ଚନ୍ଦ୍ରଶେଖରପୁରରେ ସାଇବର୍ ଠକେଇ : ମୋବାଇଲ୍ ‌ରିଚାର୍ଜ ନାମରେ ଲୁଟିନେଲେ ୧୦ ହଜାର

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ସାଇବର୍ ଠକେଇର ଶିକାର ହୋଇଛନ୍ତି। ସେ ହେଲେ, ବିଡିଏ କଲୋନିର ପ୍ରଶାନ୍ତ କୁମାର ସିଂ। ଗତକାଲି ସେ ଅନଲାଇନ୍‌ରେ ନିଜ ମୋବାଇଲ୍ ରିଚାର୍ଜ କରୁଥିବା ବେଳେ ଠକେଇର ଶିକାର ହୋଇ ୧୦ ହଜାର ଟଙ୍କା ହରାଇଛନ୍ତି। ଏ ସଂପର୍କରେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହା ଏକ ସାଇବର୍ ଅପରାଧ ହୋଇଥିବାରୁ ପୁଲିସ୍ ସାଇବର୍ ଅପରାଧ ନିୟନ୍ତ୍ରଣ ପୁଲିସ୍ ବିଭାଗର ସହାୟତା ଲୋଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରଶାନ୍ତ ତାଙ୍କ ମୋବାଇଲ୍ ରିଚାର୍ଜ କରିବା ପାଇଁ ଏକ ଆପ୍ସ ଡାଉନଲୋଡ୍‌ କରିଥିଲେ। ସେଥିରେ ସେ ମୋବାଇଲ୍‌ ରିଚାର୍ଜ କରିବା ବେଳେ ଏକ ଅପସନ୍ ଆସିଥିଲା, ଯେଉଁଥିରେ ସେ ରିଚାର୍ଜ କଲେ ତାଙ୍କୁ ରିହାତି ମିଳିବ ବୋଲି ଲେଖାଥିଲା। ଏଥିରେ ପ୍ରଲୋଭିତ ହୋଇ ସେ ନିଜର ସମସ୍ତ ବିବରଣୀ ଦେଇ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍ ଆସିଥିଲା ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟି ଯାଇଛି। ଏ ସଂପର୍କରେ ପ୍ରଶାନ୍ତ ଆଜି ସକାଳେ ବ୍ୟାଙ୍କ ଓ ପରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି।

ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଲୋକମାନେ ଅନଲାଇନ୍‌ରେ କୌଣସି ଆର୍ଥିକ କାରବାର କରୁଥିବା ବେଳେ ନିଜର ସମସ୍ତ ବିବରଣୀ ନଦେବା ପାଇଁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ଲୋକେ ତାହାକୁ ମାନୁ ନଥିବାରୁ ଠକାମିର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର