ଭୁବନେଶ୍ବର : ୨୦୧୯ ମେ’ ୩ ତାରିଖ ପୂର୍ବାହ୍ନରେ ବାତ୍ୟା ଫନି ପ୍ରଳୟ ରଚିଲା। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲା ଭୁବନେଶ୍ବର ଓ ପୁରୀ। ଫନିର ତାଣ୍ଡବରେ ରାଜଧାନୀ ପୂରା କ୍ଷତାକ୍ତ ହୋଇଗଲା। ଗଛରୁ ଆରମ୍ଭ କରି ମୋବାଇଲ୍ ଟାୱାର ପର୍ଯ୍ୟନ୍ତ ସବୁକୁ ମୋଡ଼ି ମକଚି ତଳେ ଫୋପାଡ଼ିଦେଲା। ପବନର ଭଉଁରୀ ଖେଳରେ ଫସିଗଲା ପୂରା ଭୁବନେଶ୍ବର। ମାତ୍ର କେଇ ଘଣ୍ଟାରେ ଭୁବନେଶ୍ବର ଏକ ଧ୍ବଂସସ୍ତୂପ ପାଲଟିଗଲା। ଯେତେ ଝାଟିମାଟି ଘର ଥିଲା, ତାହା ମାଟିରେ ମିଶିଗଲା। ଚାରିଆଡ଼େ ଖାଲି ଖୁଣ୍ଟା ଗଛ ଆଉ ରାସ୍ତାରେ ବିଛାଇ ହୋଇ ପଡ଼ିଥିଲା ବିଦ୍ୟୁତ ଖୁଣ୍ଟ ଓ ତାର। ବିଲରେ କ୍ଷେତ ଉଜୁଡ଼ିଗଲା। ପରିବା ଫସଲରୁ ଆରମ୍ଭ କରି ପାନବରଜ ପର୍ଯ୍ୟନ୍ତ ସବୁ ମାଟିରେ ମିଶିଗଲା। ଶହଶହ ଲୋକଙ୍କ ଘର ଉଜୁଡ଼ିଗଲା। ହଜାର ହଜାର ପଶୁପକ୍ଷୀ ବାସହରା ହୋଇଗଲେ। କିନ୍ତୁ ମାସ କେଇଟାରେ ସମସ୍ତେ ଯେଝା ସାମର୍ଥ୍ୟରେ ନିଜ ଘରକୁ ସଜାଡ଼ି ଦେଲେ। ପୁଣି ରାଜଧାନୀ ସଜେଇ ହେଲା। ହେଲେ ଏହି ପ୍ରଳୟକୁ ବର୍ଷେ ନ ପୂରୁଣୁ କରୋନାରୂପୀ ଭୂତାଣୁ ସମସ୍ତଙ୍କ ଅଣ୍ଟିରେ ଛୁରି ମାରିଦେଲା। ଘରେ ସମସ୍ତେ ଗୃହବନ୍ଦୀ ହେଲା ପରି ରହିଗଲେ। ରୋଜଗାର କରିବାର ସାମର୍ଥ୍ୟ ଥିଲେ ବି ଅନେକ କାମଧନ୍ଦା ପାଉନାହାନ୍ତି। ବାତ୍ୟା ଫନି ବେଳେ ଯେଉଁମାନେ ଖାଇବା ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ, ସେମାନେ ଆଜି ବି ଧାଡ଼ିରେ ଛିଡ଼ା ହୋଇ କାହାର ହାତଟେକାକୁ ଅପେକ୍ଷା କରିଛନ୍ତି। ବର୍ଷକରେ ପ୍ରକୃତି ତା’ର କ୍ଷତକୁ ଭରିପାରିଛି, ହେଲେ ମଣିଷର ଯେଉଁ କ୍ଷତ ଶୁଖି ଆସୁଥିଲା, ତାହା ପୁଣି ଖଣ୍ଡିଆ ହୋଇଯାଇଛି।
ସେତେବେଳେ ଫନି ପାଇଁ, ଏବେ କରୋନା...
ଏ ଯାଏ କ୍ଷତ ଭରିନି, ମୃତକଙ୍କ ପରିବାରକୁ ମିଳିନି ସହାୟତା
ବାଲିପାଟଣା : ଫନିରେ ହୋଇଥିବା କ୍ଷତ ଏଯାଏ ଶୁଖିନି। ବର୍ଷେ ହେବ ରୋଜଗାର ହରାଇ ବସିଛନ୍ତି ବହୁ ଲୋକ। ବାତ୍ୟାରେ ମୃତ ୪ଜଣ ବ୍ୟକ୍ତିଙ୍କ ପରିବାରକୁ ଏଯାଏ ସାହାଯ୍ୟ ମିଳିନାହିଁ। ସରକାର କ୍ଷୟକ୍ଷତି ଆକଳନ କରି ୭ ଦିନ ଭିତରେ ସହାୟତା ଦେବାକୁ ଘୋଷଣା କଲେ। ହେଲେ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରିଲା ନାହିଁ।
ବାଲିପାଟଣା ଅଞ୍ଚଳରେ ୬୯ଟି ୪ହଜାର କ୍ଷମତା ସମ୍ପନ୍ନ ଓ ତା’ଠାରୁ ଛୋଟ ୯୫ଟି କୁକୁଡ଼ା ଫାର୍ମ ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ୪ହଜାର କ୍ଷମତା ବିଶିଷ୍ଟ ଫାର୍ମ ପାଇଁ ୪ ଲକ୍ଷ ଟଙ୍କା ଓ ତା’ଠାରୁ ଛୋଟ ଫାର୍ମ ପାଇଁ ୧ ଲକ୍ଷ ଟଙ୍କା ସହାୟତା ସରକାର ଘୋଷଣା କରିଥିଲେ। ୪ ହଜାରରୁ କମ ବିଶିଷ୍ଟ ଫାର୍ମର ୮୮ଜଣଙ୍କୁ ଏକ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଚେକ୍ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିରେ ସେମାନଙ୍କୁ ୩୦ ହଜାର ଲେଖାଏ ଟଙ୍କା ମିଳିଛି।
ପ୍ରାୟ ୪ହଜାର ପାନ ଚାଷୀଙ୍କର ବରଜ ବାତ୍ୟାରେ ନଷ୍ଟ ହୋଇଥିଲା। ସରକାର ପାନବରଜ ପାଇଁ ୧୫ ହଜାର ଟଙ୍କା ଘୋଷଣା କରିଥିଲେ। ବ୍ଲକ ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଯାଏ ସହାୟତା ପାଇବାରୁ ଅନେକ ଚାଷୀ ବଞ୍ଚିତ ହୋଇଛନ୍ତି। କେତେକ ଚାଷୀ ସମ୍ବଳ ଅଭାବରୁ ବରଜ ସଜାଡି ପାରିନାହାନ୍ତି ବୋଲି ଧାନହରାର ପାନ ଚାଷୀ ବ୍ରହ୍ମାନନ୍ଦ ପତି କହିଛନ୍ତି।
ଅନ୍ୟପକ୍ଷରେ ଉଦ୍ୟାନ ବିଭାଗର କିଛି କର୍ମଚାରୀ ନଡ଼ିଆ ଗଛ ନଥିବା ଲୋକଙ୍କୁ ହଜାର ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ପ୍ରକୃତ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। କୃଷି ବିଭାଗ ଅଧୀନରେ କ୍ଷତିଗ୍ରସ୍ତ ଧାନ, ମୁଗ, ବିରି ଚାଷୀ ମଧ୍ୟ ସହାୟତା ପାଇନଥିବା ଜଣାପଡିଛି। ମତ୍ସ୍ୟ ଚାଷୀଙ୍କୁ ମଧ୍ୟ ସହାୟତା ମିଳିନାହିଁ। ଏବେ ବି ୪ଟି ପଞ୍ଚାୟତର ଶହ ଶହ ଚାଷୀ ସହାୟତା ପାଇବା ଆଶାରେ ଅଛନ୍ତି। ଏହାଛଡ଼ା ଅନେକ କ୍ଷତିଗ୍ରସ୍ତ ସମ୍ପୂର୍ଣ୍ଣ ଘରଭଙ୍ଗା ଅର୍ଥ ପାଇବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ବି ବହୁତ ଜଣ ବାସହରା ହୋଇ ରହିଛନ୍ତି। ବାଲିପାଟଣାର ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କୁହନ୍ତି, ଘର ଭଙ୍ଗା ତଦନ୍ତ ସରିଛି। କରୋନା କଟକଣା କୋହଳ ହେବା ପରେ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାୟକ୍ରମେ ସହାୟତା ଦିଆଯିବ।