ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକ ଯେପରି ସାଇକେଲ୍‌ରେ ଯାତାୟାତ କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ‘ପବ୍ଲିକ ବାଇସାଇକେଲ୍‌ ସେୟାରିଂ’ ଯୋଜନା ଆରମ୍ଭ ହେବ। ଏଥିରେ ଲୋକଙ୍କୁ ହାତପାହାନ୍ତାରେ ସାଇକେଲ ଯୋଗାଇ ଦିଆଯିବ। ଲୋକ ଟ୍ରେନ୍‌, ବସ୍‌, ସିଟି ବସ୍‌ ଓ ଅଟୋରୁ ଓହ୍ଲାଇଲେ ଯେପରି ଘର କିମ୍ବା ଯେକୌଣସି ସ୍ଥାନକୁ ସହଜରେ ଯାଇପାରିବେ ସେଥିପାଇଁ ବାଇସାଇକେଲ୍‌ ବ୍ୟବହାର କରିପାରିବେ। ରାଜଧାନୀରେ ବାଇସାଇକେଲ୍‌ ଭଡ଼ାରେ ଦେବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଟେଣ୍ଡର ଆହ୍ଵାନ ହୋଇଥିବାବେଳେ ମୋବାଇକ୍‌ ସଂସ୍ଥା ଏହା ପାଇଛି। ଏବେ ବାଇସାଇକେଲ୍‌ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରାକ୍‌ ନିର୍ମାଣ ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ହକି ବିଶ୍ୱକପ୍‌ ପୂର୍ବରୁ ଏହା ପୂର୍ଣ୍ଣ ରୂପ ପାଇବ। ପ୍ରଥମ ପର୍ଯ୍ୟାୟରେ ତିନିଟି ରୁଟ୍‌ରେ ୪୦କିମି ରାସ୍ତାରେ ଏହି ସେବା ଉପଲବ୍ଧ ହେବ। ଏଥିରେ ୨୦୦୦ ବାଇସାଇକେଲ୍‌ ଚଳାଚଳ କରିବାକୁ ଯୋଜନା ହୋଇଛି। ପ୍ରତ୍ୟେକ ସାଇକେଲ୍‌ର ଦାମ୍‌ ପ୍ରାୟ ୪୦ରୁ ୫୦ହଜାର ଟଙ୍କା ରହିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କେମିତି ହେବ ସାଇକଲ୍‌ ସେୟାରିଂ ଢାଞ୍ଚା
ସହରର ବିଭିନ୍ନ ଅଂଚଳକୁ ନେଇ ୭୦ସାଇକେଲ୍‌ ଷ୍ଟେସନ୍‌ ରହିବା ପାଇଁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦୦ ସାଇକେଲ୍‌ ରହିବ। ସେହିଭଳି ସାଇକଲ୍‌ ସେୟାରିଂକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ୩୦ ମିନିଟ୍‌ ପାଇଁ ବ୍ୟବହାରକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାପରେ ସ୍ୱଳ୍ପ ମୂଲ୍ୟ ଦେଇ ସାଇକଲ୍‌ ଚଳାଇ ହେବ। ପବ୍ଲିକ ବାଇସାଇକେଲ୍‌ ସେୟାରିଂ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍‌ ବଛାଯାଇଛି। ପ୍ରଥମ ରୁଟ୍‌ଟି ହେଲା ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ। ଦ୍ୱିତୀୟ ରୁଟ୍‌ଟି ହେଲା ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ। ତୃତୀୟ ରୁଟ୍‌ଟି ହେଲା ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା। ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ବର୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ୍‌ ଗଡ଼ିବାକୁ ଥିବାବେଳେ ପରବର୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ। ଲୋକମାନେ ସାଇକେଲ୍‌ ଷ୍ଟେସନ୍‌ଗୁଡ଼ିକରୁ ସାଇକେଲ ନେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ସାଇକେଲ ଷ୍ଟେସନ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ୍‌ ନିର୍ମାଣ ହେବ। ସ୍ୱଳ୍ପ ଦୂରତ୍ୱ ବିଶିଷ୍ଟ ରାଇଡ୍‌ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସାଇକଲ୍‌ ସେୟାରିଂ ପାଇଁ ଗୋଟିଏ ଷ୍ଟେସନ୍‌ରୁ ସାଇକଲ୍‌ ସଂଗ୍ରହ କରିବା କରିବା ପରେ ଆବଶ୍ୟକ ସ୍ଥଳେ ଅନ୍ୟ ଷ୍ଟେସନ୍‌ରେ ଏହାକୁ ଫେରାଇ ହେବ। ଯଦି ଗନ୍ତବ୍ୟସ୍ଥଳ ମଧ୍ୟରେ ସାଇକେଲ ଷ୍ଟେସନ ନ ରଖିହେବ ତେବେ ଯେ କୌଣସି ସ୍ଥାନରେ ସାଇକେଲ୍‌ ଛାଡ଼ିକି ଯାଇହେବ। ଏହାଦ୍ୱାରା ସାଇକେଲ୍‌ ଫେରାଇବା ପାଇଁ ଅଯଥାରେ ସଂଗୃହୀତ ସ୍ଥାନକୁ ଫେରିବାକୁ ପଡ଼ିବ ନାହିଁ।

ପ୍ରଥମ ଅଧ ଘଣ୍ଟା ମାଗଣା
ପ୍ରସ୍ତୁତ ହେବ ସ୍ୱତନ୍ତ୍ର ୪୦କିମି ରାସ୍ତା
ପ୍ରଥମ ପର୍ଯ୍ୟାୟରେ ତିନିଟି ରୁଟ୍‌

ସାଇକେଲ୍‌ ନେବା ପାଇଁ କୌଣସି ପ୍ରକାର ନଗଦ କାରବାର କରିବାକୁ ପଡ଼ିବ ନାହିଁ। ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ ହେବ ସାଇକେଲ୍‌ ସେୟାରିଂ ବ୍ୟବସ୍ଥା। ଆର୍‌ଏଫ୍‌ଆଇଡି ଦ୍ୱାରା ଟ୍ୟାଗ୍‌ ହୋଇଥିବା ସାଇକେଲ୍‌ଗୁଡ଼ିକୁ ଚୋରି କରି ହେବନାହିଁ। ଜିପିଏସ୍‌ ପଦ୍ଧତିରେ ସାଇକେଲ୍‌ କେଉଁଠି ଅଛି ଟ୍ରାକ୍‌ କରିହେବ। ସାଇକେଲ୍‌ଗୁଡ଼ିକ କେବଳ ବିଏମ୍‌ସି ଅଞ୍ଚଳ ଭିତରେ ଗଡ଼ିବ। ଏଥିପାଇଁ ବିଏମ୍‌ସି ଅଞ୍ଚଳକୁ ଜିଓ-ଫେନ୍‌ସିଂ କରାଯିବ। ଏହି ଅଞ୍ଚଳ ବାହାରକୁ ସାଇକେଲ୍‌ ଯାଇପାରିବ ନାହିଁ। ଯଦି କେହି ଭୁଲ୍‌ବଶତଃ ସାଇକେଲ୍‌ ନେବେ ତେବେ ସୀମା ପାର୍‌ ହେବା କ୍ଷଣି ସାଇକେଲ୍‌ ଲକ୍‌ ହୋଇଯିବ। ସାଇକେଲ୍‌ଗୁଡ଼ିକ ଜିପିଏସ୍‌ ଟ୍ରାକିଂ ହେବାକୁ ଥିବାରୁ ସାଇକେଲଗୁଡ଼ିକ ଉପରେ ୨୪ଘଣ୍ଟିଆ ନଜର ରହିବ। ଏପରିକି ଯଦି କେହି ଯେକୌଣସି ସ୍ଥାନରେ ସାଇକେଲ୍‌ ଛାଡ଼ିକି ଯିବେ ତେବେ ସେଠାରୁ ଆଣିବା ବ୍ୟବସ୍ଥା ସାଇକେଲ ଯୋଗାଣ ସଂସ୍ଥା କରିବ। ରାଜଧାନୀବାସୀଙ୍କୁ ସୁହାଇବା ଭଳି ତଥା ଅଣ-ମୋଟର ଚାଳିତ ଯାନର ପ୍ରଚଳନ ପାଇଁ ସାଇକେଲ୍‌ ସେୟାରିଂ ଏକ ଅଭିନବ ଯୋଜନା ହୋଇଥିବା ବେଳେ ସହଯୋଗିତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍‌ ବ୍ୟବହାର କରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ସାମାଜିକ ସଂସ୍ଥା, ସାଇକେଲ କ୍ଲବ୍‌ ତଥା ଶିକ୍ଷାନୁଷ୍ଠାନସ୍ତରରେ ସଚେତନ କାର୍ଯ୍ୟକ୍ରମ ହେବ।

ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୨୦୦୦ ସାଇକେଲ୍‌
ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦୦ଟି ସାଇକେଲ୍‌ ଆସିବ। ଏଥିରୁ ୫୦୦ଟି ଇଲେକ୍ଟ୍ରିକ୍‌ ଏବଂ ୧୫୦୦ଟି ମାନୁଆଲ୍‌ ସାଇକେଲ୍‌ ରହିବ। ଆସନ୍ତା ତିନି ମାସ ମଧ୍ୟରେ ଏହା ଆରମ୍ଭ ହେବ। ପ୍ରକଳ୍ପ ଆରମ୍ଭ ହେବା ସମୟରେ ୭୫୦ଟି ସାଇକେଲ୍‌ ଆଣିବାକୁ କୁହାଯାଇଥିବାବେଳେ ହକି ବିଶ୍ୱକପ୍‌ ପୂର୍ବରୁ ବାକି ସାଇକେଲ୍‌ ଆଣିବାକୁ କୁହାଯାଇଛି।

ସହିଦ ନଗର ଇନ୍‌ଫୋସିଟିରେ ହେବ ହବ୍‌
ବାଇସାଇକେଲ୍‌ ଭଡ଼ାରେ ଦେବା ପାଇଁ ଏବଂ ଠିକ୍‌ ପରିଚାଳନା ପାଇଁ ସହିଦନଗର ଏବଂ ଇନଫୋସିଟିରେ ହେବ ପ୍ରକଳ୍ପ ଅଞ୍ଚଳ। ଏହିଠାରେ ପୂରା ପ୍ରକଳ୍ପକୁ ମନିଟରିଂ କରାଯିବ। ଏଠାରେ ସାଇକେଲ ସଫା କରିବାଠାରୁ ଆରମ୍ଭ କରି ମରାମତି, ପାର୍କିଂ, ଚାର୍ଜିଂ ବ୍ୟବସ୍ଥା ରହିବ। ଏହାବାଦ୍‌ ପ୍ରତ୍ୟେକ ଡକିଂ ଷ୍ଟେସନ୍‌ରେ ପାର୍କିଂ ଓ ଚାର୍ଜିଂ ବ୍ୟବସ୍ଥା ରହିବ। ଏଠାରେ ଜଣେ ସୁବିଧାରେ ଇଲେକ୍ଟ୍ରିକ୍‌ ସାଇକେଲ୍‌ ଚାର୍ଜିଂ କରିପାରିବେ।

କାର୍ଡ ପେମେଣ୍ଟ ସୁବିଧା
ଏହି ସାଇକେଲ୍‌ ଯେଉଁମାନେ ଭଡ଼ାରେ ନେବେ ସେମାନଙ୍କୁ କାର୍ଡରେ ଦେୟ ସଂଗ୍ରହ ହେବ। ଏଥିପାଇଁ ପ୍ରଥମେ ଏକ କାର୍ଡ କିଣିବାକୁ ହେବ। ଏହି କାର୍ଡ ରିଚାର୍ଜ କରିବା ପରେ ସାଇକେଲ୍‌ ଭଡ଼ାରେ ମିଳିବ। ସାଇକେଲ୍‌ ଫେରାଇବା ପରେ ଯେତିକି ଭଡ଼ା ହୋଇଥିବ ତାହା କାର୍ଡରୁ କଟିଯିବ। ପରବର୍ତୀ ସମୟରେ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହେବାକୁ ଥିବା କମନ୍‌ କାର୍ଡ ପେମେଣ୍ଟ ବ୍ୟବସ୍ଥାରେ ଏହାକୁ ସାମିଲ୍‌ କରାଯିବ।