ଅନ୍‌ଲଇନ୍‌ରେ ଫଳ ମଗାଇ ଫସିଗଲେ ବେପାରୀ: ୧ ଲକ୍ଷ ୭୦ ହଜାର ନେଇଗଲା ଠକ

ଭୁବନେଶ୍ବର : ଠକମାନେ ଏବେ ନୂଆ ନୂଆ ଢଙ୍ଗରେ ସରଳ ବିଶ୍ବାସୀ ଲୋକଙ୍କୁ ଜାଲରେ ପକାଇ ଲୁଟୁଛନ୍ତି। ଏଭଳି ଏକ ଭିନ୍ନ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି ଅଶୋକନଗରର ଜଣେ ଫଳ ବେପାରୀ। ଇଣ୍ଟରନେଟ୍‌ରୁ ନମ୍ବର ପାଇଥିବା ଫଳ ହୋଲ୍‌ସେଲର୍‌ଠାରୁ ଫଳ ମଗାଇ ସେ ୧ ଲକ୍ଷ ୭୧ ହଜାର ଟଙ୍କା ଠକାମିର ଶିକାର ହୋଇଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

ଠକେଇର ଶିକାର ହୋଇଥିବା ଫଳ ବେପାରୀ ହେଉଛନ୍ତି ଖାରବେଳ ନଗର ଅଞ୍ଚଳର ଅରୁଣ କୁମାର ସାହୁ। ଅଶୋକ ନଗରରେ ତାଙ୍କର ହୋଲ୍‌ସେଲ୍‌ ସଂସ୍ଥା ରହିଛି। ଗତ ଏପ୍ରିଲ ମାସରେ ଅନ୍‌ଲାଇନ୍‌ରେ କେଉଁ କେଉଁ ସଂସ୍ଥା ହୋଲ୍‌ସେଲର୍ କମ୍‌ ଦରରେ ଫଳ ଦେଉଛନ୍ତି ଖୋଜିବାବେଳେ ସେ କର୍ଣ୍ଣାଟକର ଏକ ସଂସ୍ଥା ତାଜ୍‌ ଫ୍ରୁଟ୍‌ସ୍‌ ବିଷୟରେ ଜାଣିଥିଲେ। ଆଉ ଦିଆଯାଇଥିବା ମୋବାଇଲ ନମ୍ବର(୯୮୪୫୯୨୭୩୪୬)ରେ ଯୋଗାଯୋଗ କରିଥିଲେ। ଫୋନ୍‌ରେ କଥା ହୋଇଥିବା ଯୁବକ ନିଜକୁ ମହମ୍ମଦ ମୁବାରକ ବୋଲି କହିଥିଲା। ପ୍ରଥମେ ସେ ବିଭିନ୍ନ ଫଳର ନମୁନା ଓ ଦର ହ୍ବାଟ୍‌ସ୍‌ଆପ୍‌ରେ ପଠାଇଥଲା। ଅରୁଣଙ୍କର ପସନ୍ଦ ହେବାରୁ ସେ ତାଙ୍କଠାରୁ ଟ୍ରକ୍‌ ଭର୍ତ୍ତି ଆମ୍ବ ଓ ତରଭୁଜ ମଗାଇଥିଲେ। ପ୍ରଥମେ ୨୦ ହଜାର ଟଙ୍କା ମୁବାରକ୍‌ ଆକାଉଣ୍ଟରେ ଅରୁଣ ଜମା କରିବା ପରେ ଟ୍ରକ୍‌ରେ ଫଳ ଲୋଡ୍‌ ହୋଇଥିଲା। ଏହାର ଦୃଶ୍ୟ ମୁବାରକ୍‌ ଭିଡିଓ କଲ୍‌ ଜରିଆରେ ଦେଖାଇଥିଲେ। ଟଙ୍କାର ରସିଦ୍‌ ଓ ଟ୍ରକ୍‌ ଓଜନ ହୋଇଥିବା ରସିଦ୍‌ ମଧ୍ୟ ମୁବାରକ ପଠାଇଥିଲା। ସେଠାରେ ଯାହାଯାହା ଘଟୁଥିଲା ତାହାର ଫଟୋ ସହ ଭିଡିଓ କଲ୍‌ରେ ଟ୍ରକ ଭୁବନେଶ୍ବର ଅଭିମୁଖେ ବାହାରିଥିବା ମଧ୍ୟ ଦେଖାଇଥିଲା। ଏପରିକି ଟ୍ରକ ବ୍ରହ୍ମପୁରରରେ ପହଂଚି ସାରିଥିବା କହି ୫ଦଫାରେ ପୂରା ଟଙ୍କା(୧ ଲକ୍ଷ ୭୧ ହଜାର) ନେଇ ଯାଇଥିଲା। ଟଙ୍କା ନେଇ ଯିବା ପରେ ତା’ ସହ ଆଉ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା। ଅରୁଣ ଠକାମିରେ ପଡ଼ିଥିବା ଜାଣିବା ପରେ ଗତ ମେ’ ମାସରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ସମସ୍ତ ରସିଦ୍‌, ମୋବାଇଲ ନମ୍ବର, ଆକାଉଣ୍ଟ ନମ୍ବର ଆଧାରରେ ପୁଲିସ ତଦନ୍ତ ଚଳାଇ‌ଥିଲେ ମଧ୍ୟ ଏଯାଏ ଠକ ନିକଟରେ ପହଞ୍ଚି ପାରିନାହିଁ।

ଅନ୍‌ଲାଇନ୍‌ରେ ଫର୍ଣ୍ଣିଚର କିଣୁକିଣୁ ୪୩ ହଜାର ଉଡ଼ିଗଲା
ଚନ୍ଦ୍ରଶେଖରପୁର : ଓଏଲ୍‌ଏକ୍ସରେ ଆସିଥିବା‌ ଏକ ବିଜ୍ଞାପନ ଦେଖି ଫର୍ଣ୍ଣିଚର କିଣିବାକୁ ଯାଇ ଜଣେ ଯୁବକ ୪୩ ହଜାର ଟଙ୍କା ହରାଇଛନ୍ତି। ଠକାମିର ଶିକାର ହୋଇଥିବା ଯୁବକ ହେଲେ କାନନବିହାର ଅଞ୍ଚଳର ଅମର ପାତ୍ର। ଓଏଲ୍‌ଏକ୍ସରେ ଥିବା କିଛି ଫର୍ଣ୍ଣିଚର ଦେଖି ଅମର କିଣିବାକୁ ମନ କରିଥିଲେ ଏବଂ ଦିଆ ଯାଇଥିବା ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରି ଦର ଛିଡ଼ାଇଥିଲେ। ଦର ଛିଡ଼ିବା ପରେ ସେ ଜଣଙ୍କ ଆକାଉଣ୍ଟକୁ ୪୩ ହଜାର ଟଙ୍କା ଅନ୍‌ଲାଇନ୍ ଜରିଆରେ ପଠାଇ ଦେଇଥିଲେ। କିନ୍ତୁ ଧାର୍ଯ୍ୟ ସମୟରେ ଜିନିଷ ତାଙ୍କ ପାଖରେ ପହଞ୍ଚିନଥିଲା। ତେଣୁ ସେ ଉକ୍ତ ମୋବାଇଲ୍‌ ନମ୍ବରରେ ପୁଣି ଫୋନ୍‌ କରିଥିଲେ। ହେଲେ ଉକ୍ତ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା। ବାରମ୍ବାର ଚେଷ୍ଟା କରିବା ପରେ ଅମର ଉକ୍ତ ଠକକୁ ଫୋନ୍‌ ଯୋଗେ ପାଇନଥିଲେ। ତେଣୁ ତାହା ଏକ ନକଲି ଓଏଲ୍‌ଏକ୍ସ ସାଇଟ୍‌ ଥିଲା ଏବଂ ଠକ ଜଣକ ଅମରକୁ ଚୁନ ଲଗାଇଲା ବୋଲି ବୁଝିବା ପରେ ଅମର ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର