ବାତ୍ୟା ପରେ ରାଜଧାନୀରେ ପୁନରୁଦ୍ଧାର କାର୍ଯ୍ୟରେ ୯୦ ଅଗ୍ନିଶମ ଦଳ ନିୟୋଜିତ

ଭୁବନେଶ୍ବର : ବାତ୍ୟା ପରେ ରାଜଧାନୀରେ ପୁନରୁଦ୍ଧାର କ୍ଷେତ୍ରରେ ଅଗ୍ନିଶମ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସହରର ପ୍ରମୁଖ ରାସ୍ତା ସମେତ କଲୋନି ଭିତରେ ସଫେଇ ଜାରି ରଖିଛନ୍ତି। କଲୋନି ଓ ବସ୍ତି ଅଞ୍ଚଳରେ ବି ପାନୀୟ ଜଳ ବଣ୍ଟନରେ ସେମାନଙ୍କ ଭୂମିକା ରହିଛି। ଅଗ୍ନିଶମ ଦଳ ସହରର ୬୫ଟି ସ୍ଥାନରୁ ଗଛ କାଟିବା ସହ ଏବେ ସୁଦ୍ଧା ୫୦ ଟ୍ରିପ୍‌ ପାଣି ଅର୍ଥାତ୍‌ ୯ ଲକ୍ଷ ଲିଟର ଜଳ ଯୋଗାଣ କରିଛନ୍ତି। କେବଳ ଭୁବନେଶ୍ବର ଲାଗି ୯୦ଟି ଟିମ୍‌ରେ ୫୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରଥମ ଥର ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ୧୮ ହଜାର ଲିଟର ବିଶିଷ୍ଟ ୧୦ଟି ଟ୍ୟାଙ୍କର ଦ୍ବାରା କଲୋନି ଓ ବସ୍ତି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଲୋକୀକରଣ ଦିଗରେ ବି ଏମାନେ କାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୪ ତାରିଖଠାରୁ ରାଜଧାନୀରେ ୯୦ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। କଟକରେ ୭୭, ପୁରୀରେ ୫୮, ଖୋର୍ଧାରେ ୩୨, ଜଗତ୍‌ସିଂହପୁରରେ ୫ ଓ ବାଲେଶ୍ବରରେ ୨ଟି ଟିମ୍‌ର ମୋଟ ୧୨୦୦ ଅଗ୍ନିଶମ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଖୋଲିବ ୨୦୦ ଜଳଛତ୍ର: ବାତ୍ୟା ଯୋଗୁଁ ରାଜଧାନୀର ଅନେକ ଜଳଛତ୍ର କ୍ଷତିଗ୍ରସ୍ତ ହୋଇଛି। କେତେକର ଛପର ଉଡ଼ିଯାଇଥିବା ବେଳେ ଆଉ କିଛି ମାଠିଆ ଏବେ ଗଡ଼ୁଛି। ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପୁଣିଥରେ ଜଳଛତ୍ର ଖୋଲିବା ଦିଗରେ ପଦ‌କ୍ଷେପ ନିଆଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୨୦୦ରୁ ଅଧିକ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ପୂର୍ବରୁ ଖୋଲିଥିବା ଜଳଛତ୍ରଗୁଡ଼ିକୁ ଖୋଲିବାକୁ ସ୍ଥିର ହୋଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ।

ବୁଧବାରଠାରୁ ଖୋଲିବ ଆହାର କେନ୍ଦ୍ର: ବାତ୍ୟା ପରଠାରୁ ବନ୍ଦ ହୋଇ ପଡ଼ିରହିଥିବା ଆହାର କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନିଆଯାଇଛି। ଏବେ ସହରର ସ୍ଥିତି ସ୍ବାଭାବିକ୍‌ ଅବସ୍ଥାକୁ ଫେରୁଥିବାରୁ ଆସନ୍ତା ବୁଧବାରଠାରୁ ୧୧ଟି ଆହାର କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି।

୮୭,୬୪୫ ଜଣ ପାଇଲେଣି ଆର୍ଥିକ ସହାୟତା: ବାତ୍ୟା ବିପନ୍ନଙ୍କୁ ରିଲିଫ୍ ଯୋଗାଣ ଜାରି ରହିଛି। ଆଜି ସୁଦ୍ଧା ୮୭ ହଜାର ୬୪୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯାହାକି ଚିହ୍ନଟ ହୋଇଥିବା କ୍ଷତିଗ୍ରସ୍ତଙ୍କ ୮୪%ରୁ ଅଧିକ। ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ବାତ୍ୟା ସମ୍ପର୍କିତ ୧୨୪୧ଟି ଅଭିଯୋଗ ଆସିଥିଲା। ଆଜି ତାହା ବୃଦ୍ଧି ପାଇ ୧୩୩୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର