କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍‌

ଚନ୍ଦ୍ରଶେଖରପୁର: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେୟାର ହସ୍ପିଟାଲ, ଏସ୍‌ବିଆଇ ଲାଇଫ୍‌ ଇନ୍ସ୍ୟୁରାନ୍ସ ଓ ବିସିଏସି, ଭୁବନେଶ୍ବର ପକ୍ଷରୁ ବିଶ୍ବ ହୃତ୍‌ପିଣ୍ଡ ଦିବସ ଅବସରରେ ଏକ ‘ସାଇକ୍ଲୋଥନ୍‌’ ଅନୁଷ୍ଠିତ ହୋଇଯାଇଛି। ଏହି ସାଇକ୍ଲୋଥନ୍‌ କେୟାର ହସ୍ପିଟାଲରୁ ବାହାରି ନାଲ୍‌କୋ ଛକ ଦେଇ ପୁଣିଥ‌ରେ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିଲା।

ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ ଭାରତର ସ୍ଥାୟୀ ବିକାଶ କ୍ଷେତ୍ରରେ ହୃଦ୍‌ରୋଗ ସମ୍ପର୍କରେ ବିପଦର ପ୍ରତିକାରର ଭୂମିକା ଗୁରୁତ୍ବପୂର୍ଣ୍ଣ। ସ୍ବାସ୍ଥ୍ୟ ହେଉଛି ସମସ୍ତ ନାଗରିକ ଓ ରାଜ୍ୟ ପାଇଁ ଏକ ପ୍ରମୁଖ ଦାୟିତ୍ବ। ତେଣୁ ବ୍ୟକ୍ତିଗତ ସ୍ତରରେ ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରିବା ଆବଶ୍ୟକ। ଏଥିସହ ରକ୍ତ ସର୍କରା, କୋଲେଷ୍ଟେରଲ୍‌ ଓ ଟ୍ରାଇଗ୍ଲିସେରାଇଡ୍‌ ଲେଭଲ୍‌କୁ ନିୟନ୍ତ୍ରିତ କରିବା ପାଇଁ ନିୟମିତ ଭାବେ ଶାରୀରିକ କାର୍ଯ୍ୟ କରିବା ଉଚିତ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅମିତ କୁମାର ସାହା କହିଲେ, ଯୁବକମାନେ ଆରାମଦାୟକ ଜୀବନଶୈଳୀ ଗ୍ରହଣ କରିବା କାରଣରୁ ହୃଦ୍‌ରୋଗର ବିପଦ ବୃଦ୍ଧି ପାଉଛି। ତେଣୁ ବର୍ଷକୁ ଅତିକମ୍‌ରେ ଥରେ ହୃତ୍‌ପିଣ୍ଡକୁ ଯାଞ୍ଚ କରାଇନେବା ଆବଶ୍ୟକ। କେୟାର ହସ୍ପିଟାଲର ମୁଖ୍ୟ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ହୃତ୍‌ପିଣ୍ଡର ଯାଞ୍ଚକୁ ଗୁରୁତ୍ବ ପ୍ରଦାନ କରି ସଚେତନତା ଲାଗି ଏଭଳି ସାଇକ୍ଲୋଥନ୍‌ର ଆୟୋଜନ କରାଯାଇଥିବା କହିଥିଲେ। କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲ ଏଚ୍‌ସିଓଓ କିଶଲୟ ଆନନ୍ଦ, ହୃଦରୋଗ ବିଶେଷଜ୍ଞ ବିପିନ ବିହାରୀ ମହାନ୍ତି, ଜିଏମ୍‌-ବିଡି ଲୋକନାଥ ଦାସ, ସୌମ୍ୟ ରଞ୍ଜନ ମହାନ୍ତି, ଦୀପକ ଚୌଧୁରୀ, ଶକ୍ତି ଦାସ, କୀର୍ତ୍ତି ହୋତା, କୁନାଲ ହୋତାଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର