ବାତ୍ୟା ପ୍ରଭାବରେ ରାଜଧାନୀରେ ଘଣ୍ଟାକୁ ପ୍ରାୟ ୧୫୦କିମି ବେଗରେ ପବନ ବହିବା ସହ ୨୪ଘଣ୍ଟାରେ ୨୦୦ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ରାଜଧାନୀରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ବିଭିନ୍ନ ‌ଅଞ୍ଚଳରେ ମୁଖ୍ୟ ଡ୍ରେନ୍ ସଫା କରାଯାଇଥିଲେ ହେଁ ବହୁ ସ୍ଥାନରେ ରାସ୍ତା କଡ଼ରେ ଥିବା ଡ୍ରେନ୍‌ ଏବେବି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି। ଏପରିକି ବହୁ ଅଞ୍ଚଳରେ ଡ୍ରେନ୍‌ ଭିତରେ ଆବର୍ଜନା ଓ ଭଙ୍ଗା ସ୍ଲାବ୍ ପଡ଼ିଥିବାବେଳେ ପାଣି ନିଷ୍କାସନ ବାଟ ପୂରା ବନ୍ଦ ହୋଇଯାଇଛି। ହେଲେ ବିଏମ୍‌ସି ପକ୍ଷରୁ ଏହାକୁ ସଫା କରାଯାଇନି କି ଏନେଇ କୌଣସି ପଦକ୍ଷେପ ନିଆଯାଇନି। ତେଣୁ ଶୁକ୍ରବାର ହେବାକୁ ଥିବା ବର୍ଷାରେ ରାଜଧାନୀ ଜଳବନ୍ଦୀ ହେବା ଏକରକମ ଥୟ ହୋଇଯାଇଛି।

Advertisment

publive-image

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ୪୦ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଥିବାବେଳେ ସେଠାରେ ଜଳନିଷ୍କାସନ ବ୍ୟବସ୍ଥା କରାଯାଇଛି। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ଡ୍ରେନ୍ ଅତ୍ୟନ୍ତ ଅବ୍ୟବସ୍ଥିତ ଭାବେ ଥିବାରୁ ରାଜଧାନୀର ପ୍ରାୟ ସବୁ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଯେଉଁ ୪୦ଟି ସ୍ଥାନ ସମ୍ବେଦନଶୀଳ ଅଛି ସେଥିରୁ ୧୯ଟି ସ୍ଥାନରେ ଏବେଠାରୁ ୧୦ଏଚ୍‌ପି ଏବଂ ୫ଏଚ୍‌ପିର ପାଣି ପମ୍ପ ମୁତୟନ କରାଯାଇଛି।

ଏହାବାଦ୍ ୧୩ଜଣ ସେକ୍ଟର ଅଫିସରଙ୍କୁ ୧୩ଟି ସବ୍‌ଜୋନ୍‌ର ଦା‌ୟିତ୍ବ ଦିଆଯାଇଛି। ସେମାନେ ସେମାନଙ୍କ ଅଞ୍ଚଳ ପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ‌େନବେ। ସେହିପରି ଗମନାଗମନରେ ଯେପରି କୌଣସି ଅବ୍ୟବସ୍ଥା ସୃଷ୍ଟି ନହୁଏ ସେଥିପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ବିଏମ୍‌ସି ସିଟି ଇଞ୍ଜିନିୟରଙ୍କୁ ସମସ୍ତ ଡ୍ରେନ୍‌ ସଫା କରିବା ଦାୟିତ୍ବ ଦିଆଯାଇଛି। ଏହାସହ ଜଳ ନିଷ୍କାସନ ଯେପରି ତୁରନ୍ତ ହେବ ସେନେଇ ପଦକ୍ଷେପ ନେବେ। ପ୍ରତ୍ୟେକ ସବ୍‌ଜୋନ୍‌ରେ ଗୋଟିଏ ଲେଖାଏଁ ଜେସିବି, ଏସ୍କାଭେଟର ଏବଂ କଟର୍ ରଖାଯାଇଛି।