ଏମିତି ଆମ ସାଇବର ଅପରାଧ ମୁକାବିଲା: ବଢ଼ିବଢ଼ି ଚାଲିଛି ମାମଲା, ସବୁ ଥାଇ ସମସ୍ତେ ଚୁପ୍

ଉଦ୍‌ଘାଟନର ୭ ମାସ ପରେ ବି କାମରେ ଆସୁନି ସାଇବର କଂପ୍ଲେକ୍ସ
ଶାଖା ଖୋଲି ଲୁଟୁଛନ୍ତି ଜମତରା ଗ୍ୟାଙ୍ଗ, ଏବେ କୋଭିଡ ଅସ୍ତ୍ର

ଭୁବନେଶ୍ବର, (ଶୁଭକାନ୍ତ ପଢ଼ିହାରୀ): ରାଜ୍ୟରେ ସାଇବର ଅପରାଧ ସଂଖ୍ୟା ଉଦ୍‌ବେଗଜନ ଭାବେ ବଢ଼ି ଚାଲିଛି। ପ୍ରତିଦିନ ଲମ୍ବୁଛି ଅଭିଯୋଗର ତାଲିକା। ସାଇବର ଅପରାଧୀଙ୍କ ପତ୍ତ‌ା ଲଗାଇବା ପାଇଁ ରାଜଧାନୀର ନଅ ତାଲା ନିକଟରେ ତିଆରି ହୋଇଛି ବିଶାଳ ସାଇବର କଂପ୍ଲେକ୍ସ। ଆଖି ଝଲସିଲା ଭଳି ବିରାଟ ଅଟ୍ଟାଳିକା। ଭିତରେ ପଡ଼ି ରହିଛି ମାଳମାଳ କମ୍ପ୍ୟୁଟ। କିନ୍ତୁ କାମ କରିବାକୁ କେହି ନାହାନ୍ତି। ମାତ୍ର ଜଣେ କର୍ମଚାରୀ ପୂରା କୋଠାକୁ ଜଗି ରହିଛନ୍ତି। ୭ ମାସ ତଳେ ଉଦ୍‌ଘାଟନ ହୋଇଥିବା ଏହି ସାଇବର କଂପ୍ଲେକ୍ସ ଏବେ ବି କାର୍ଯ୍ୟକ୍ଷମ ହୋଇନି। ଏଠି ସବୁକିଛି ବ୍ୟବସ୍ଥା ଥାଇ ବି ସମସ୍ତେ ଚୁପ୍ ବସି ଯାଇଛନ୍ତି।

ସାଇବର ଅପରାଧୀଙ୍କ ନିଶାଣରେ ରହିଛି ଓଡ଼ିଶା। ଖାସ୍ କରି ରାଜଧାନୀ ଭୁବନେଶ୍ବର। ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ ଭୁବନେଶ୍ବରରେ ଶାଖା ଖୋଲି ଲୁଟି ଚାଲିଛନ୍ତି। ଏବେ କୋଭିଡକୁ ଅସ୍ତ୍ର କରି ଜାଲ ବିଛାଇଛନ୍ତି ସାଇବର ଅପରାଧୀ। ସବୁଠୁ ବଡ଼ କଥା ହେଲା; ରାଜ୍ୟରେ ୨୦୧୮ରୁ ୨୦୨୦ ସୁଦ୍ଧା ତିନି ବର୍ଷ ଭିତରେ ୪୨୭୩ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ବଢ଼ିବଢ଼ି ଚାଲିଥିବା ସାଇବର ଅପରାଧୀଙ୍କ ମୁକାବିଲା ଲାଗି ରାଜଧାନୀରେ ତିଆରି ହୋଇଥିଲା ‘ସାଇବର କଂପ୍ଲେକ୍ସ’। ୨୦୨୦ ନଭେମ୍ବର ୨ ତାରିଖରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ପୁଲିସ ଡିଜି ଅଭୟ। ସାଇବର ମୁକାବିଲା ନେଇ ରଙ୍ଗିନ ସ୍ବପ୍ନ ଦେଖାଇଥିଲେ। ସାଇବର ମୁକାବିଲାରେ ଏହା ଏକ ପ୍ରମୁଖ ସ୍ଥାନ ନେବ ବୋଲି କହିଥିଲେ। ସୋସିଆଲ ମିଡିଆ ଅପରାଧକୁ ରୋକିବା ସହ ଅପରାଧୀକୁ ଧରିବା, ମହିଳା ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ସାଇବର ଅପରାଧର ପର୍ଦ୍ଦାଫାସ୍ କରିବା ଏହାର ଲକ୍ଷ୍ୟ ଥିଲା। ଏଥିସହ କଟକ ଭଳି ଭୁବନେଶ୍ବରରେ ସାଇବର ଥାନା ଖୋଲିଲା ବୋଲି କୁହାଯାଇଥିଲା। ସାଇବର ଅପରାଧକୁ ମୁକାବିଲା କରିବା ପାଇଁ ଏହି ନୂତନ କଂପ୍ଲେକ୍ସରେ ସିଡିଆର୍‌ ଆନାଲାଇଜର, ହାର୍ଡ ଡିସ୍କ ଇମାଜିଂ ଟୁଲ୍, ଫୋରେନସିକ୍ ଟୁଲ୍ କିଟ୍, ଭୋଲାଟାଇଲ୍ ଡାଟା ଆନାଲାଇଜର୍‌ ଟୁଲ୍, ମୋବାଇଲ ଫୋରେନସିକ୍ ୟୁନିଟ୍, ସେଲ୍ ଆଇଡି ଏକ୍ସଟ୍ରାକସନ୍ ଆଦି ରହିବ ବୋଲି ସୂଚନା ଦିଆଯାଇଥିଲା। ଏକଥା ବି କୁହାଯାଇଥିଲା ଯେ ଦେଶର ଏକ ଅତ୍ୟାଧୁନିକ ସାଇବର କଂପ୍ଲେକ୍ସ ଭାବେ ଏଠାରେ ଲାବ୍ କମ୍ ଟ୍ରେନିଂ ସେଣ୍ଟର ହେବ। ୨୦୨୨ ସୁଦ୍ଧା ପ୍ରତ୍ୟକ ଥାନାରୁ ଅନ୍ତତଃ ଜଣେ ଲେଖାଏଁ କର୍ମଚାରୀଙ୍କୁ ସାଇବର ଅପରାଧ ମୁକାବିଲା ଲାଗି ତାଲିମ ଦିଆଯିବ। ଏହା ସହ ସାଇବର ଅପରାଧରେ ଅପରାଧୀକୁ ଦଣ୍ଡବିଧାନ ହାର କମ୍ ରହୁଥିବାରୁ ଏହାକୁ ବଢ଼ାଇବା ପାଇଁ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ଏବଂ ଜୁଡିସିଆଲ ଅଫିସରଙ୍କୁ ତାଲିମ ଦେବାର ଲକ୍ଷ୍ୟ ରହିଥିଲା।

ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ୧୦ଟି ବ୍ୟାଚ୍‌ରେ ସବଇନ୍ସେପକ୍ଟର, ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାର ଶହେରୁ ଅଧିକ ଅଫିସରଙ୍କୁ ସାଇବର ଅପରାଧ ସଂକ୍ରାନ୍ତରେ ତାଲିମ ଦିଆସରିଛି। ଏହି କଂପ୍ଲେକ୍ସରେ କାର୍ଯ୍ୟ କରିବାକୁ ଥିବା କିଛି କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଛି। ମାତ୍ର ଉଦ୍‌ଘାଟନର ୭ ମାସ ପରେ ବି କୌଣସି ଗୋଟିଏ ହେଲେ ବିଭାଗ କାମ କରୁନି। ଏତେ ବଡ଼ ଅଟ୍ଟାଳିକାରେ ଏବେ କାଉ ଉଡ଼ୁଛନ୍ତି। ସେହିପରି ସାଇବର ଥାନାରୁ ମଧ୍ୟ ତାଲା ଖୋଲିପାରୁନି। ପ୍ରାୟ ପ୍ରତିଦିନ ଠକାମିର ଶିକାର ହେଉଥିବା ଲୋକ ଏଠାକୁ ଆସୁଛନ୍ତି। ଥାନା ବନ୍ଦ ଥିବା ଜାଣିବା ପରେ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ସାଇବର ସେଲ୍‌ରେ ଯାଇ ଅଭିଯୋଗ କରୁଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏଭଳି ତରବରିଆ ଭାବେ ଏହି କଂପ୍ଲେର ଉ୍‌ଦଘାଟନ କରାଗଲା? ରାଜ୍ୟ ସରକାରଙ୍କର କୌଣସି ବିଜ୍ଞପ୍ତି ନ ଥାଇ ମଧ୍ୟ ଥାନା ଖୋଲାଗଲା ବୋଲି କେମିତି ଗଣମାଧ୍ୟମରେ କୁହାଗଲା? ଥାନା ଓ ସାଇବର କଂପ୍ଲେକ୍ସ କେବେ କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ।

ସମ୍ବନ୍ଧିତ ଖବର