ଭୁବନେଶ୍ୱର : ଅନ୍ଲଇନ୍ କାରବାର ଏବେ ଯଥେଷ୍ଟ ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ମଧ୍ୟ ଅପରାଧୀ ଅଧିକ ସକ୍ରିୟ ହୋଇଛନ୍ତି ଓ ଏହାକୁ ଟାର୍ଗେଟ କରିଛନ୍ତି। ଦୂରରେ ବସି କେତୋଟି ସଂଖ୍ୟା ଜରିଆରେ କୋଟି କୋଟି ଟଙ୍କା ହଡପ୍ କରି ନେଉଛନ୍ତି। ୱେବ୍ସାଇଟ୍ ହ୍ୟାକ୍ କରି ବଡ଼ ବଡ଼ କମ୍ପାନି ଓ ସରକାରଙ୍କୁ ଅକଳରେ ପକାଇ ଦେଉଛନ୍ତି। ଏହାକୁ ରୋକିବାକୁ ହେଲେ ଜନଜାଗରଣ ସହ ପୁଲିସର ଦକ୍ଷତା ବିକାଶ ଜରୁରି ହୋଇପଡ଼ିଛି।
ବୈଦ୍ୟୁତିକ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ହେଉଥିବା ସାଇବର ସୁରକ୍ଷା ଓ ନିରାପତ୍ତା ସଚେତନତା ସପ୍ତାହ ପାଳନର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହା କହିଛନ୍ତି। ଆଇଆଇଆଇଟି କଲେଜ, ଆଇଏସ୍ଇଏ, ସାଇବର ଦୋସ୍ତ, କେନ୍ଦ୍ର ଓ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ଏବଂ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ଜୟଦେବ ଭବନ ପରିସରରେ ଆୟୋଜିତ ଉତ୍ସବରେ ଶ୍ରୀ ତ୍ରିପାଠୀ ମଧ୍ୟ ଏକ ବୁଲେଟିନ୍ ଉନ୍ମୋଚନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇ ସାଇବର ଅପରାଧର ମୁକାବିଲା କରିବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସରକାରୀ ୱେବ୍ସାଇଟ୍ ହ୍ୟାକ୍ କରି ଅପରାଧୀ ବିଭିନ୍ନ ଅପରାଧ ଘଟାଇବାର ଆଶଙ୍କା ଥିବାରୁ ଏଗୁଡ଼ିକର ଅଡିଟିଂ କରିବାକୁ ଆଇଆଇଟିକୁ ଦିଆଯାଇଛି। ନିୟମିତ ଅଡିଟିଂ ହେଲେ ଏଗୁଡ଼ିକ ହ୍ୟାକ୍ ହୋଇ ପାରିବ ନାହିଁ ବୋଲି ସେ ସୂଚନା ଦେଇଥିଲେ। ଆଇଆଇଆଇଟିର ଡ. ଗୋପାଳକୃଷ୍ଣ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଆଇଆଇଟି ଡିନ୍ ଦେବାଶିଷ ଜେନା ସଚେତନତା ଅଭାବରୁ କିଭଳି ଅପରାଧୀ ତାର ଫାଇଦା ନେଉଛନ୍ତି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ୭୦ରୁ ଊର୍ଦ୍ଧ୍ବ ସରକାରୀ ୱେବ୍ସାଇଟ୍ ଅଡିଟିଂ ପାଇଁ ଆସିଛି। ସେଥିରୁ ୩୫ଟି ଅଡିଟିଂ ଶେଷ ହୋଇଛି। ଯାହାକୁ ହ୍ୟାକ୍ କରିବା ସହଜ ହେବ ନାହିଁ। ଅନ୍ୟ ୩୫ଟି ଖୁବ୍ଶୀଘ୍ର ନିରାପଦ ଘୋଷଣା ହେବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇଆଇଆଇଟିର ଡ. ଶୁଭେନ୍ଦୁ ରୂପ ଧନ୍ୟବାଦ ଦେଇଥିଲେ।
ପୂର୍ବରୁ ଏକ କର୍ମଶାଳାରେ ରାଜ୍ୟ ପୁଲିସ ଓ କ୍ରାଇମ୍ ବ୍ରାଞ୍ଚର ୩୦ଜଣ ଅଧିକାରୀଙ୍କ ସମେତ ଇଞ୍ଜିନିୟରିଂ ଓ ଡିପ୍ଲୋମା ସ୍କୁଲର ୩୦ ଜଣ କର୍ମଚାରୀ ଏବଂ ବିଭିନ୍ନ ସରକାରୀ ବିଭାଗରୁ ୧୭ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରର ୩୦ଟି ବିଦ୍ୟାଳୟ ଓ ୨୦ଟି କଲେଜରେ ୬୦ଟି ଶିବିର ଅନୁଷ୍ଠିତ ହେବ। ଏଥିରେ ଏହି ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। ଏଥିସହ ରୋଡ୍ ସୋ, ରୢାଲି, ପଥପ୍ରାନ୍ତ ନାଟକ ଏବଂ ୱାକାଥନ୍ର ମଧ୍ୟ ଆୟୋଜନ କରାଯିବ। ଏହି କ୍ରମରେ ଆଜି ଜୟଦେବ ଭବନରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ୱାକାଥନ୍ ହୋଇଥିଲା।