରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କଲା ଓ ଏହାର ନକଲ ମିଳିଥିଲା। ଏହା କିଛି କମ୍‌ ବଡ଼ ଯନ୍ତ୍ରଣା ନଥିଲା ବୋଲି କହିଛନ୍ତି ମନୋଜ। ସେହିଭଳି କ୍ରେଡିଟ୍‌ କାର୍ଡରୁ କଟିଥିବା ଟଙ୍କା ତୁରନ୍ତ ଜମା କରିବାକୁ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ବାରମ୍ବାର ହେଉଥିବା ଫୋନ୍ ମଧ୍ୟ ମନୋଜଙ୍କୁ ବେଶ୍ ମାନସିକ ଯନ୍ତ୍ରଣା ଦେଇଥିଲା।

ମନୋଜଙ୍କ ଭଳି ଏମିତି ଶହ ଶହ ଘଟଣାରେ ଅନେକଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି ଯେ ଏଭଳି ଠକେଇ ଘଟଣାକୁ ପରିଚାଳନା କରିବା ପାଇଁ ସବୁ ଥାନାରେ ଅତି କମ୍‌ରେ ଦୁଇ ଜଣ ତାଲିମପ୍ରାପ୍ତ ଅଧିକାରୀ ରହିବା ଆବଶ୍ୟକ। ଅନ୍ତତଃପକ୍ଷେ ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ କରି ସେମାନଙ୍କୁ ସେଠାରେ କାଉନସେଲିଂ କରିପାରିଲେ ଭଲ ହେବ। ଫଳରେ ଅଭିଯୋଗକାରୀ ହୁଏତ ଦ୍ବିତୀୟ ଥର ସାଇବର ଠକଙ୍କ ଜାଲରେ ପଡ଼ିବ ନାହିଁ। ପୁଣି ସେଠାରୁ ସେ ସାଇବର ଠକେଇ ସମ୍ପର୍କରେ ହାସଲ କରିଥିବା ଜ୍ଞାନକୁ ସାଙ୍ଗସାଥୀ, ସମ୍ପର୍କୀୟ ଓ ଅନ୍ୟମାନଙ୍କୁ ବାଣ୍ଟିପାରିବେ। ସେହିପରି ସାଇବର ଠକେଇ କ୍ଷେତ୍ରରେ ଲୋକେ କିଭଳି ଫୋନ କଲ୍ ଯାଞ୍ଚ କରିବେ, ତାହାର ବ୍ୟବସ୍ଥା ମଧ୍ୟ କରାଯିବା ଦରକାର। ପୁଲିସ ପକ୍ଷରୁ ୱେବସାଇଟ୍ ଖୋଲାଯାଇ ସେଥିରେ ଏକାଧିକ ବିଶେଷଜ୍ଞଙ୍କୁ ରଖାଯାଇ ପାରିବ। କେହି ପ୍ରଶ୍ନ କଲେ, ସାଇବର ବିଶେଷଜ୍ଞମାନେ ତାହାର ଉତ୍ତର ଦେଇ ଲୋକଙ୍କ ସନ୍ଦେହ ଦୂର କରିବେ। ସେହିପରି ସାଇବର ଠକେଇ ସଂକ୍ରାନ୍ତରେ ପୁଲିସ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିପାରିଲେ, ଲୋକେ ବହୁ ମାତ୍ରାରେ ରକ୍ଷା ପାଇପାରିବେ।

ସମ୍ବନ୍ଧିତ ଖବର