ସାଇବର୍‌ ଠକେଇର ଅଡ଼ୁଆ ଜାଲ : ସୁନ୍ଦରୀ ଝିଅ.. ଭିଡିଓ ଚାଟିଂ.. ହନିଟ୍ରାପ୍‌…

ହନିଟ୍ରାପ୍‌ରୁ ବର୍ତ୍ତିଗଲେ ଯୁବକ

ଭୁବନେଶ୍ବର : ନୂଆ ନୂଆ ତରିକାରେ ଠକି ଚାଲିଛନ୍ତି ସାଇବର ଠକ। ଏବେ ଫେସ୍‌ବୁକରେ ବନ୍ଧୁତା ନାଁରେ ସର୍ବାଧିକ ଠକେଇ, ବ୍ଲାକ୍‌ମେଲିଂ ହେଉଥିବା ନଜରକୁ ଆସିଛି। ଫେସ୍‌ବୁକରେ ବନ୍ଧୁତା କରିବା ପରେ ହନିଟ୍ରାପରେ ପକାଇ ଲୁଟୁଛନ୍ତି ସାଇବର ଠକ। ବିଦେଶୀ ଯୁବତୀଙ୍କ ନାଁରେ ଜାଲ୍‌ ଆକାଉଣ୍ଟ ଖୋଲି ଫସାଉଛନ୍ତି। ତେବେ ଏଭଳି ଏକ ଠକେଇରୁ ବର୍ତ୍ତି ଯାଇଛନ୍ତି ରାଜଧାନୀର ଜଣେ ଯୁବକ। ଟଙ୍କା ଦେବା ପୂର୍ବରୁ ଜଣେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଠକାମିରୁ ରକ୍ଷା ପାଇ ଯାଇଛନ୍ତି।

ବ୍ରିଟେନ୍ ଯୁବତୀଙ୍କ ପ୍ରେମରେ ପଡ଼ି ଚାଟିଂ କରୁଥିଲେ
୫୭ ଲକ୍ଷର ଲୋଭ ଦେଖାଇ ମାଗୁଥିଲା ୪୫ ହଜାର
ବିଶ୍ବାସ ଜନ୍ମାଇବା ପାଇଁ ପଠାଇଥିଲା ବିମାନ ଟିକଟ

ସୂଚନାନୁସାରେ, ରାଜଧାନୀର ଏହି ଯୁବକଙ୍କ ସହ ଫେସ୍‌ବୁକ୍‌ରେ ଜଣେ ବ୍ରିଟିସ୍‌ ଯୁବତୀ ଜେନିଫର୍‌ ଵିଲିୟମସନ୍ ବନ୍ଧୁତା କରିଥି‌ଲେ। ଯୁବକ ଜଣକ ସେହି ଫେସ୍‌ବୁକ୍‌ ଆକାଉଣ୍ଟକୁ ଯାଞ୍ଚ କରି ଅସଲି ବୋଲି ଜାଣିବା ପରେ ବନ୍ଧୁତା କରିଥିଲେ। ଦୁଇ ତିନି ଦିନ ଚାଟିଂ କରିବା ପରେ ଜେନିଫର୍‌ ଯୁବକଙ୍କ ଫୋନ୍ ନମ୍ବର ମାଗି ନେଇଥିଲେ। ହ୍ବାଟସଆପ୍ ଚାଟିଂ ପରେ ଭିଡିଓ କଲିଂ ମଧ୍ୟ ହେଉଥିଲା। ଜେନିଫର୍‌ ତାଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ବୋଲି କହୁଥିଲେ ଓ ତାଙ୍କୁ ଦେଖିବାକୁ ସେ ବ୍ୟାକୁଳ ହେଉଥିବା ମଧ୍ୟ ଚାଟିଂ କରିଥିଲେ। ଏହା ପରେ ଦୁଇ ଦିନ ତଳେ ସେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ବୋଲି ଏକ ବିମାନ ଟିକେଟ୍‌ ଫଟୋ ପଠାଇଥିଲେ। ସାଙ୍ଗରେ ୬୦ ହଜାର ପାଉଣ୍ଡ(ଭାରତୀୟ ମୁଦ୍ରାରେ ପ୍ରାୟ ୫୭ ଲକ୍ଷ ଟଙ୍କା) ଆଣିଛନ୍ତି ବୋଲି ଫୋନ୍ କରି କହିଥିଲେ। ତେବେ ଏହା ଡିମାଣ୍ଡ୍‌ ଡ୍ରାଫ୍ଟ ଯୋଗୁଁ ସେ ଅସୁବିଧାରେ ପଡ଼ି ଯାଇଛନ୍ତି। ଏହି ଡିମାଣ୍ଡ୍‌ ଡ୍ରାଫ୍ଟକୁ ଭଙ୍ଗାଇବା ଲାଗି ୪୫ ହଜାର ୫୦୦ ଟଙ୍କା ଦରକାର ଅଛି। ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ଲାଗି ଜେନିଫର୍‌ ଅନୁରୋଧ କରିଥିଲେ। ଏଥିପାଇଁ ସେ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା କାଳୀବାଡ଼ିସ୍ଥିତ କାନାରା ବ୍ୟାଙ୍କ୍‌ର ଆକାଉଣ୍ଟଧାରୀ ରୁସ୍ତମ୍‌ ଅଲ୍ଲୀଙ୍କ ଆକାଉଣ୍ଟ (୩୬୪୩୧୦୧୦୦୭୭୧୦)କୁ ଟଙ୍କା ପଠାଇବା ଲାଗି ହ୍ବାଟ୍‌ସଆପ୍‌ରେ ମେସେଜ୍ କରିଥିଲେ।

ଏଥିରେ ଯୁବକଙ୍କର ସନ୍ଦେହ ହୋଇଥିଲା। ସେ ସାଇବର ବିଶେଷଜ୍ଞଙ୍କ ସହାୟତା ନେଇଥିଲେ। ଜେନିଫର୍‌ଙ୍କ ଫେସବୁକ୍ ଆକାଉଣ୍ଟ ଅସଲି ହୋଇଥିଲେ ମଧ୍ୟ ସେ ଏହି ଠକ ରୢାକେଟ୍‌ର ଜଣେ ସଦସ୍ୟ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଥିଲେ। ଏହା ପରେ ଯୁବକ ଜଣକ ଗତକାଲିଠାରୁ ଆଉ ଜେନିଫର୍‌ଙ୍କ ମୋବାଇଲ କଲ୍‌ ରିସିଭ୍ କରୁନାହାନ୍ତି। କିନ୍ତୁ ତାଙ୍କ ପାଖକୁ ଦୁଇ ଦିନ ହେଲା ଦିନକୁ ଶହେରୁ ଅଧିକ କଲ୍ ଓ ହ୍ବାଟସ୍‌ଆପ୍ ମେସେଜ୍ ଆସୁଛି। ଏ ନେଇ ସେ ସାଇବର ସହାୟତା କେନ୍ଦ୍ରର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଫଳରେ ପୁଲିସ ସେହି ନମ୍ବରକୁ ବନ୍ଦ କରିପାରିଲେ ଅନ୍ୟ କେହି ଠକାମିରୁ ରକ୍ଷା ପାଇପାରିବେ। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, ଏଭଳି ଠକେଇ ନୂଆ ନୁହେଁ। ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରୁ ପ୍ରତ୍ୟେକ ଦିନ ଏଭଳି ଠକେଇ ଘଟଣା ବଢ଼ି ଚାଲିଛି। ଅଜଣା ବନ୍ଧୁତାକୁ ଗ୍ରହଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର