ଜଟଣୀ: ଜଟଣୀ ବ୍ଲକ୍ କାର୍ଯ୍ୟାଳୟକୁ ଲାଗି ରହିଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଗୋଦାମଘର ଏବେ ବିପଦସଂକୁଳ ଅବସ୍ଥାରେ। ପ୍ରଶାସନିକ ରକ୍ଷଣାବେକ୍ଷଣ ଅଭାବରୁ ଏହି ଆଶ୍ରୟସ୍ଥଳୀର ସଟର୍, ଝରକା ଆଦି ଭାଙ୍ଗିରୁଜି ଗଲାଣି। ଜଗିବା ପାଇଁ କେହି ନଥିବା କାରଣରୁ କ୍ୟାମ୍ପସ୍ ପରିସର ଏବେ ଗାଡ଼ି ପାର୍କିଂ ସ୍ଥଳ ପାଲଟି ଯାଇଛି। ବୁଲା ଗୋରୁଙ୍କ ଅବାଧ ପ୍ରବେଶ ସାଙ୍ଗକୁ ସଞ୍ଜ ନଇଁଲେ ଜମୁଛି ନିଶାଡ଼ିଙ୍କ ଆସର। ବିଳମ୍ବିତ ରାତିରେ ଅସାମାଜିକ ବ୍ୟକ୍ତିମାନେ ଏଠାରେ ଏକାଠି ହୋଇ ଅପରାଧ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଦେଖାଯାଉଛି। ଏହାର ପରିସରରେ ଥିବା ଗୋଦାମଘର ସ୍ଥିତି ମଧ୍ୟ ଦୟନୀୟ। ଏମିତି ହୋଇଛି ଯେ ସେଥିରେ ରିଲିଫ୍ ସାମଗ୍ରୀ ମହଜୁଦ୍ ରଖିବା ବି ସମ୍ଭବ ହେବ ନାହିଁ।
ସ୍ଥାନୀୟ ଲୋକଙ୍କ କହିବା କଥା, ବିଭାଗୀୟ ଉଦାସୀନତା ଯୋଗୁ ଏହି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଶୋଚନୀୟ ହୋଇଗଲାଣି। କ୍ୟାମ୍ପସ୍ ପରିସର ସମେତ କୋଠାର ଅବସ୍ଥା କଦର୍ଯ୍ୟ ହୋଇପଡ଼ିଛି। ମୁଖ୍ୟ ଗେଟ୍ ଦିନରାତି ଖୋଲା ରହୁଥିବାରୁ ଯିଏ ଯେତେବେଳେ ପାରିଲା ଅବାଧରେ ଭିତରେ ପଶୁଛି। ଗୋଦାମଘରର ସଟର୍ଗୁଡ଼ିକ ସବୁ ଭାଙ୍ଗି ଯାଇଥିବାରୁ ଲୋକେ ସେଠାରେ ଗାଡ଼ି ପାର୍କିଂ କରୁଛନ୍ତି। ଭଙ୍ଗା ସଟର୍ଗୁଡ଼ିକ ଦୁର୍ବୃତ୍ତମାନେ ମଧ୍ୟ ଲୁଟିନେଲେଣି। କ୍ୟାମ୍ପସ୍ ପରିସରରେ ଲାଇଟ୍ ଜଳୁ ନଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ଼ା ଜମୁଛି। ପରିସର ଭିତରେ ପୁଳାପୁଳା ମଦ ବୋତଲ ଗଡ଼ୁଛି। ସୂଚନାଯୋଗ୍ୟ ଯେ କରୋନା ସଂକଟ ସମୟରେ ଏଠାରେ କୋଭିଡ୍ କେୟାର୍ ଚାଲିଥିଲା। ମାତ୍ର ଏହା ପରେ ଆଉ କେହି ନଜର ଦେଲେ ନାହିଁ। ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥାଇ ବି ଏହାକୁ ଅଣଦେଖା କରାଯାଉଛି। ଏନେଇ ବିଡିଓ ବସନ୍ତ କୁମାର ହାତୀ କହିଛନ୍ତି ଯେ, କିଛି ମାସ ପୂର୍ବରୁ କ୍ୟାମ୍ପସ୍ ପରିସର ସଫା କରାଯାଇଥିଲା। ତେବେ ଅସାମାଜିକ ବ୍ୟକ୍ତି ପ୍ରବେଶ କରିଥିବା ଖବର ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/30/ssfsfsf-2025-08-30-04-14-53.jpg)