ଭୁବନେଶ୍ବର: ଆକାଶରେ ଏବେ ମେଘ ଖଣ୍ଡ ଦେଖିଲେ ମନ ପାପ ଛୁଉଁଛି। ଦଲକାଏ ପବନ ବହିଲେ ଛାତିରେ ଛନକା ପଶିଯାଉଛି। ହେଇ ପୁଣି ଆଇଲା…ବୋଲି ଆଲୋଚନା ହେଉଛି। କେଇ ଘଣ୍ଟା ଭିତରେ ‘ଫନି’ ଏମିତି ପ୍ରଳୟ ରଚିଲା ଯେ, ସେ ଚିତ୍ର ଏଯାଏଁ ମନରୁ ଯାଉନି। ପବନର ବେଗ ରାଜଧାନୀରେ ୧୪୦ ଛୁଇଁବା ପରେ ପୂରା ସହରର ପରିବେଶ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ପାଣି, ଲାଇନ୍ ବିନା ହାହାକାର ପଡ଼ିଯାଇଛି। କିନ୍ତୁ ଠିକ୍ ୨୦ ବର୍ଷ ତଳର ମହାବାତ୍ୟାର ସ୍ଥିତି ଥିଲା ଭିନ୍ନ। ପବନର ବେଗ ୨୦୦ ଛୁଇଁଥିଲା। ସେତେବେଳ ଭୁବନେଶ୍ବର ମହାନଗର ନିଗମରେ ୧୧୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା। କେବଳ ଗଛ କାଟି ସଫା କରିବା ପାଇଁ ନିଗମ ପକ୍ଷରୁ ୬ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଫରକ ଏୟା ଥିଲା ଯେ, ସେତେବେଳେ ଅନେକ ମୃତାହତ ହୋଇଥିଲେ ହେଁ ଏଥର କ୍ବଚିତ ମୃତାହତ ହୋଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ମହାବାତ୍ୟାରୁ ପ୍ରଶାସନ କି ଶିକ୍ଷା ଲାଭ କରିଛି? ସହରକୁ ସ୍ମାର୍ଟ ଦେଖେଇ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ରାଜଧାନୀ ଏତେ ବୈଷୟିକ ଜ୍ଞାନ କୌଶଳ ଆସିବା ପରେ ଏଥର ‘ଫନି’ରେ ଏହାକୁ କେତେ ବିନିଯୋଗ କରିଛି, ତାହା ସହରର ସାଂପ୍ରତିକ ଅବସ୍ଥା ବୟାନ କରୁଛି। ଏଇଥିରୁ କେବଳ ଏୟା ବୁଝା ପଡ଼ୁଛି ପ୍ରଶାସନ କେବଳ ଲୋକଙ୍କୁ ସ୍ଥାନାନ୍ତର କରି ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି ସିନା, କିନ୍ତୁ ଆଜି ବି କାର୍ଯ୍ୟକଳାପରେ ସେତିକି ସ୍ମାର୍ଟ ହୋଇପାରିନି…। ୨୦ ବର୍ଷ ତଳର ତୁଳନାତ୍ମକ ଚିତ୍ର ସହ ସ୍ବତନ୍ତ୍ର ଉପସ୍ଥାପନା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ରେ ୪ଦିନରେ କିଛି ଅଞ୍ଚଳକୁ ହୋଇଥିଲା ବିଦ୍ୟୁତ ଯୋଗାଣ
ମହାବାତ୍ୟାରେ ୨୦୦ କିଲୋମିଟର ବେଗରେ ପବନ ବହିଥିଲେ ହେଁ ୪ ଦିନ ମଧ୍ୟରେ ୬ ନମ୍ବର ସରକାରୀ ହସ୍ପିଟାଲ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ୍, ନୂଆପଲ୍ଲୀ ପାୱାର ଷ୍ଟେସନ୍, ଟେଲିଫୋନ୍ ଏକ୍ସଚେଞ୍ଜ୍, ଡାକ୍ତରଖାନା, ରାଜଭବନ ଓ ରାଜ୍ୟ ସଚିବାଳୟକୁ ବିଦ୍ୟୁତ ଯୋଗାଣ ହୋଇଯାଇଥିଲା। ଜାଭିଅର ଓ ସତ୍ୟନଗରକୁ ବାଦ ଦେଇ ସମସ୍ତ ୩୩/୧୧ କେଭି ସବ୍ଷ୍ଟେସନ୍କୁ ଚାଲୁ କରାଯାଇଥିଲା। କିନ୍ତୁ ଏବେ ବୈଷୟିକ ଜ୍ଞାନ କୌଶଳ ଏତେ ଥାଇ ମଧ୍ୟ ବାତ୍ୟା ‘ଫନି’କୁ ୬ ଦିନ ବିତିବା ପରେ ମାତ୍ର ୧୦ ପ୍ରତିଶତ ସ୍ଥାନକୁ ବି ବିଦ୍ୟୁତ ସରବରାହ ହୋଇପାରିନି।
ଆଜି ବି ଲମ୍ବା ଲାଇନ୍: ମହାବାତ୍ୟାର ବିଭୀଷିକା ପରେ ସେତେବେଳେ ବି ଢିଙ୍କିଆ କଳ ଆଗରେ ଲମ୍ବା ଲାଇନ୍ ଲାଗିଥିଲା। ରିଲିଫ୍ ପାଇବାକୁ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଥିଲା। ପେଟ୍ରୋଲ୍ ଟାଙ୍କି ଆଗରେ ଲମ୍ବା ଲାଇନ୍ ଲଗେଇ ତେଲ ପକେଇବାକୁ ପଡ଼ିଥିଲା। ୨୦ ବର୍ଷ ପରେ ବି ସେଇ ସମାନ ଅବସ୍ଥା। ଆଜି ବି ଏଟିଏମ୍, ପାଣି ଟାଙ୍କି, ରିଲିଫ୍ ସ୍ଥଳ, ପେଟ୍ରୋଲ୍ ଟାଙ୍କି ଆଗରେ ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ୁଛି।
ସହରରେ ପଶିଥିଲେ ଚନ୍ଦକା ହାତୀ
ମହାବାତ୍ୟାରେ ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରେ ଶାଳ ଓ ବାଉଁଶ ଗଛ ଭାଙ୍ଗିବା ସହ ଖାଦ୍ୟ ଅଭାବ ଯୋଗୁଁ ହାତୀମାନେ ସହର ମୁହାଁ ହୋଇଥିଲେ। ୧୯୯୯ ନଭେମ୍ବର ୧୨ ତାରିଖରେ ଏକ ହାତୀ କାନନବିହାର ମଧ୍ୟକୁ ପଶି ଆସିଥିଲା। ଏବେ କିନ୍ତୁ ୨୦ ବର୍ଷ ମଧ୍ୟରେ ହାତୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଛି। ବ୍ୟାପକ କ୍ଷତି ହୋଇ ନାହିଁ। ସବୁଠୁ ବଡ଼ କଥା ହେଉଛି, ଚନ୍ଦକାରେ ତ ଆଉ ଆଗଭଳି ହାତୀ ନାହାନ୍ତି। ତେଣୁ ହାତୀ ସହର ମୁହାଁ ହେବାର ପ୍ରଶ୍ନ ହିଁ ଉଠୁନି।
ଉଭାନ ହୋଇଯାଇଥିଲେ ୧୪୨ ଜୀବଜନ୍ତୁ
୧୯୯୯ ମହାବାତ୍ୟା ସମୟରେ ଦେଶର ପ୍ରମୁଖ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ରେ ବ୍ୟାପକ କ୍ଷତି ହୋଇଥିଲା। ୨୦ଟି କୁମ୍ଭୀର କେଉଁ ଆଡ଼େ ଚାଲିଯାଇଥିଲେ। ୧୮ ବର୍ଷ ବୟସର ଏକ ସିଂହ, ୪ଟି ହରିଣ, ଗୋଟିଏ ନୀଳଗାଈ ମୃତ୍ୟୁବରଣ କରିଥିଲେ। ଏହାବ୍ୟତୀତ ଆନେକ ପଶୁପକ୍ଷୀ ବି ପ୍ରାଣ ହରାଇଥିଲେ। ମୋଟ ୧୧୨୦ ଜୀବଜନ୍ତୁଙ୍କ ମଧ୍ୟରୁ ୩୫ଟି ମୃତ ଓ ୧୪୨ଟି ନିଖୋଜ ହୋଇ ଯାଇଥିଲେ। ‘ଫନି’ ପ୍ରଭାବରେ ‘ନନ୍ଦନକାନନ’ କ୍ଷତିଗ୍ରସ୍ତ ହୋଇଛି। ତେବେ ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟାରେ ରୋକ ଲଗାଯାଇପାରିଛି। ‘ଫନି’ ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବାରୁ ମହାବାତ୍ୟା ପରି ଅଘଟଣକୁ ଏଥର ଏଡ଼ାଇ ଦିଆଯାଇ ପାରିଛି। ତେବେ ୧୯୯୯ ମହାବାତ୍ୟା ପରି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
ସେଦିନ ମାତିଥିଲେ କାଠଚୋର, ଆଜି ଛୁଉଁନାହାନ୍ତି
ମହାବାତ୍ୟାରେ ୯୦ ପ୍ରତିଶତ ବୃକ୍ଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଫନିରେ ମଧ୍ୟ ସମାନ ନଷ୍ଟ ହୋଇଛି। ସେତେବେଳେ ସହରର ୨୫ ପ୍ରତିଶତ ସବୁଜିମାରେ ଭରପୂର ଥିଲା, ଆଜି ବି ସଂଖ୍ୟା ତାହାଠୁ ଅଧିକ ହେବନାହିଁ। କାଠ ଚୋରମାନେ ନିଜେ ଗଛ କାଟି ରିକ୍ସା, ଟ୍ରଲି ଓ ମିନିଟ୍ରକ୍ରେ ବୋହିନେଇଥିଲେ। ଏବେ କିନ୍ତୁ ଘରେଘରେ ଗ୍ୟାସ୍ ବ୍ୟବସ୍ଥା ଯୋଗୁଁ କାଠ ପଡ଼ି ରହିଥିଲେ ହେଁ, ନେବାକୁ କାହାର ମନ ବଳୁନାହିଁ।