ତୋରଣକୁ ତିତ୍‌ଲି ଭୟ

ଭୁବନେଶ୍ବର : ବନ୍ଧା ସରିଛି ତୋରଣ। ସଜା ସରିଛି ସୁଦୃଶ୍ୟ ଆଲୋକମାଳା। ପୂଜାକୁ ନେଇ ନାହିଁ ନଥିବା ଉତ୍କଣ୍ଠା। ମାତ୍ର ‘ତିତ୍‌ଲି’ ଚିନ୍ତା ବଢ଼େଇ ଦେଲାଣି। ଆସନ୍ନ ବାତ୍ୟାକୁ ନେଇ ଛାତିରେ ଛନକା ପଶିଗଲାଣି। ହଜାର ହଜାର କାରିଗର ଦିନରାତି ଏକ କରି ତିଆରିଥିବା ତୋରଣକୁ ‘ତିତ୍‌ଲି’ କାଳ ସାଜିଛି। ଲକ୍ଷାଧିକ ଟଙ୍କା ବିନିମୟରେ ସୁଦୃଶ୍ୟ ତୋରଣ ଠିଆ କରିଥିବା ପୂଜାନୁଷ୍ଠାନର କର୍ମକର୍ତାଙ୍କ ଉତ୍ସାହ ଫିକା ପଡ଼ିଗଲାଣି। ଏବେ ସଭିଙ୍କ ମୁହଁରେ ଗୋଟିଏ କଥା, ଏକା ମା’ ହିଁ ଭରସା।

ଚଳିତ ବର୍ଷ ସହର ଓ ଉପକଣ୍ଠରେ ୧୭୬ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ତୋରଣକୁ ନେଇ ତିତ୍‌ଲି ସତର୍କ ଘଣ୍ଟି ବଜାଇ ସାରିଲାଣି। ‌୧୦ ତାରିଖ ସକାଳୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ। ସନ୍ଧ୍ୟା ବେଳକୁ ପବନର ବେଗ ୭୫ କିଲୋମିଟର ହୋଇପାରେ। ଦକ୍ଷିଣ ଓଡ଼ିଶାରେ ପ୍ରଭାବ ବେଶି ଅନୁଭବ ହେବାକୁ ଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ରହିବ। ପ୍ରବଳ ବର୍ଷା ହେବ। ତେଣୁ ଅନେକ ସ୍ଥାନରେ ତୋରଣକୁ ସମ୍ଭାଳିବା ପାଇଁ ଆବଶ୍ୟକ କୌଶଳ ଆପଣେଇବାକୁ ଅଣ୍ଟା ଭିଡ଼ିଛନ୍ତି କିଛି ପୂଜା ମଣ୍ଡପ। ବିଶେଷକରି ବଡ଼ ପୂଜା ମଣ୍ଡପଗୁଡ଼ିକର ତୋରଣ ନିର୍ମାଣାଧୀନ ‌ଥିବା ବେଳେ କିଛି ସ୍ଥାନରେ ପ୍ଲାଏରେ ତୋରଣ ନିର୍ମିତ ହୋଇଥିବାରୁ ଏହା ପବନ ମାଡ଼ରେ ଭାଙ୍ଗିଯିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କିଛି ପୂଜା ମଣ୍ଡପ। ଫଳରେ ଏହାକୁ ନେଇ ପୂଜାନୁଷ୍ଠାନର କର୍ମକର୍ତାଙ୍କ ମଧ୍ୟରେ ଆଶଙ୍କା ଖେଳି ଯାଇଛି।

ଅସ୍ଥାୟୀ ସାଜସଜା ପାଇଁ ମିଳୁନି ବୀମା ବ୍ୟବସ୍ଥା

ଆସନ୍ନ ବାତ୍ୟା ତିତ୍‌ଲିକୁ ନେଇ ପୂଜା ମଣ୍ଡପ ଭିତରେ ଭାଳେଣି ପଡ଼ିଛି। ଏଥିପାଇଁ ପୂଜାନୁଷ୍ଠାନ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ତେଣୁ ପୂଜା ପୂର୍ବରୁ କିଛି ବଡ଼ ପୂଜାନୁଷ୍ଠାନ ବୀମା ବ୍ୟବସ୍ଥା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମାତ୍ର ଏହି ଅସ୍ଥାୟୀ ସାଜସଜା ପାଇଁ ବୀମା ଅନୁଷ୍ଠାନ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁ କିଛି ବୀମା ଅନୁଷ୍ଠାନ ତୋରଣ ପାଇଁ ବୀମା କରିବାକୁ ରାଜି ହେଉଛନ୍ତି ସେମାନେ ଏଥିପାଇଁ ଅଧିକ ଟଙ୍କାର ବୋଝ ଲଦୁଛନ୍ତି। ତେଣୁ ପୂଜା ମଣ୍ଡପଗୁଡ଼ିକ ଆସନ୍ନ ବାତ୍ୟାକୁ ନେଇ ବୀମା କରିବାକୁ ଚାହିଁଲେ ବି କରିପାରୁନାହାନ୍ତି।

ମନେ ପଡ଼ିଯାଉଛି ଫାଇଲିନ୍‌

୧୯୯୯ ମସିହା ମହାବାତ୍ୟା ବେଳକୁ ପୂଜା ସରି ଯାଇଥିବାରୁ ପୂଜା ମଣ୍ଡପ ପ୍ରଭାବିତ ହୋଇ ନଥିଲା। ମାତ୍ର ଫାଇଲିନ୍‌ ସମୟରେ କିଛି ପୂଜା ମଣ୍ଡପ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ରସୁଲଗଡ଼ ପୂଜା ମଣ୍ଡପ ସମ୍ପୂର୍ଣ୍ଣ ଶୋଇ ଯାଇଥିବା ବେଳେ ସହିଦନଗର ଦୁର୍ଗାପୂଜା ତୋରଣ ସାମ୍ନାକୁ ମୁହଁ ମାଡ଼ି ପଡ଼ିଯାଇଥିଲା। ଖାଲି ଏତିକି ନୁହେଁ ଅଧିକାଂଶ ପୂଜା ମଣ୍ଡପର ତୋରଣ ମୋଡ଼ି ହୋଇ ଦିଗ ବଦଳିଯାଇଥିଲା।

ପ୍ରସ୍ତୁତ ଅଗ୍ନିଶମ ବାହିନୀ

ଆସନ୍ନ ବାତ୍ୟାକୁ ନେଇ ସଚେତନ ହୋଇଛି ଅଗ୍ନିଶମ ବାହିନୀ। ଲୋକେ ଯେପରି ପୂଜା ବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଅଗ୍ନିଶମ ବାହିନୀ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଅଣ୍ଟା ଭିଡ଼ିଛି। ସହର ଓ ଉପକଣ୍ଠରେ ଥିବା ୬ଟି ଦମକଳ କେନ୍ଦ୍ରର ପ୍ରାୟ ୧୦୦ରୁ ଅଧିକ ଅଗ୍ନିଶମ ବଳ ପ୍ରସ୍ତୁତ ଅଛନ୍ତି। କଟର, ଟାୱାର ଲାଇଟ୍‌, ପାଣି ପମ୍ପ ସହ ପ୍ରସ୍ତୁତ ଥିବା ବେଳେ ‌ସେମିତି କିଛି ସମସ୍ୟା ଦେଖାଗଲେ ତୁରନ୍ତ ଏନେଇ ପଦକ୍ଷେପ ନିଆଯିବା ନେଇ ପ୍ରସ୍ତୁତ ‌ଅଛୁ ବୋଲି ଅଗ୍ନିଶମ ଅଧିକାରୀ ସରୋଜ ବେହେରା କହିଛନ୍ତି।

ମା’ ଏକା ସାହା

ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିବା ପାଇଁ ଯଥା ସମ୍ଭବ ପୂଜା ମଣ୍ଡପର ତୋରଣକୁ ଗୁରୁତ୍ବ ଦିଆଯାଉଛି। ତୋରଣକୁ ସପୋର୍ଟ ଦେଇ ବାତ୍ୟା ପବନକୁ ସମ୍ଭାଳିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଥିସହ ବାତ୍ୟା ଟଳିଯିବା ପାଇଁ ମା’ଙ୍କ ନିକଟରେ ଦୀପ ଜାଳିବୁ ବୋଲି ନୟାପଲ୍ଲୀ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ବେହେରା ଓ ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି। ସହିଦନଗର ଦୁର୍ଗାପୂଜା ମଣ୍ଡପର ସ୍ବତନ୍ତ୍ର ପୂଜା ଗୃହ ଥିବାରୁ ତା ସହିତ ତୋରଣକୁ ସଂଲଗ୍ନ କରି ସପୋର୍ଟ ଦିଆଯାଇଛି ବୋଲି ପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି। ପ୍ରାକୃତିକ ଦୁର୍ବିପାକକୁ ସମ୍ଭାଳିବା କାହା ହାତରେ ନଥିବାରୁ ମା’ ହିଁ ଏକମାତ୍ର ସାହା ବୋଲି କହିଛନ୍ତି ସମସ୍ତ ପୂଜା ମଣ୍ଡପ।

କମୁଛି ରାବଣପୋଡ଼ି, ଚିନ୍ତାରେ କାରିଗର

ପୁରୁଣା ଭୁବନେଶ୍ୱର : ଦଶହରା ଦିନ ମା’ଙ୍କ ଦର୍ଶନ ଲାଗି ଲୋକଙ୍କ ମନରେ ଯେତିକି ଉତ୍ସାହ ଥାଏ, ତା’ଠାରୁ ଅଧିକା ରାଜଧାନୀର ରାବଣପୋଡ଼ି ଦେଖିବା ପାଇଁ ଥାଏ। ତେଣୁ ଦୁର୍ଗାପୂଜା ପାଖେଇ ଆସୁଥିବାରୁ ରାବଣ ମୂର୍ତିି କାରିଗରମାନେ ବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସ୍ଥାନୀୟ ଡାକବଙ୍ଗଳା ଛକ ନିକଟରେ ରହୁଥିବା ରାଜ କିଶୋର ମହାପାତ୍ରଙ୍କ ପରିବାର ମୂର୍ତିି ନିର୍ମାଣରେ ଲାଗିଗଲେଣି। କିନ୍ତୁ ଦିନକୁ ଦିନ ବଇନା କମ୍‌ ମିଳୁଥିବାରୁ ଏହି ପରିବାର ଚିନ୍ତିତ ହୋଇ ପଡ଼ିଛନ୍ତି। ଯେତିକି ଆୟ ହେଉଛି ସେଥରୁ ମୂଳ ଖର୍ଚ ବି ଉଠିବା ଅସମ୍ଭବ ହୋଇପଡ଼ିଛି। ରାଜକିଶୋର ଓ ତାଙ୍କ ପରିବାର ଦୀର୍ଘ ୩୦ ବର୍ଷ ହେଲା ରାବଣ ତିଆରି କରୁଛନ୍ତି। ଚଳିତ ବର୍ଷ ଡମଣା ଛକ, ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା ବ୍ୟତୀତ ପୁରୀ ଜଟଣୀରେ ହେବାକୁ ଥିବା ରାବଣ ପୋଡ଼ି ପାଇଁ ସେମାନେ ରାବଣ ପ୍ରସ୍ତୁତ କରୁଛନ୍ତି। ଏଥର ପ୍ରାୟ ୪୦ରୁ ୪୫ଫୁଟ୍ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ରାବଣ ତିଆରି କରାଯାଉଥିବା ରାଜ କିଶୋରଙ୍କ ପତ୍ନୀ ଶୋଭାମଣୀ କହିଛନ୍ତି। ବାଉଁଶ, ସୂତୁଲି, କତା, କପଡ଼ା, କାଗଜରେ ବିଭିନ୍ନ ରଙ୍ଗ ଦେଇ ରାବଣ ତିଆରି ହୋଇଥାଏ। ହେଲେ ଏହି କାମରେ ଖର୍ଚ୍ଚ ଅଧିକ ଲାଭ କମ୍‌। ତେବେ ପୂର୍ବ ବର୍ଷମାନଙ୍କରେ ୧୨ଟି ରାବଣ ତିଆରି ପାଇଁ ଅର୍ଡର ମିଳୁଥିବା ବେଳେ ଚଳିତ ବର୍ଷ ମାତ୍ର ୫ଟିର ବଇନା ମିଳିଛି। ଆତସବାଜି ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିବାରେ ସମସ୍ୟା ହେଉଥିବାରୁ ଆୟୋଜକମାନେ ରାବଣପୋଡ଼ିରୁ ମୁହଁ ଫେରାଇ ନେଉଛନ୍ତି। ଫଳରେ ଏଥର ରୋଜଗାର କମିଯାଇଥିବାରୁ ମୂଳ ଟଙ୍କା ଉଠିବା ମଧ୍ୟ କଷ୍ଟକର ବୋଲି ଶ୍ରୀମତୀ ମହାପାତ୍ର କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଡିଷ୍ଟ୍ରିକ୍ଟ ସେଣ୍ଟର୍‌ରେ ପୂଜା ପାଇବେ ୧୪ ମୂର୍ତ୍ତି

ଚନ୍ଦ୍ର‌େଶଖରପୁର : ମା’ଙ୍କ ଆରାଧାନ ପାଇଁ ସଜେଇ ହେଉଛି ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଦୁର୍ଗାପୂଜା ମଣ୍ଡପ। ସହରର ସବୁ ପୂଜା ମଣ୍ତପଠାରୁ ଭିନ୍ନ ହେଉଥିବା ଏହି ମଣ୍ତପରେ ଏଥର ସର୍ବାଧିକ ମୂର୍ତ୍ତି ପୂଜା ପାଇବେ। ମା’ ଦୁର୍ଗାଙ୍କ ସମେତ ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକ, ମହିଷାସୁର, ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ଇନ୍ଦ୍ର, ବରୁଣ, କୁବେର, ଶୁମ୍ଭ, ନିଶୁମ୍ଭ ମଣ୍ତପରେ ପୂଜା ପାଇବେ। ୧୨ ଫୁଟ ଉଚ୍ଚତାର ଡ୍ରାଗନ୍‌, ଡାଇନସର୍‌ ଉପରେ ମହିଷାସୁର ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିବ। ୧୬ ଫୁଟ ଉଚ୍ଚତାର ମା’ ଦୁର୍ଗାଙ୍କ ମୂର୍ତ୍ତି ଦେଖିବାକୁ ପାଇବେ ଭକ୍ତ। ଦେବସଭା, ଇନ୍ଦ୍ରସଭା, ମହିଷାସୁର ସେନା ପଟୁଆର ପ୍ରଦର୍ଶିତ ହେବ। କେନ୍ଦ୍ରାପଡ଼ା ବରୁଅଁର ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ତାଙ୍କର ୧୧ ଜଣ ସହଯୋଗୀ ଗତ ମା‌େସ ଧରି ମୂର୍ତ୍ତି ତିଆରି କରୁଛନ୍ତି। ସପ୍ତମୀଠାରୁ ଭସାଣି ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଭଜନ ସମାରୋହ ଅନୁଷ୍ଠିତ ହେବ। ନବମୀରେ ଦହି ପଖାଳ ଓ ବିଜୟା ଦଶମୀରେ ଛେନା ମଣ୍ତା, ଚରୁଅନ୍ନ ବ୍ୟବସ୍ଥା ରହିଛି। ନବମୀରେ କୁମାରୀ ପୂଜା, ବିଶ୍ବଶାନ୍ତି ନିମନ୍ତେ ଳାୟନ୍ସ କ୍ଲବ୍‌ ଦ୍ବାରା ୧୦୮ ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବ। ସପ୍ତମୀରେ ୩୭ ଜଣ ମହିଳା କୁଆଖାଇ ନଦୀରୁ କଳସ ଯାତ୍ରାରେ ବାହାରି ମଣ୍ତପ ନିକଟରେ ପହଞ୍ଚିବେ। ଏଥର ମଣ୍ତପରେ ଆଲୋକୀକରଣକୁ ଗୁରୁତ୍ବ ଦିଆଯାଇଛି। ସମ୍ମୁଖ ଭାଗରେ ଲିଙ୍ଗରାଜ ମନ୍ଦିର ଆକୃତିରେ ଲାଇଟ୍‌ ତୋରଣ ତିଆରି କରାଯିବ। ଭକ୍ତଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କମିଟିର ସଭାପତି ବିଶ୍ବନାଥ ମହାନ୍ତି, ସମ୍ପାଦକ ସିଦ୍ଧାର୍ଥ ଦାଶ, ଉପସଭାପତି ପୁଲ୍ଲିନ୍‌ ବିହାରି ଦାଶ, କୋଷାଧ୍ୟକ୍ଷ ଏଲ୍‌ଏନ୍‌ ପାତ୍ର, ରମେଶ ଚନ୍ଦ୍ର ମିଶ୍ର, ହରିହର ଖୁଣ୍ଟିଆ, ବିଷ୍ଣୁଚରଣ ଦତ୍ତ, କଳ୍ପନା ଦାଶ, ରେବତୀ ସ’ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆଜିଠୁ ମା’ ଦୁର୍ଗାଙ୍କର ନଗର ପରିକ୍ରମା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରୁ ମା’ ଦୁର୍ଗାଙ୍କ ନଗର ପରିକ୍ରମା ନବରାତ୍ରି ପ୍ରାରମ୍ଭରୁ ବିଧି ଅନୁଯାୟୀ ହୋଇଥାଏ। ମଙ୍ଗଳବାରଠାରୁ ନବରାତ୍ରି ପୂଜା ଆରମ୍ଭ ହେଉଥିବାରୁ ଏହି ଅବସରରେ ମା’ଙ୍କର ନଗର ପରିକ୍ରମା ଅନୁଷ୍ଠିତ ହେବ। ପାଲିଙ୍କିରେ ମା’ ବିରାଜମାନ ହୋଇ ତ୍ରାସ, ଛତା, କାହାଳି ଓ ଘଣ୍ଟୁଆ ସେବାୟତମାନଙ୍କ ଗହଣରେ ବୈତାଳ ମନ୍ଦିର ନିକଟକୁ ଯାତ୍ରା କରିବେ। ମନ୍ଦିରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସକାଳ ଧୂପ ବେଳେ ମା’ ଦୁର୍ଗା ଆଡ଼ କାଠ ନିକଟକୁ ଆସି ଏକ ଖଟୁଲି ଉପରେ ବସିବା ପରେ ଭୋଗଲାଗି କରାଯିବ। ଏହା ସରିବା ପରେ ଠାକୁରଙ୍କ ଆଳତି ହେବ। ସେହିପରି ସନ୍ଧ୍ୟା ଧୂପ ସମୟରେ ମା’ ନଗର ପରିକ୍ରମାରେ ବାହାରି ବୈତାଳ ମନ୍ଦିର ନିକଟକୁ ଯାତ୍ରା କରିବେ। ସେଠାରେ ମନ୍ଦିର ନିକଟରେ ମା’ଙ୍କୁ ମୁଆଁ ଭୋଗ ଲାଗି ହେବ। ସେହିପରି ଠାକୁରଙ୍କ ଆଳତି ସରିବା ପରେ ଆଙ୍ଗ୍ୟା ପ୍ରସାଦ ଓ ଚନ୍ଦନକୁ ପୂଜାପଣ୍ଡା ସେବାୟତ ମା ଦୁର୍ଗାଙ୍କ ମୁଣ୍ଡରେ ଲଗାଇବା ପରେ ଭେଟ ଆଳତି କରାଯିବ। ଏହା ପରେ ମା’ ଦକ୍ଷିଣୀ ଘରକୁ ଯାଇ ନୀତି ସମ୍ପୂର୍ଣ୍ଣ କରାଯିବ।

ଆଜିଠୁ ମା’ ପାର୍ବତୀଙ୍କ ନବଦିନାତ୍ମକ ପୂଜା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ମା’ ପାର୍ବତୀଙ୍କ ନବଦିନାତ୍ମକ ପୂଜା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅବସରରେ ମା’ଙ୍କ ପାଖରେ ୯ଦିନ ଧରି ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସକାଳ ଧୂପ, ଦ୍ବିପ୍ରହର ଧୂପ ଓ ସନ୍ଧ୍ୟା ଧୂପ ସରିବା ପରେ ମା’ ପାର୍ବତୀଙ୍କ ପାଖରେ ସକାଳ ଧୂପ, ଦ୍ବିପ୍ରହର ଧୂପ ଓ ସନ୍ଧ୍ୟା ଧୂପ କରାଯିବ। ଏହି ଧୂପ ପରେ ଶ୍ରୀଜିଉଙ୍କ ସମର୍ପଣ ଭୋଗକୁ ମା’ଙ୍କ ପାଖରେ ଅର୍ପଣ କରାଯିବ। ପ୍ରତ୍ୟହ ସକାଳେ ଫଳ ଭୋଗ କରାଯିବା ସହ ଦ୍ବିପ୍ରହର ଧୂପ ବେଳେ ଖେଚୁଡ଼ି, ଡାଲମା, ଦହି ପଖାଳ, କାକରା, ଖଟା, ଖିରି ଆଦି ଭୋଗ ଲାଗି ହେବ। ସନ୍ଧ୍ୟା ଧୂପରେ ଛେନା, କଦଳୀ ଓ ମୁଆଁ ଭୋଗ କରାଯିବ ବୋଲି ମନ୍ଦିର ସେବାୟତ କହିଛନ୍ତି।

ଟଙ୍କପାଣି ରୋଡ୍‌ରେ ତାଜମହଲ

ନବମୀରେ ବଛା ହେବେ ବ୍ରହ୍ମେଶ୍ବର କୁମାର
ତୋରଣରେ ଝଟକିବ ତାଜମହଲ। ୬୪ ଫୁଟ ଉଚ୍ଚ ଓ ୫୮ ଫୁଟ ଓସାର ବିଶିଷ୍ଟ ତୋରଣରେ ଏହି ଅନୁଭବ ‌ଦେବ ଟଙ୍କପାଣି ରୋଡ୍‌ ସାର୍ବଜନୀନ ଦୁର୍ଗାପୂଜା କମିଟି। କୋଲକାତାର ମୁର୍ଶିଦାବାଦରୁ କାରିଗରମାନେ ଏହି ତୋରଣ ନିର୍ମାଣରେ ନିୟୋଜିତ ହୋଇଛନ୍ତି। ତୋଣକୁ ଏଭଳି ପ୍ରସ୍ତୁତ କରଯାଉଛି ଯେଭଳି ତାହା ଉଭୟ ପଟୁ ତାଜମହଲ ଦୃଶ୍ୟମାନ ହେବ। ଚଳିତ ବର୍ଷ କମିଟି ପକ୍ଷରୁ ପୂଜା ୯ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାରେ ସମୁଦାୟ ୧୦ ଲକ୍ଷ ଟଙ୍କା ଖର୍ଚ ହେବା ନେଇ ଆକଳନ କରାଯାଇଛି। ପୂଜା କମିଟି ପକ୍ଷରୁ ପରମ୍ପରା ଓ ବିଧିକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଷଷ୍ଠୀରେ ବିଲ୍ବାଧିବାସ, ମହାସପ୍ତମୀରୁ କଳସଯାତ୍ରା, ନବପତ୍ରିକା ପ୍ରବେଶ, ଚକ୍ଷୁଦାନ କରାଯାଇ ଚଣ୍ଡୀପାଠ ଆରମ୍ଭ ହେବ ମହାଷ୍ଟମୀରେ ବିହିତ ପୂଜା, ସନ୍ଧି ପୂଜା ହେବା ସହ ରାତି ୯ଟା ୩୯ମିନିଟ୍‌ରେ ପାଣିକଖାରୁ ବଳିଦାନ ଦିଆଯିବ।

୧୦ହଜାର ଲୋକଙ୍କୁ ପ୍ରସାଦ
ଅଷ୍ଟମୀ, ନବମୀ ଓ ଦଶମୀରେ ଟଙ୍କପାଣି ବ୍ରିଜ୍‌ ଠାରୁ ରବିଟକିଜ୍‌ ପର୍ଯ୍ୟନ୍ତ ୧୦ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯିବ। ପୂଜାରେ ପଲିଥିନ ବ୍ୟବହାର ନକରିବା ପାଇଁ ସଚେତନ କରାଯିବ। ଭସାଣି ଯାତ୍ରାରେ ଡିଜେ ସହ ଘଣ୍ଟ, ଦୁଲଦୁଲି, ଘୋଡ଼ା ନାଚର ଆସର ଜମିବ। ଗୋଲକ ଦାସ (ସଭାପତି)

ମେଲୋଡି ସହ ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ
ସପ୍ତମୀ ଓ ଅଷ୍ଟମୀରେ ମେଲୋଡି ହେବା ସହ ନବମୀ ଦିନ ୧୮ତାରିଖ ସନ୍ଧ୍ୟାରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ‘ବ୍ରହ୍ମେଶ୍ୱର କୁମାର’ କରାଯିବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, କର୍ପୋରେଟର ପୁଷ୍ପା ଦାସ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ସୁଶାନ୍ତ ପଣ୍ଡା (ସମ୍ପାଦକ)

ସମ୍ବନ୍ଧିତ ଖବର