ପ୍ରଳୟ କରିବ ଫନି!

ଆସିଲା ୩୫ ଟାୱାର ଲାଇଟ୍‌, ୨୫ କଟର୍‌, ୪ ପାୱାରବୋଟ୍‌, ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷା ବଢ଼ିଲା : ୬ ଇଞ୍ଚ ଉଚ୍ଚା ହେଲା ଦୁଆରମୁହଁ, ଝରକା ସିଲ୍‌, ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଲା ଛୋଟ ପତାକା

ସକାଳ ପାହିଲା ବେଳକୁ ବର୍ଷା ଅଜାଡ଼ୁଥିବ। ପବନ ବି ସୁ ସୁ ହୋଇ ବହୁଥିବ। ଦିନ ଯେତେ ବଢ଼ିବ ପବନ ଓ ବର୍ଷା ସେହି ଅନୁସାରେ ବଢ଼ିବ। ପବନ ଘଣ୍ଟା ପ୍ରତି ୧୧୫ରୁ ୧୫୦କିମି ବେଗରେ ବହିପାରେ। ଏପରିକି ଆଖି ଆଗରେ ଗଛ ଉପୁଡ଼ି ପଡ଼ୁଥିବ, ଚାଳ ଛପର ଘର, ଆଜବେଷ୍ଟସ୍, ଟିଣ ଆଦି ଆକାଶରେ ଉଡ଼ୁଥିବ। ଯେଉଁଠି ଦେଖିବ ସେଠାରେ ପାଣିର ସୁଅ ଛୁଟୁଥିବ, ବହୁ ଅଞ୍ଚଳ ଜଳବନ୍ଦୀ ହୋଇଯିବ। ଏହିଭଳି ପୂର୍ବାନୁମାନ ବାତ୍ୟା ଫନିର ପ୍ରଭାବରେ ହେବ ବୋଲି ପାଣିପାଗ ବିଭାଗର ଆକଳନ କହୁଛି। ଏପରିକି ଶୁକ୍ରବାର କେହି ଘରୁ ନବାହାରିବାକୁ ରାଜ୍ୟ ସରକାର ସତର୍କ କରାଇଛନ୍ତି। ଫନି ରାଜଧାନୀକୁ ଛାରଖାର କରିବାକୁ ଆସୁଥିଲେ ହେଁ ଏହାର ମୁକାବିଲା କରିବାକୁ ରାଜଧାନୀବାସୀ ଓ ପ୍ରଶାସନ ପୂରା ତତ୍ପର ହୋଇ ଉଠିଛନ୍ତି।

ଆସିଲା ୩୫ ଟାୱାର ଲାଇଟ୍‌, ୨୫ କଟର୍‌, ୪ ପାୱାରବୋଟ୍‌

ଭୁବନେଶ୍ବର : ରାଜଧାନୀବାସୀଙ୍କୁ ଜଳବନ୍ଦୀରୁ ମୁକୁଳାଇବା, ବିଭିନ୍ନ ପ୍ରକାରର ଉଦ୍ଧାର କାର୍ଯ୍ୟ କରିବା ଏବଂ ପବନରେ ଗଛ ଭାଙ୍ଗି ରାସ୍ତା ଓ ଘର ଉପରେ ପଡ଼ିଲେ ତାହାକୁ କାଟିବା ପାଇଁ ଭୁବନେଶ୍ବର ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିପାଇଁ କଳ୍ପନା ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ୧୨୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୫ଟି ଟାୱାର ଲାଇଟ୍‌, ୪ଟି ପାୱାର ବୋଟ୍‌, ୨୫ଟି କଟର୍ ମହଜୁଦ୍‌ ରଖାଯାଇଛି। ବିପଦରେ ପଡ଼ିଲେ ଲୋକମାନେ ୧୦୧ କିମ୍ବା ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ହେ‌ଲ୍‌ପଲାଇନ୍ ନମ୍ବରରେ ଯୋଗାଯୋଗ କରିବେ। ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜିଠାରୁ ଗୌରୀ ଗାର୍ଡେନ୍‌, ଗୌରୀ ଲେନ୍‌, ଗୌରୀଶଙ୍କର ଇଂରାଜୀ ମାଧ୍ୟମିକ ସ୍କୁଲ, ଭୀମଟାଙ୍ଗି ଲେନ୍, ଅଢେଇ ଖାଲ, ନିଉ ଫରେଷ୍ଟ ପାର୍କ, ଘନଶ୍ୟାମ ଆପାର୍ଟମେଣ୍ଟ, ଦମୟନ୍ତୀ ଆପାର୍ଟମେଣ୍ଟ, ରାଧାକୃଷ୍ଣ ନଗର, ଭୋଇ ସାହି, ମଲ୍ଲିକ କମ୍ପ୍ଲେକ୍ସ, ମାଳିହୋତା ଟ୍ୟାଙ୍କ, ଶତାବ୍ଦୀ ନଗର, ପାଇକ ନଗରରେ ୧୬ଟି ପାଣି ପମ୍ପ ମୁତୟନ ହୋଇଛି।

ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷା ବଢ଼ିଲା : ୬ ଇଞ୍ଚ ଉଚ୍ଚା ହେଲା ଦୁଆରମୁହଁ, ଝରକା ସିଲ୍‌

ପୁରୁଣା ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବର୍ଷା ପାଣି ଯେପରି ଷ୍ଟ୍ରଙ୍ଗ ରୁମ୍‌ ଭିତରକୁ ନ ପଶିବ, ସେଥିପାଇଁ ଏହାର ଦୁଆର ମୁହଁକୁ ୬ଇଞ୍ଚ ଉଚ୍ଚା କରାଯାଇଛି। ଉକ୍ତ ଗୃହଗୁଡ଼ିକର ଝରକାଗୁଡ଼ିକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଛି। ଝରକାଗୁଡ଼ିକର ବାହାର ପଟେ ପ୍ଲାଏ ପଟା ଦ୍ବାରା ସିଲ୍‌ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବର ମଧ୍ୟ, ଉତ୍ତର, ଏକାମ୍ର, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍‌ ମେସିନ୍‌ ବିଜେବି କଲେଜରେ ରଖାଯାଇଛି। ତଳ ମହଲାକୁ ଛାଡ଼ି ଦେଇ ଉପର ମହଲାର ସମୁଦାୟ ୧୦ଟି ଗୃହରେ ଏହି ଇଭିଏମ୍‌ଗୁଡ଼ିକୁ ରଖାଯାଇଛି। ଏହି ୧୦ଟି ଯାକ ଗୃହର ଦୁଆରମୁହଁକୁ ୬ ଇଞ୍ଚ ଉଚ୍ଚା କରାଯାଇଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ ବାତ୍ୟା ଯୋଗୁଁ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତ ମଙ୍ଗଳବାର ୫ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ, ଲୋକସଭା ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ଡକାଯାଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଆଲୋଚନା କରାଯାଇଥିଲା। ବାତ୍ୟା ଯୋଗୁଁ ଇଭିଏମ୍‌ ସୁରକ୍ଷା ନେଇ କ’ଣ ଅଧିକ ବ୍ୟବସ୍ଥା କରାଯାଇପାରିବ, ସେ ସମ୍ପର୍କରେ ସେମାନଙ୍କ ମତ ନିଆଯାଇଥିଲା। ଗତକାଲି ପୁଣି ବୈଠକ ଡକାଯାଇ ଏପରି ସୁରକ୍ଷା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଲା ଛୋଟ ପତାକା

ପୁରୁଣା ଭୁବନେଶ୍ୱର : ବାତ୍ୟାରେ ପତାକା ଉଡ଼ିଯିବା ଆଶଙ୍କା କରି ଶ୍ରୀଲିଙ୍ଗରାଜ ମନ୍ଦିରରେ ଦୁଇଟି ଛୋଟ ପତାକା ଲଗାଯାଇଛି। ମନ୍ଦିର ପ୍ରଶାସନର ନିର୍ଦେଶ ଅନୁଯାୟୀ ସାହାଣମେଲା ଦର୍ଶନ ବେଳେ ସମର୍ଥା ସେବାୟତମାନେ ଏହି ପତାକା ଲଗାଇଥିଲେ। ବାତ୍ୟକୁ ଦୃଷ୍ଟିରେ ରଖି ବୁଧବାର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ବାତ୍ୟା ମୁକାବିଲା ନେଇ ଆଲୋଚନା ହୋଇଥିଲା।

ସେହିପରି ୩ ଓ ୪ ତାରିଖରେ ମନ୍ଦିରରେ ବିଦ୍ୟୁତ୍‌ କଟିଯିବା ଆଶଙ୍କା ଥିବାରୁ ସମସ୍ତ ଜେନେରେଟର ଓ ଇନ୍‌ଭର୍ଟର୍‌କୁ ପ୍ରସ୍ତୁତି କରାଯାଇଛି। ଜେନେରେଟର ପାଇଁ ଆବଶ୍ୟକ ତେଲ କିଣି ମହଜୁଦ ରଖାଯାଇଛି। ପେଟ୍ରୋମାକ୍ସ ଲାଇଟ୍ ଓ ଟର୍ଚ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବର୍ଷା ପାଣି ମନ୍ଦିର ବାଇଶି ପାହାଚ ପାଖରେ ଜମିବା ଆଶଙ୍କା ଥିବାରୁ ଡ୍ରେନ୍‌ଗୁଡ଼ିକ ସଫା କରିବାକୁ ବିଏମ୍‌ସିକୁ କୁହାଯାଇଛି। ସେହିପରି ପାଳିଆ ସେବାୟତମାନେ ବାତ୍ୟାର ପ୍ରକୋପକୁ ଦେଖି ସେବା କରିବା ପାଇଁ ଅନୁରୋଧ କରାଯାଇଛି। ଆସନ୍ତା ୩ ତାରିଖ ଶୁକ୍ରବାର ଚତୁର୍ଦ୍ଦଶୀ ତିଥି ଥିବାରୁ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ମହାଦୀପ ଉଠାଇବାକୁ ଯିବେ। ବାତ୍ୟା ପ୍ରକୋପ ଅଧିକ ଥିଲେ ଶୀଘ୍ର ନୀତି କରି ଆବଶ୍ୟକସ୍ଥଳେ ସନ୍ଧ୍ୟାରେ ମହାଦୀପ ଉଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର