ଲକ୍ଷ୍ମୀସାଗରରୁ ସାଇ‌କେଲ୍‌ ଲୁଟେରା ଗିରଫ : ସ୍କୁଲ, ଘର, ପାର୍କ ଥିଲା ଟାର୍ଗେଟ୍

ଦିନରେ ବି ଉଠାଇ ନେଉଥିଲା, ୫ ଦାମୀ ସାଇକଲ ଜବତ

ଭୁବନେଶ୍ବର : ଘର ଭିତରୁ ହେଉ କି ପାର୍କ ସାମ୍ନାରୁ; ସବୁଠି ବୁଲି ବୁଲି ଦାମୀ ସାଇକେଲ ଲୁଟୁଥିଲା। ଦାମୀ ସାଇକେଲକୁ ଅଧା ଦାମରେ ବିକ୍ରି କରି ଦେଉଥିଲା। କିନ୍ତୁ ସବୁଦିନ ସମାନ ନ ଥାଏ। ଗତକାଲି ସାଇକେଲ୍‌ ବିକ୍ରି କରିବା ଲାଗି ମୂଲଚାଲ କରିବା ବେଳେ ଶେଷରେ ଲକ୍ଷ୍ମୀସାଗର ଥାନା ପୁଲିସ ହାତରେ ଧରା ପଡ଼ିଛି କୁଖ୍ୟାତ ସାଇକଲ ଚୋର। ପୁଲିସ ସାଇକଲ ଚୋର ବୁଟୁ ମିଶ୍ରକୁ ଗିରଫ କରିବା ସହ ୫ଟି ଦାମୀ ସାଇକଲ ଜବତ କରିଛି। ବୁଟୁର ଘର ମାହାଙ୍ଗା ଜାଗୁଳିପଡ଼ା ଅଞ୍ଚଳରେ ଏବଂ ସେ ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧର ବେହେରା ସାହିରେ ରହିଆସୁଥିଲା। ପୁଲିସ ସୂଚନା ଅନୁସାରେ, ବୁଟୁ କେବଳ ପିଲାଙ୍କ ସାଇ‌କେଲକୁ ଟାର୍ଗେଟ୍ କରେ। ଦିନ ବେଳା ଘର ଭିତରେ ପଶି ସାଇକେଲ ଉଠାଇ ନିଏ। ଏପରିକି ପାର୍କକୁ ଖେଳିବାକୁ ଯାଉଥିବା ପିଲା ଓ ସ୍କୁଲ ଆଗରୁ ବି ସାଇକେଲ ଲୁଟି ନେଉଥିଲା। ଗୋଟିଏ ଗୋଟିଏ ସାଇ‌କେଲର ମୂଲ୍ୟ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହି ସାଇ‌‌‌‌କେଲକୁ ଅଧାରୁ କମ୍ ଦାମରେ ବିକ୍ରି କରୁଥିଲା। ଗତକାଲି ଲକ୍ଷ୍ମୀସାଗର କେନାଲ ରୋଡ୍‌‌‌‌ରେ ଜେଣ ବ୍ୟକ୍ତିଙ୍କୁ ସାଇକଲ ବିକ୍ରି କରିବା ଲାଗି ମୂଲଚାଲ କରୁଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ବୁଟୁକୁ ଧରି ଥାନାକୁ ଆଣିବା ପରେ ପୂରା ଘଟଣାର ରହସ୍ୟ ଉନ୍ମୋଚନ ହୋଇଥିଲା।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖରେ ପଳାଶୁଣୀ ପ୍ରାଚୀବିହାରରେ ଜଣେ ବ୍ୟକ୍ତିଙ୍କ ଘରେ ଦିନ ବେଳା ପଶି ସାଇକେଲ ଚୋରି କରିଥିଲା ବୁଟୁ। ସେହି ସମୟରେ ଲୋକ ଦେଖିଦେବାରୁ ବୁଟୁକୁ ଗୋଡ଼ାଇଥିଲେ। ନିକଟରେ ଥିବା ବ୍ୟାଙ୍କର୍ସ କଲୋନିରେ ବୁଟୁ ପଶି ଯାଇଥିଲା। ସେଠାରୁ ବୁଟୁକୁ ଲୋକେ ଧରି ନିସ୍ତୁକ ମାଡ଼ ମାରିବା ପରେ ଲଣ୍ଡା କରି ଛାଡ଼ିଥିଲେ। କିନ୍ତୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ବୁଟୁ ଆଉ କେତେ ସାଇକେଲ ଚୋରି କରିଛି, ତାକୁ ନେଇ ଖୋଳତାଡ଼ କରୁଛି ପୁଲିସ।

ସମ୍ବନ୍ଧିତ ଖବର