ଭୁବନେଶ୍ବର: ପ୍ରଦୂଷଣ ରୋକିବା ସହ ସହରବାସୀଙ୍କୁ ସାଇକେଲ୍ ଅଭ୍ୟସ୍ତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏମ୍ସିଏଲ୍) ‘ମୋ’ ସାଇକେଲ୍’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଏକଦା ଦିନକୁ ୩୦୦ ସାଇକେଲ୍ ବ୍ୟବହାର ହେଉଥିବା ବେଳେ, ଏବେ ଏହାର ବ୍ୟବହାର ସଂଖ୍ୟା ଶୂନକୁ ଆସିଯାଇଛି। ଠିକ୍ ସେହିଭଳି ୭ ବର୍ଷ ତଳେ ବିଏମ୍ସିକୁ ଦାନସୂତ୍ରରେ ମିଳିଥିବା ୨୦୦ ସାଇକେଲ୍ ମଧ୍ୟ ଖତ ଖାଉଛି। ସେ ସବୁକୁ ମରାମତି କରି ବାଣ୍ଟି ଦେବାପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ହୋଇ ପାରିନାହିଁ। ଏଣେ ପ୍ରତ୍ୟେକ ଶୁକ୍ରବାର କର୍ମଚାରୀମାନେ ସାଇକେଲ୍ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା କେବଳ ପ୍ରସ୍ତାବରେ ରହିଯାଇଛି। ଦାନସୂତ୍ରରେ ମିଳିଥିବା ସାଇକେଲ୍ ସବୁକୁ ବିଏମ୍ସି ଏକ ଭାଡ଼ିରେ ରଖିଛି। ୭ ବର୍ଷ ଧରି ପଡ଼ି ରହିଥିବାରୁ ଏହା ଆଉ ଚାଲିବା ଅବସ୍ଥାରେ ନାହିଁ। ଯେଉଁଠି ୫ କୋଟି ଟଙ୍କାର ସାଇକେଲ୍ ରାସ୍ତା କଡ଼ରେ ପଡ଼ି ଖତ ଖାଉଛି, ସେଠାରେ ମାଗଣାରେ ଆସିଥିବା ଏହି ସାଇକେଲ୍କୁ କିଏ ପଚାରୁଛି!
ରାଜଧାନୀରେ କ୍ରମାଗତ ଭାବରେ ପ୍ରଦୂଷଣ ବଢ଼ିବାରେ ଲାଗିଥିବାରୁ ଏହାକୁ ରୋକିବା ପାଇଁ ନାନା ଉପାୟ ହାତକୁ ନିଆଯାଇଥିଲା। ଡିଜେଲ୍ ଚାଳିତ ‘ମୋ ବସ୍’ ସବୁକୁ ସୌରଚାଳିତ କରିବା ପାଇଁ ଯୋଜନା ହୋଇଥିଲା। ପରୀକ୍ଷାମୂଳକ ଭାବରେ ୧୦ଟି ବସ୍ ଚଳାଚଳ ଆରମ୍ଭ କରିଥିଲା। ଏବେ ଏହା ସଫଳ ହେବାରୁ ଅଧିକ ବସ୍ ଆସିବାକୁ ଯୋଜନା ହେଉଛି। ଗୋଟିଏ ପଟେ ସରକାର ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ ଦେଉଥିବା ବେଳେ ବିଭିନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ବିଏମ୍ସି ଏ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଥିଲା। ୨୦୧୯ ଡିସେମ୍ବର ୧୧ ତାରିଖ ଦିନ ତତ୍କାଳୀନ ବିଏମ୍ସି କମିସନର, ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ପ୍ରତ୍ୟେକ ଶୁକ୍ରବାର ଏହି ତିନିଟି ସଂସ୍ଥାର କର୍ମଚାରୀ ଓ ଅଧିକାରୀମାନେ ସାଇକେଲ୍ରେ ଆସିବେ। ଗାଡ଼ି ବ୍ୟବହାର କରିବେ ନାହିଁ। ନିର୍ଦ୍ଦେଶ ଏଭଳି ଥିଲା, ପ୍ରତ୍ୟେକ ଶୁକ୍ରବାର ଦିନ ଏହି ତିନି ସଂସ୍ଥା ପରିସରକୁ କୌଣସି ଗାଡ଼ି ଛଡ଼ା ଯିବନି। ଅଫିସ୍କୁ କେବଳ ଜରୁରୀକାଳୀନ ଗାଡ଼ି ଚଳାଚଳ କରିବ। ଏହି ତିନିଟି ସଂସ୍ଥାରେ ପାଖାପାଖି ୮୦୦ କର୍ମଚାରୀ କାମ କରୁଥିଲେ। ସମସ୍ତ କର୍ମଚାରୀ ଯଦି ବାସ୍ତବରେ ସାଇକେଲ୍ରେ ଆସିବେ, ତେବେ ଏହାର ପ୍ରଭାବ ରାଜଧାନୀ ପରିବେଶ ଉପରେ ପଡ଼ିବ, ପ୍ରଦୂଷଣ କମିବ। କର୍ମଚାରୀମାନେ ସାଇକେଲ ଚଳାଇଲେ ଫିଟ୍ ମଧ୍ୟ ରହିବେ।
ଏହାର ପ୍ରଭାବ ଅନ୍ୟ ବିଭାଗ, ଅନୁଷ୍ଠାନ ଓ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ଘୋଷଣା ପର ଶୁକ୍ରବାର ବିଭିନ୍ନ ଡିଜାଇନ୍ର ସାଇକେଲ୍ ଧରି କର୍ମଚାରୀ ଓ ଅଫିସରମାନେ ଅଫିସ ଆସିଥିଲେ। ଖୋଦ୍ ମେୟର ମଧ୍ୟ ଏଥିରୁ ବାଦ୍ ଯାଇନଥିଲେ। ସାଇକେଲ୍ ସହ ସମସ୍ତେ ଫଟୋ ଉଠାଇଥିଲେ। ସରକାରଙ୍କ ପାଖକୁ ଏ ବାବଦରେ ରିପୋର୍ଟ ମଧ୍ୟ ଯାଇଥିଲା। ଫଳରେ ଏହାକୁ ନେଇ ବିଏମ୍ସି ବେଶ୍ ପ୍ରଶଂସା ସାଉଁଟିଥିଲା। ସରକାର ବିଏମ୍ସିକୁ ଦେଖି ପ୍ରତ୍ୟେକ ମହାନଗର ନିଗମରେ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା କରୁଥିଲେ। କିନ୍ତୁ ଗୋଟିଏ ଶୁକ୍ରବାର ପରେ କେହି ଆଉ ସାଇକେଲ୍ରେ ଆସିଲେ ନାହିଁ। କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଡ଼ିରେ ଆସିଲେ। ଫଳରେ ନିର୍ଦ୍ଦେଶନାମା ଫୁସ୍କି ଗଲା। ଏହା ସଫଳ ହୋଇଥିଲେ ‘ମୋ ସାଇକେଲ୍’ ଯେଉଁ ଚିନ୍ତା ବଢ଼ିଛି, ତାହା ମଧ୍ୟ ନ ଥାନ୍ତା। ଯାହାର ସାଇାକେଲ୍ ନାହିଁ ସେ ଏହି ‘ମୋ ସାଇକେଲ୍’ ବ୍ୟବହାର କରିଥାନ୍ତା। ହେଲେ ବାବୁମାନେ ଏଥିପ୍ରତି ଧ୍ୟାନ ଦେଲେନାହିଁ। କମିସନର ବଦଳି ଯିବା ପରେ ନିର୍ଦ୍ଦେଶନାମା ପାଳନ ହେଲାନାହିଁ।
୨୦୧୬ ମସିହାରେ ରାହାଗିରି ଆରମ୍ଭ ହୋଇଥିଲା। ଏଥିରେ ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ବିଏମ୍ସି ଯୋଜନା କରିଥିଲା। ବିଭିନ୍ନ ସଂସ୍ଥା ବିଏମ୍ସିକୁ ପ୍ରାୟ ୨୫୦ ସାଇକେଲ୍ ଦାନ କରିଥିଲେ। ରାହାଗିରିରେ ଲୋକମାନେ ସାଇକେଲ୍ ଚଳାଇବାକୁ ସୁଯୋଗ ପାଇଥିଲେ। ରାହାଗିରି, ସାଇକ୍ଲୋଥୋନ୍ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ଏହି ସାଇକେଲ୍କୁ ବ୍ୟବହାର କରିବା ପାଇଁ ବିଏମ୍ସି ଯୋଜନା କରିଥିଲା। ହେଲେ ଏହି ସାଇକେଲ୍ରୁ କିଛି ଚୋରି ହୋଇଯିବା ପରେ ବିଏମ୍ସି ପ୍ରାୟ ୫୦ ସାଇକେଲ୍ ବାଣ୍ଟି ଦେଲା। କିନ୍ତୁ ପ୍ରାୟ ୨୦୦ ସାଇକେଲ ଅଫିସ୍ ପରିସରରେ ଏକ ଭାଡ଼ି ତିଆରି କରି ରଖିଲା। ନିକଟ ଅତୀତରେ ଏହାକୁ ମରାମତି କରି ଯେଉଁ ଗରିବ ପାଠପଢ଼ୁଆ ପିଲାଙ୍କୁ ଆବଶ୍ୟକତା ଅଛି ସେମାନଙ୍କୁ ବାଣ୍ଟି ଦେବାପାଇଁ କର୍ପୋରେଟର ପ୍ରସ୍ତାବ ଦେଇଥିଲେ। ହେଲେ ତାହା ହେଲାନାହିଁ।