ସବୁ ଘୋଷଣା, କିଛି ମିଳୁନି

ବୟସ ୬୫ବର୍ଷ ହେବ। ମୁଁ ବାସନ ମାଜୁଛି, ପୁଅ ଦିନ ମଜୁରିଆ। ରାସନ୍ କାର୍ଡ ନଥିବାରୁ କିଛି ସହାୟତା ମିଳିଲାନି। କର୍ପୋରେଟର ପାଖକୁ ପୁଅ ଯାଇଥିଲା। ହେଲେ ସେ କିଛି କରିପାରିବେନି କହି ଫେରାଇ ଦେଲେ। ଏହାପରେ ସମସ୍ତଙ୍କୁ ମିଳିବ ବୋଲି ସରକାର ଘୋଷଣା କରିବାରୁ ମୁଁ ଧାଡ଼ିରେ ଛିଡ଼ା ହୋଇଥିଲି। ହେଲେ କିଛି ମିଳିଲାନି। ସବୁ ଖାଲି ଘୋଷଣା, କିନ୍ତୁ ଆମକୁ କିଛି ମିଳୁନି।
କୁନି ଗଉଡ଼, ବାଳୁଙ୍ଗା ବସ୍ତି, ଗାନ୍ଧୀ ମାର୍କେଟ୍‌

ସ୍ତ୍ରୀ ମରିଗଲା ବୋଲି କ’ଣ ସହାୟତା ମିଳିବନି

ଭାଇ ଭଉଣୀ ଦୁଇ ଜଣ। ବାପା ବି ଅଛନ୍ତି। ରାମ ମାଟିଆଙ୍କ ସ୍ତ୍ରୀ ମାଳତୀ ମାଟିଆ ନାମରେ ରାସନ୍ କାର୍ଡ ଅଛି। କିନ୍ତୁ ମାଳତୀ କିଛି ମାସ ତଳେ ମରି ଯାଇଛନ୍ତି। ଏବେ ବାତ୍ୟା ସହାୟତା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ କାଉଣ୍ଟରରେ ପହଞ୍ଚିଲା ବେଳକୁ ଅଧିକାରୀ କହୁଛନ୍ତି ଯାହା ନାମରେ କାର୍ଡ ଅଛି ତାଙ୍କୁ ଡାକ। ହେଲେ ସ୍ତ୍ରୀ ତ ଆରପାରିରେ। ଡାକିବେ କାହାକୁ। ଯେତେ ବୁଝାଇଲେ ବି ବିଏମ୍‌ସିର ଅଧିକାରୀମାନେ ବୁଝୁନାହାନ୍ତି। ରାମ ଏବେ କହୁଛନ୍ତି ସ୍ତ୍ରୀ ମରିଗଲା ବୋଲି କ’ଣ ମୋତେ ସରକାରୀ ସହାୟତା ମିଳିବନି।
ରାମ ମାଟିଆ, ନୀଳପଡ଼ିଆ ବସ୍ତି, ଡମଣା ଛକ

ଦିନ ମଜୁରିଆ ବୋଲି ଆମ କଥା କେହି ଶୁଣୁନାହାନ୍ତି

ମା’ ପୁଅ ଦିନ ମଜୁରିଆ। ବାତ୍ୟାରେ ଘରଦ୍ବାର ସବୁ ଭାଙ୍ଗି ଯାଇଛି। ଏବେ ଘର ନିକଟରେ ଥିବା ଜଣଙ୍କ ପାଇଖାନା ଛାତ ଉପରୁ ଛିଣ୍ଡା ଜରି ପାଲଟିଏ ଟାଙ୍ଗି ତା’ତଳେ ରହୁଛୁ। ରାସନ୍ କାର୍ଡ ନଥିବାରୁ ଆମକୁ କିଛି ସହାୟତା ମିଳିଲାନି। କର୍ପୋରେଟରଙ୍କୁ କହିଲୁ। ବିଏମ୍‌ସି ବାବୁଙ୍କୁ କହିଲୁ। ହେଲେ କେହି ଶୁଣିଲେନି। ଆମେ ଦିନ ମଜୁରିଆ ବୋଲି ଆମ କଥା କେହି ଶୁଣୁନାହାନ୍ତି।
ଦମୟନ୍ତୀ ଦିଘାଲ, ଗାନ୍ଧୀ ମାର୍କେଟ ବସ୍ତି

ବହୁ କଷ୍ଟରେ ଆଜବେଷ୍ଟସ୍ ପକାଇଥିଲି, ସବୁ ଭାଙ୍ଗିଗଲା

ଦିନ ମଜୁରିଆ ବୋଲି ଆମକୁ କିଛି ମିଳିଲାନି। ରାସନ୍ କାର୍ଡ ନାହିଁ ବୋଲି କ’ଣ ଆମେ ସରକାରୀ ସହାୟତା ପାଇବୁନି। ବହୁ କଷ୍ଟରେ ଘରେ ଆଜବେଷ୍ଟସ୍ ପକାଇଥିଲୁ। ହେଲେ ବାତ୍ୟା ସବୁ ଭାଙ୍ଗିଦେଲା। ଏବେ ଭଙ୍ଗା ଆଜବେଷ୍ଟସ୍ ଗୋଟାଇ ସ୍ବାମୀ ସ୍ତ୍ରୀ ‌ଘର ସଜାଡ଼ୁଛୁ।
ଜୟରାମ ପାତ୍ର, ସାଲିଆ ସାହି, ଶ୍ରୀରାମ ନଗର

ମଜୁରି ତ ଖାଇବାରେ ପଳାଉଛି, ଘର କେମିତି କରିବି

ତିନିଟା ପିଲା। ସ୍ବାମୀ, ସ୍ତ୍ରୀ ଦିନ ମଜୁରିଆ। ହେଲେ ଘରଦ୍ବାର କିଛି ନାହିଁ। ବାତ୍ୟା ସବୁ ମାଟିରେ ମିଶାଇ ‌େଦଇଛି। ତିନିଟା ଛୁଆଙ୍କୁ ଛାଡ଼ି ସ୍ବାମୀ-ସ୍ତ୍ରୀ ଏକାଠି କାମ କରିବାକୁ ଯାଇପାରୁନାହାନ୍ତି। ଜଣେ କାମକୁ ଗଲେ ଜଣେ ଘର ଜଗୁଛି। ଏମିତିରେ ଦିନକୁ ଯାହା ମଜୁରି ମିଳୁଛି ତାହା ତ ଖାଇବାରେ ପଳାଉଛି। ଘର କେମିତି କରିବୁ। ରାସନ୍ କାର୍ଡ ନାହିଁ ବୋଲି କ’ଣ ଆମେ ସରକାରୀ ସୁବିଧା ପାଇବୁନି।
ରାଜେନ୍ଦ୍ର ନାହାକ, ଗାନ୍ଧୀ ମାର୍କେଟ୍‌ ବସ୍ତି

ମା’ ମରିଗଲା ବୋଲି କ’ଣ ସରକାରୀ ସୁବିଧା ମିଳିବନି

ମା’ସ୍ବର୍ଣ୍ଣଲତା ମାଝୀ ନାମରେ ରାସନ୍ କାର୍ଡ ଅଛି। ହେଲେ ମା’ ମରି ଯାଇଥିବାରୁ ଏବେ ସରକାରୀ ସୁବିଧା ମିଳୁନି। ଦି’ଥର ଗଲି, ଫେରାଇଦେଲେ। ମା’ ମରିଛି ବୋଲି ଗାଁ ସରପଞ୍ଚଠାରୁ ଲେଖିକି ଆଣିବାକୁ କହିଲେ। ହେଲେ ସରପଞ୍ଚ କହିଲା ମା’ ତ ଭୁବନେଶ୍ବରରେ ମରିଛି ମୁଁ କ’ଣ ଲେଖିକି ଦେବି। ମୁଁ ଭିନ୍ନକ୍ଷମ, ଯିବି କୁଆଡ଼େ କାହାକୁ କ’ଣ କହିବି। ସ୍ତ୍ରୀ, ପୁଅକୁ ନେଇ ଭାଗ୍ୟକୁ ଆଦରି ରହିଛି।
ଯୋଗେଶ ମାଝୀ, ଭିନ୍ନକ୍ଷମ, ଜୟଦେବ ବିହାର

ସମ୍ବନ୍ଧିତ ଖବର