ସୀମା ଟପିଲାଣି ସାଇବର ଅପରାଧ

୨୦୨୦ରେ ୩୧% ମାମଲା ବଢ଼ିଛି
ଲକ୍‌ଡାଉନ୍‌ରେ ସର୍ବାଧିକ ଠକେଇ
ସଚେତନତା ସୃଷ୍ଟିରେ ପୁଲିସ ଫେଲ୍

ଭୁବନେଶ୍ବର : ରାଜ୍ୟରେ ସାଇବର ଅପରାଧୀଙ୍କ କାରନାମା ସବୁ ସୀମା ଟପି ଯାଇଛି। ଗତବର୍ଷ ସାଇବର ଠକ ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ସାଇବର ଠକେଇ ମାମଲା ସଂଖ୍ୟା ୧୪୭୫ ଥିବାବେଳେ ୨୦୨୦ରେ ଏହା ୩୧ ପ୍ରତିଶତ ଏହି ମାମଲା ବୃଦ୍ଧି ପାଇ ୧୯୩୧ରେ ପହଞ୍ଚିଛି। ସୂଚନାଯୋଗ୍ୟ, ୨୦୧୮ରେ ରାଜ୍ୟରେ କେବଳ ୮୪୩ଟି ସାଇବର ମାମଲା ରୁଜୁ ହୋଇଥିଲା। ଯାହା ପୁଲିସ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଏହା କେବଳ ପଞ୍ଜୀକୃତ ମାମଲା ହୋଇଥିବା ବେଳେ ଠକେଇ ସଂଖ୍ୟା ଏହାର ତିନି ଗୁଣା ହେବ ବୋଲି କୁହାଯାଉଛି।

ମିଳିଥିବା ତଥ୍ୟ ଅନୁସାରେ, ଯେତେବେଳେ କରୋନା ପ୍ରକୋପ ଓ ଲକ୍‌ଡାଉନ୍ ଜାରି ରହିଥିଲା; ସେହି ସମୟରେ ସାଇବର ଅପରାଧ ଶୀର୍ଷରେ ପହଞ୍ଚିଥିଲା। କରୋନା ସଂକ୍ରମଣ ଆରମ୍ଭରୁ ଯେତେବେଳେ ସାନିଟାଇଜର, ପିପିଇ କିଟ୍ ଓ ଅନ୍ୟ କୋଭିଡ ସାମଗ୍ରୀର ଅଭାବ ଦେଖା ଦେଇଥିଲା, ସେତେବେଳେ ସାଇବର ଅପରାଧୀ ଅନ୍‌ଲାଇନ୍‌ରେ ଜାଲ ବିଜ୍ଞାପନ ଦେଇ ଲୁଟିବା ଆରମ୍ଭ କରି ଦେଇଥିଲେ। କୋଟିକୋଟି ଟଙ୍କା ଠକି ନେଇଥିଲେ ମଧ୍ୟ ଗୋଟିଏ ମାମଲାରେ ମଧ୍ୟ ଠକଙ୍କୁ ଠାବ କରିପାରି ନ ଥିଲା କ୍ରାଇମବ୍ରାଞ୍ଚ। କେବଳ ଆଡଭାଇଜରି ଜାରି କରିବା ସହ ଠକଙ୍କ ଜାଲରେ ନ ପଡ଼ିବା ପାଇଁ ପରାମର୍ଶ ଦେଇ ଚୁପ୍ ବସି ଯାଇଥିଲା। ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ମଦ ହୋମ୍ ଡେଲିଭରି ନାଁରେ ଚାଲିଥିଲା ବେଧଡ଼କ ଠକେଇ। ଜଣାଶୁଣା ମଦ ଦୋକାନ ନାଁରେ ସାଇବର ଠକ କୋଟିକୋଟି ଟଙ୍କା ଲୁଟି ନେଇଥିଲେ। ସେହିପରି ରାଜଧାନୀର ନାମୀ ରେସ୍ତୋରାଁ ନାଁରେ ଅନ୍‌ଲାଇନ୍‌ରେ ଜାଲ ବିଜ୍ଞାପନ ଦେଇ ଲକ୍ଷଲକ୍ଷ ଟଙ୍କା ଉଡାଇ ନେଇଥିଲେ ଲୁଟେରା। ମୋବାଇଲ ଫୋନ୍, ଟିଭି ରିଚାର୍ଜ, କୋରିଅର, ଏଟିଏମ୍ ଓ ଡେବିଟ୍ କାର୍ଡ ଯାଞ୍ଚ ନାଁରେବି ଠକି ଚାଲିଥିଲେ ଠକ। କିନ୍ତୁ କେବଳ ଜଳକା ହୋଇ ରହିଥିଲା ପୁଲିସ।

ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ସମୟରେ ଲୋକଙ୍କର ଯିବା ଆସିବା ବନ୍ଦ ହୋଇ ଯାଇଥିଲା। ମୋବାଇଲ ଫୋନ୍ ଓ ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବହାର ବଢି ଯାଇଥିଲା। ଯାହା ଫଳରେ ଲୋକ ଅଧିକରୁ ଅଧିକ ଠକେଇର ଶିକାର ହୋଇଥିଲେ। ଯଦି ଠକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ଥିଲା; ତାହେଲେ ବ୍ୟାପକ ସଚେତନତା କାହିଁକି ଜାରି କଲା ନାହିଁ ବୋଲି ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି। ସଚେତନା ଅଭାବରୁ ଠକେଇ ଶୀର୍ଷରେ ପହଞ୍ଚିଥିଲା।

ଏଣିକି ସାଇବର ଠକେଇକୁ ରୋକିବା ଲାଗି ପୁଲିସକୁ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ୬ଟି ବିଭାଗରେ ୧୮ ଅନଲାଇନ୍ କୋର୍ସ ତାଲିମ ଦିଆଯିବ ବୋଲି ଜଣାପଡିଛି। ସାଇବର ଇନଭେଷ୍ଟିଗେସନ୍, ଇଣ୍ଟେଲିଜେନ୍ସ, ଫାଷ୍ଟ ରେସ୍‌ପଣ୍ଡର, ସାଇବର ଫରେନସିକ୍, ମ୍ୟାନେଜମେଣ୍ଟ ଓ ପ୍ରସିକ୍ୟୁସନରେ କ୍ଷେତ୍ରରେ ଏହି ତାଲିମ ଦିଆଯିବ। ଏହା ପୂର୍ବରୁ ନ୍ୟାସନାଲ ପୁଲିସ ଏକାଡେମୀ(ଏନପିଏ) ପକ୍ଷରୁ ସାଇବର ତଦନ୍ତ ଉପରେ ତାଲିମ ଦିଆଯାଇଛି।

ସମ୍ବନ୍ଧିତ ଖବର