ସାଇବର ଅପରାଧ କମିସନରେଟ୍ ପୁଲିସ ପାଇଁ ନୂଆ ଆହ୍ବାନ, ଅପରାଧ ନିୟନ୍ତ୍ରଣ ପଦକ୍ଷେପ ପ୍ରଶଂସନୀୟ: ଡିଜିପି

ଭୁବନେଶ୍ବର : କମିସନରେଟ୍ ପୁଲିସର ୧୪ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ୍‌ରେ ଯୋଗ ଦେଇ କହିଛନ୍ତି, ସଂଗଠିତ ଅପରାଧ, ନିଶା ଜବତ ଓ ଅସ୍ତ୍ରଶସ୍ତ୍ର ଜବତ କରିବାରେ ନିକଟ ଅତୀତରେ କମିସନରେଟ୍ ପୁଲିସ ସଫଳତା ହାସଲ କରିଛି। ଦ୍ବୈତନଗରୀରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏଥିସହ ସାଇବର ଅପରାଧ ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହିସବୁ ଦିଗରେ କମିସନରେଟ୍ ପୁଲିସ ସଫଳତାର ସହ ଆଗକୁ ବଢ଼ୁଥିବାରୁ ପୁଲିସ ଡିଜି ସୁନୀଲ ବଂଶଲ ପ୍ରଶଂସା କରିଛନ୍ତି।

ସେହିପରି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କମିସନରେଟ୍ ପୁଲିସ ଅଧିକାରୀଙ୍କ ସାମୂହିକ ବିକାଶ ପାଇଁ ୨୦୨୧ରେ ବରିଷ୍ଠ ପୁଲିସ କର୍ମଚାରୀଙ୍କୁ ଅଣାଯାଇ ଇନ୍ସପେକ୍ଟର ଓ ତଦୁର୍ଦ୍ଧ୍ବ ରାଙ୍କ୍‌ର ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦ୍ବୈତନଗରୀ ଦ୍ରୁତ ଗତିରେ ବିକାଶ ହେବା ସହ ଜନ ସଂଖ୍ୟା ମଧ୍ୟ ୧୦ଲକ୍ଷରୁ ୨୫ଲକ୍ଷକୁ ଅତିକ୍ରମ କରିଛି। ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଇକୋନୋମିକ୍ ଜୋନଗୁଡ଼ିଏ ଗଢ଼ିଉଠିଛି। ଏଥିସହ ଭୁବନେଶ୍ୱର ଆଜି ଦେଶରେ ହକିର ରାଜଧାନୀ ଭାବେ ଉଭା ହୋଇଛି। ଏହା ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଟ୍ବିନସିଟିରେ ୫ଟି ନୂଆ ଥାନା ଉଦ୍‌ଘାଟନ କରିଛନ୍ତି। ପାହାଳ, ଇନ୍‌ଫୋଭ୍ୟାଲି ଓ ବୟାଳିଶ ମୌଜାକୁ ଥାନାରେ ପରିଣତ କରାଯାଇଥିବା ବେଳେ କଟକ ଓ ଭୁବନେଶ୍ବରରେ ୨ଟି ସାଇବର ଓ ଅର୍ଥନୈତିକ ଆପରାଧିକ ଥାନା ଖୋଲାଯାଇଛି। ଯାହା ଦ୍ବାରା ଜନସାଧାରଣ ଆହୁରି ସହଜରେ ପୁଲିସ ସେବା ପାଇପାରିବେ। ଏହି ଅବସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂହ, ଟ୍ରାଫିକ ଡିସିପି ଏସ୍‌. ସୁଶ୍ରୀ, କ୍ରାଇମ୍ ଡିସିପି ମାୟାଧର ସେଠୀ, ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର