ରାସନ୍ କାର୍ଡ ନଥିଲେ ବି ବସ୍ତିବାସିନ୍ଦାଙ୍କୁ ମିଳିବ ବାତ୍ୟା ସହାୟତା

ଭୁବନେଶ୍ବର : ଆଜି ସୁଦ୍ଧା ଭୁବନେଶ୍ବରରେ ବିଏମ୍‌ସି ପକ୍ଷରୁ ପ୍ରାୟ ୮୦ହଜାର ରାସନ୍ କାର୍ଡଧାରୀଙ୍କୁ ବାତ୍ୟା ସହାୟତା ପ୍ରଦାନ କରାଯାଇଥିବାବେଳେ ହଜାର ହଜାର ବସ୍ତିବାସିନ୍ଦା ରାସନ୍ କାର୍ଡ ନଥିବାରୁ ସହାୟତା ପାଇ ନଥିବା ଅଭିଯୋଗ କରିଥିଲେ। ଏପରିକି ଏନେଇ ବିଏମ୍‌ସି ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ବସ୍ତିର ପ୍ରତ୍ୟେକ ପରିବାରକୁ ବାତ୍ୟା ସହାୟତା ମିଳିବ। ଏଥିରେ ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରାଯିବ। ଏନେଇ ସ୍ବତନ୍ତ୍ର ରିଲିଫ କମିସନର୍‌ ବିଷ୍ଣୁପଦ ସେଠୀ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିୟମ ଅନୁଯାୟୀ, ଏବେ ଆମେ ୧ଲକ୍ଷ ୪ହଜାର ୮୧୪ଜଣ ରାସନ୍ କାର୍ଡଧାରୀଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତି କରିଥିବାବେଳେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଉ ପ୍ରାୟ ୧୦% ଅଧିକ ହିତାଧିକାରୀ ଏହି ସହାୟତା ପାଇବେ। ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରିବୁ। ତେବେ ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ବସ୍ତି ଭୋଟ୍‌ ଉପରେ ନଜର ରଖି ସରକାର ଏପରି ଯୋଜନା କରିଥିବା ଚର୍ଚା ହେଉଛି।

ସମ୍ବନ୍ଧିତ ଖବର