ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଆଜି ରାଜଧାନୀରେ ରାଜ୍ୟସ୍ତରୀୟ ସାଇକ୍ଲୋଥନ୍‌ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଥିମ୍ ରହିଥିଲା ‘ପେଡାଲ ଫର୍ ରୋଡ୍‌ ସେଫ୍‌ଟି’। ଏହି ପରିପ୍ରେକ୍ଷୀରେ ସକାଳୁ ରାଜଧାନୀରେ ସାଇକ୍ଲିଷ୍ଟମାନେ ସଚେତନତାର ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସଚେତନତା ଅଭାବ ଓ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ନିରୀହ ଲୋକଙ୍କ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ଆଜିର ଦିନରେ ଆମେ ସଂକଳ୍ପ ନେବା ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଆଇପିଏସ୍ ଅଫିସର୍‌ ତଥା ଓଏସ୍‌ଆରଟିସିର ସିଏମ୍‌ଡି ଅରୁଣ ବୋଥ୍ରା, ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ୍‌ ପିନ୍ଧିବା ଓ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Advertisment

ପରିବହନ କମିସନର ତଥା ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ପରେ ସାଇକ୍ଲିଷ୍ଟମାନେ ରାଜମହଲ ଛକଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଛକମାନ ପରିକ୍ରମା କରି ଓଏସ୍‌ଆରଟିସି ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଭିନ୍ନ ଛକରେ ସାଇକ୍ଲିଷ୍ଟଙ୍କର ଷ୍ଟଣ୍ଟ ବେଶ୍ ଆକର୍ଷଣୀୟ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଆରଟିଓ-୨ ବି.ଏନ୍‌. ଅଧିକାରୀ, ଡେପୁଟି କମିସନର ସଞ୍ଜୟ କୁମାର ବିଶ୍ୱାଳ, ଟ୍ରାଫିକ ପୁଲିସ୍ ଅଧିକାରୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ ସାଇକ୍ଲିଷ୍ଟ ଭାଗ ନେଇଥିଲେ। ସାଇକ୍ଲିଷ୍ଟମାନେ ଗୋଟିଏ ରଙ୍ଗର ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ସହର ପରିକ୍ରମା କରିଥିଲେ।