ବାଲିଅନ୍ତା/ବାଲିପାଟଣା: ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳରେ ଖରିଫ ଧାନଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ୭୦ ରୁ ୮୦ କିମି ବେଗରେ ପବନ ବହିବା ଦ୍ବାରା ବାଲିଅନ୍ତା ଅଞ୍ଚଳରେ ପାଚିଲାଧାନ କଚଡ଼ା ଭଳି କିଆରିରେ ପଡ଼ିରହିଛି। ତେଣୁ ପାଣିରେ ପଡ଼ିଥିବା ଧାନକେଣ୍ଡା ଏବେ ଗଜା କିମ୍ବା ପଚି ଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅଧିକାଂଶ କ୍ଷେତରେ ଧାନ ପାଣିରେ ପଡ଼ିଛି। ଗହୀର ଜମିରେ ହୋଇଥିବା ପୂଜା, ୧୦୦୯ ଓ ୧୦୧୮, ପ୍ରତୀକ୍ଷା ଆଦି ଅଧିକ ଅମଳକ୍ଷମ କିସମର ଧାନ ପାଣିରେ ଭାସୁଛି। ସେହିପରି ପନିପରିବା ଫସଲ ପାଇଁ ପକାଯାଇଥିବା ତଳି ବି ନଷ୍ଟ ହୋଇଯାଇଛି। ଚକଡ଼ା ପୋକ ଯୋଗୁ କିଛି ମାତ୍ରାରେ ଧାନଫସଲ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ପାଣିରେ ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହଛନ୍ତି।
ସେହିପରି ବାଲିପାଟଣା ବ୍ଲକ ଅଞ୍ଚଳରେ ବିଲରେ ପାଚିଲା ଧାନ ଗଛ ଶୋଇ ପଡ଼ିଛି। ଧାନ ବିଲରୁ ଏ ପର୍ଯ୍ୟନ୍ତ ପାଣି ଛାଡ଼ିନାହିଁ। ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବାତ୍ୟା ଫନିରେ ବ୍ୟାପକ ଫସଲ ହାନୀ ହୋଇଥିଲେ ମଧ୍ୟ ଏ ଯାଏ ଧାନ, ପାନ, ନଡ଼ିଆ, କୁକୁଡ଼ା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳିନାହିଁ। ଅପରପକ୍ଷରେ ଗତକାଲି ବୁଲ୍ବୁଲ୍ ପ୍ରଭାବରେ ପବନ ହେବାରୁ ହଜାର ହଜାର ହେକ୍ଟର ବିଲରେ ଧାନ ଗଛ ଭାଙ୍ଗି ଶୋଇଛି। କେନାଲରେ ପାଣି ଥିବାରୁ ବିଲରୁ ପାଣି ଛାଡ଼ୁନାହିଁ। ପାଚିଲା ଧାନକେଣ୍ତା ଦୁଇଚାରି ଦିନ ପାଣିରେ ବୁଡ଼ି ରହିଲେ ଗଜା ହୋଇଯିବ ବୋଲି ଚାଷୀମାନେ ମତ ଦେଇଛନ୍ତି। ଅନ୍ୟପଟେ ପାଚିବାକୁ ଥିବା ଧାନ ପାଣିରେ ପଡିଲେ ପଚି ଯିବା ଭୟ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବାଲିପାଟଣା ବ୍ଲକରେ ଜଳସେଚିତ ଓ ଅଣଜଳସେଚିତ ୯ ହଜାର ୮ଶହ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା କୃଷି ବିଭାଗ ତରଫରୁ ସୂଚନା ମିଳିଛି। ଧାନ ତଳିପକା ଠାରୁ ଅମଳ ପୂର୍ବରୁ ଚାଷୀ ବହୁ ସମସ୍ୟାର ସାମ୍ନା କରିଛି। ନିମ୍ନମାନର ବିହନ ଯୋଗୁଁ ମାସକ ପୂର୍ବରୁ ଧାନ କେଣ୍ତା ବାହାରିବା, ଅଗଷ୍ଟ ମାସରେ ବନ୍ୟା, ଅକ୍ଟୋବର ମାସରେ ଲଗାଣ ବର୍ଷା, ଏବଂ ଚକଡ଼ା ପୋକ ଲାଗି ହଜାର ହଜାର ହେକ୍ଟର ଧାନ ଫସଲ କ୍ଷତି ହୋଇଥିବା ଜଣା ପଡ଼ିଛି। ପମ୍ପାଲୋ, କିରୁଞ୍ଜିପୁର, ରାଜସ, ଆଳିଶି, ତୁରିନ୍ତିରା, ଅଠାନ୍ତର, ଗାରେଡିପାଞ୍ଚଣ, ଦେଉଳିଧରପୁର, ନରିଶୋ, ମଝିହରା ପ୍ରଭୃତି ୧୭ଟି ପଞ୍ଚାୟତର ଚାଷୀ କ୍ଷୟକ୍ଷତିର ଶିକାର ହେଉଛନ୍ତି। ସରକାରଙ୍କ ତରଫରୁ ଚାଷ ଉପରେ ଅନେକ ପ୍ରୋତ୍ସାହନ ମିଳୁଥିବା ବେଳେ ବାଲିପାଟଣା ବ୍ଲକ ଚାଷୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଉଥିବା ଜୟଦେବ କୃଷକ ମଞ୍ଚ ସଭାପତି ତାପସ ଜେନା ଅଭିଯୋଗ କରିଛନ୍ତି।