ବାତ୍ୟା ସହାୟତା କାହା ପାଇଁ…

ଭୁବନେଶ୍ବର : ବାତ୍ୟାରେ ପୂରା ରାଜଧାନୀ ଧ୍ବସ୍ତବିଧ୍ବସ୍ତ ହୋଇଗଲା। ହଜାର ହଜାର ଲୋକ ବାସହରା ହେଲେ। କାହାର କାନ୍ଥ ଅଛି, ହେଲେ ଛପର ନାହିଁ। କାହାର ଚାଳ ସହ କାନ୍ଥ ମାଟିରେ ମିଶି ଯାଇଛି। ଅନେକଙ୍କ ଘରେ ତ ଦି ଓଳି ଖାଇବାକୁ ବି ନାହିଁ। ବାଉଁଶ ପୋତି ପଲିଥିନ୍ ଟାଣିବାକୁ ବି ସମ୍ବଳ ଏମାନଙ୍କ ପାଖରେ ନାହିଁ। ତେଣୁ କିଏ କାହା ବାରଣ୍ଡାରେ ରାତି କଟାଉଛି ତ କିଏ ଚିରା ଜରିପାଲ ଗୋଟାଇ ଆଣି କାହା ପାଇଖାନା ଛାତରେ ଟାଙ୍ଗିକି ରହିଛି। ବସ୍ତି ଅଞ୍ଚଳରେ ଏଭଳି ସଙ୍ଗିନ ସ୍ଥିତି ଏବେ ଦେଖିବାକୁ ମିଳୁଛି। ହେଲେ ବିଏମ୍‌ସି ଏମାନଙ୍କ ନିକଟରେ ପହଞ୍ଚି ପାରୁନି। ସରକାରଙ୍କ ବାତ୍ୟା ସହାୟତା ଏମାନଙ୍କ ପାଇଁ ସାତସପନ ପାଲଟିଛି। ଏଥିରୁ ଅଧିକାଂଶଙ୍କର ଭୁଲ୍‌ ହେଲା, ଘରେ ରାସନ୍ କାର୍ଡ ଅଛି ହେଲେ ଯାହା ନାଁରେ ଅଛି ସେ ଲୋକ ଆଉ ଏ ଦୁନିଆରେ ନାହାନ୍ତି। କାହାର ମା’ ମରିଯାଇଛି ନଚେତ୍ କାହାର ସ୍ତ୍ରୀ ମରି ଯାଇଛି। ବାତ୍ୟା ସହାୟତା ପାଇଁ ଗଲେ ବିଏମ୍‌ସି ଅଧିକାରୀ ଟଙ୍କା ଦେବା ନ ଦେବା ତ ଦୂରର କଥା, ମୁହଁ ଉଠାଇ କଥା ହେଉନାହାନ୍ତି। ସହାୟତା କେନ୍ଦ୍ରରେ ପୁଲିସ ପଇଁତରା ମାରୁଥିବାରୁ ସହାୟତା ନମିଳିଲେ ବି ଲୋକ କାହିଁକି ମିଳିବନି ବୋଲି ଜୋର୍‌ କରି ପଚାରି ପାରୁନାହାନ୍ତି।

ଖୋଦ୍ ରାଜଧାନୀରେ ବାତ୍ୟାବିପନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ବାକି ରାଜ୍ୟରେ କିଭଳି ବିକଳ ସ୍ଥିତି ଥିବ ତାହା ଏଥିରୁ ବାରି ହୋଇପଡ଼ୁଛି।

ବାତ୍ୟାର ଦୁଇ ଦିନ ପରେ ବିଏମ୍‌ସି କର୍ତ୍ତୃପକ୍ଷ ଘୋଷଣା କରିଥିଲେ ରାଜଧାନୀର ୧ଲକ୍ଷ ୪ହଜାର ୮୪୧ଜଣ ରାସନ୍ କାର୍ଡ ଧାରୀଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଯୋଗାଇ ଦିଆଯିବ। ଏଥିରେ ଦୁଇ ହଜାର ଟଙ୍କା ସହାୟତା, ପଲିଥିନ୍ ପାଇଁ ୫୦୦ଟଙ୍କା ଏବଂ ୫୦କେଜି ଚାଉଳ ଦିଆଯିବାକୁ ଘୋଷଣା ହେଲା। ହେଲେ ଏବେ ବି ଏଥିରୁ ପ୍ରାୟ ୧୫ହଜାର ଲୋକ ଏହି ସହାୟତା ପାଇନାହାନ୍ତି। ଏପରିକି ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଭୁବନେଶ୍ବରରେ ରାସନ୍ କାର୍ଡ ନଥିଲେ ବି ଲୋକଙ୍କୁ ବାତ୍ୟା ସହାୟତା ମିଳିବ। ରାସନ୍ କାର୍ଡଧାରୀଙ୍କୁ ଯେଉଁ ସୁବିଧା ମିଳୁଛି ତାହା ସମସ୍ତଙ୍କୁ ମିଳିବ। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ କହିଲେ, ପ୍ରାୟ ୧୦ହଜାର ଲୋକ ଏଥିରେ ଉପକୃତ ହେବେ। କିନ୍ତୁ ଏହି ଘୋଷଣାର ୬ଦିନ ପରେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ପ୍ରାୟ ୬୦୦ ଜଣ ରାସନ୍ କାର୍ଡ ନଥିବା ଲୋକ ଉପକୃତ ହୋଇଛନ୍ତି।

ରାଜଧାନୀର ବହୁ ବାତ୍ୟା ବିପନ୍ନଙ୍କ ପରିବାର ନାମରେ ରାସନ୍ କାର୍ଡ ଥିଲେ ହେଁ ଯାହା ନାମରେ ରାସନ୍ କାର୍ଡ ଅଛି ସେ ମରି ଯାଇଛନ୍ତି। ଯାହା ନାମରେ ରାସନ୍ କାର୍ଡ ନାହିଁ, ସେମାନେ ସହାୟତା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଲେ ବି ଟଙ୍କା ମିଳୁନି।

ଏନେଇ ବିଏମ୍‌ସି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ ସେମାନଙ୍କୁ ବାତ୍ୟା ସହାୟତା ଦିଆଯାଉଛି। ହେଲେ ଏଥିପାଇଁ ସେମାନଙ୍କର ନାମ ଅଙ୍ଗନୱାଡି ରେଜିଷ୍ଟରରେ ଥିବା ଦରକାର। ଏଥିରେ ନାମ ନଥିଲେ ଆମକୁ ସହାୟତା ଦେବାକୁ କୁହାଯାଇନି। ତେଣୁ ଆମେ ଦେଉନୁ। ଏପଟେ କର୍ପୋରେଟରମାନଙ୍କ କାର୍ଯ୍ୟକାଳ ଶେ‌ଷ ହୋଇଥିବା ବେଳେ ଭୁବନେଶ୍ବରରେ ଦୁଇ ବିଧାୟକ ଏବଂ ସାଂସଦ ବି ନିର୍ବାଚନ ଲଢ଼ି ନାହାନ୍ତି। ତେଣୁ ଲୋକ ପ୍ରତିନିଧି ବି ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହେଉନାହାନ୍ତି।

ଏପରି ସ୍ଥିତିରେ ଏବେ ଲୋକ କହିଲେଣି, ଆମର ପକ୍କା ଘର ଦ୍ବାର କିଛି ନଥାଇ ବି ଆମକୁ ରାସନ୍ କାର୍ଡ ମିଳିଲାନି। ଏବେ କହୁଛନ୍ତି ଅଙ୍ଗନୱାଡି କେନ୍ଦ୍ରରେ ତୁମ ପରିବାର ନାମ ନାହିଁ। ଅଙ୍ଗନୱାଡି ଦିଦି ଆମ ନାମ ପଞ୍ଜୀକରଣ କଲେନି ବୋଲି ଆମେ କ’ଣ ଦାୟୀ। ଆମର ତ ଆଧାର କାର୍ଡ, ଭୋଟ୍‌ ପରିଚୟ ପତ୍ର ସବୁ ଏଇଠି ଅଛି। କ’ଣ ବାତ୍ୟା ହେବ, ଆଉ ଆମ ଘର ଭାଙ୍ଗି ଯିବ ବୋଲି ଜାଣିଥିଲୁ ଯେ, ଅଙ୍ଗନୱାଡି କେନ୍ଦ୍ରରେ ନାମ ପଞ୍ଜୀକରଣ କରିଥା’ନ୍ତୁ।

ବିଏମ୍‌ସିରେ ଏବେ ଲୋକ ପ୍ରତିନିଧି ନଥିବାବେଳେ ବଡ଼ ବାବୁମାନେ ଯଦି ଗରିବ ଓ ପ୍ରକୃତ ହିତାଧିକାରୀଙ୍କୁ ବାତ୍ୟା ସହାୟତା ନଦେବେ ତେବେ ହଜାର ହଜାର ଲୋକ ଏମିତି ଦୁର୍ବିସହ ଜୀବନ ବିତାଇବେ। ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା କିଛି ଲୋକଙ୍କ ସ୍ଥିତି ପରଖି ଥିଲା ‘ସମ୍ବାଦ’।

ରିପୋର୍ଟ: ବିଶ୍ବଜିତ ଦାଶ, ଫଟୋ: ବିଭୂତି

ରାସନ୍ କାର୍ଡ ନାହିଁ ବୋଲି କିଛି ମିଳିଲାନି

ସ୍ତ୍ରୀ, ଦୁଇଟି ପୁଅ ଝିଅକୁ ନେଇ ସଂସାର। ଦିନ ଯାକ ମଜୁରି ଲାଗିଲେ ଯାହା ମିଳେ ସେଥିରେ ପରିବାର ଚଳେ। ବାତ୍ୟାରେ ଘରଦ୍ବାର ସବୁ ଉଜୁଡ଼ି ଯାଇଛି। ରାସନ୍ କାର୍ଡ ନଥିବାରୁ ଆମକୁ କିଛି ମିଳିଲାନି। ପଲିଥିନ୍‌ଟିଏ ବି କେହି ଦେଲେନି। ଘର କରିବାକୁ ତ ହେବ, ପରିବାର ଲୋକଙ୍କୁ ତ ଖାଇବାକୁ ଦେବାକୁ ହେବ। ଏଥିପାଇଁ ଦିନ ରାତି କାମ କରୁଛି। ଦୁଇ ଓଳି କାମ କରୁଛି। ସକାଳ ୯ଟାରୁ ୫ଟା କାମ କରି ଘରକୁ ଫେରିବା ପରେ ଟିକିଏ କ’ଣ ଖାଇକି ବିଶ୍ରାମ ନେଉଛି। ଆଉ ରାତି ୮ଟାରୁ ପୁଣି ଭୋର୍‌ ଯାଏଁ କାମ କରୁଛି। ସରକାରୀ ସହାୟତା ନମିଳିଲେ କ’ଣ ମୋ ପିଲାଛୁଆ ଖାଇବେନି।
ଦିଗାମ୍ବର ବେହେରା, ବାଳୁଙ୍ଗା ବସ୍ତି, ଗାନ୍ଧୀ ମାର୍କେଟ୍

କୁଡ଼ିଆ ମାଟିରେ ମିଶିଗଲା, କିଛି ମିଳିଲାନି

ଦୁର୍ଗା ମାଟିଆ। ବୟସ ପ୍ରାୟ ୭୦ବର୍ଷ ହେବ। ପରିବାର କହିଲେ ଦୁର୍ଗାଙ୍କୁ ହିଁ ବୁଝାଏ। ଝିଅ ବାହା ହୋଇଯିବା ପରେ ପର ଘରେ ବାସନ ମାଜି ନିଜେ ଚଳୁଛନ୍ତି। ସ୍ବାମୀ ମରିବା ପୂର୍ବରୁ ଦୁଃଖ କଷ୍ଟରେ ଯେଉଁ ମାଟି କୁଡ଼ିଆ ଘରଟିଏ କରିଥିଲେ ବାତ୍ୟା ତାକୁ ମାଟିରେ ମିଶାଇ ଦେଲା। ରାସନ୍ କାର୍ଡ ନାହିଁ। ଫଳରେ ଏବେ ସେ ସରକାରୀ ସହାୟତା ପାଇବାରୁ ବଞ୍ଚିତ।
ଦୁର୍ଗା ମାଟିଆ, ନୀଳପଡ଼ିଆ ବସ୍ତି, ଡମଣା ଛକ

ଖୋଲା ଆକାଶ ତଳେ ରାତି କଟୁଛି

ଗୋଟିଏ ପୁଅ, ପୁତୁରା ପାଖରେ ରହୁଛି। ରାସନ୍‌ କାର୍ଡ ନଥିବାରୁ କିଛି ମିଳିନି। ଘରର ଛପର ଉଡ଼ିଯାଇଛି। ଖୋଲା ଆକାଶ ତଳେ ରାତି କଟୁଛି। ‌ଖରା ବର୍ଷା ସବୁ ଏଇଠି। ‌କେତେବେଳେ କ’ଣ ହୋଇଯିବ ଭାବିଲା ବେଳକୁ ଡର ଲାଗୁଛି।
ବଙ୍ଗାଳୀ ବି‌େଶ‌ାଇ, ଗାନ୍ଧୀ ମାର୍କେଟ୍‌ ବସ୍ତି

ସମ୍ବନ୍ଧିତ ଖବର