ଭୁବନେଶ୍ୱର: ସୁସ୍ଥ ଜୀବନ ପାଇଁ ଜଳ ଏବଂ ବାୟୁ ପରି ପ୍ରଦୂଷଣମୁକ୍ତ ମୃତ୍ତିକା ଅତ୍ୟନ୍ତ ଜରୁରୀ। କାରଣ ମୃତ୍ତିକା ହେଉଛି ଜୀବ ଏବଂ ଉଦ୍ଭିଦ ସମସ୍ତଙ୍କ ପାଇଁ ଖାଦ୍ୟ-ପ୍ରାଣ। ତେଣୁ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ ଜନସଚେତନତା ପାଇଁ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜଧାନୀରେ ଏକ ସାଇକ୍ଲୋଥନ ଆୟୋଜିତ ହୋଇଯାଇଛି।
ରବିବାର ଦିନ ସକାଳ ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତ ଡମଣା ଛକରୁ ଏହି ସାଇକ୍ଲୋଥନ ଆରମ୍ଭ ହୋଇଥିଲା। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକ, ଇଶା ଫାଉଣ୍ଡେସନ ଭୁବନେଶ୍ୱର ଶାଖାର ସଦସ୍ୟ ଏବଂ ସାଇକେଲପ୍ରେମୀମାନେ ରଘୁନାଥପୁର ପର୍ଯ୍ୟନ୍ତ ସାଇକେଲ ଚଲାଇ ପୁଣି ସେଠାରୁ ଡମଣା ଛକକୁ ଫେରିଥିଲେ।
/sambad/media/post_attachments/wp-content/uploads/2022/06/e9849253-12ba-446f-bc07-cfe382693c75-1024x663.jpg)
ଅନ୍ତର୍ଜାତୀୟ ସ୍ତରରେ ମୃତ୍ତିକାର ମାନ ସଂରକ୍ଷଣକୁ ନେଇ ଇଶା ଫାଉଣ୍ଡସନର ପ୍ରତିଷ୍ଠାତା ସଦ୍ଗୁରୁ ‘ସେଭ୍ ସଏଲ୍’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ବାର୍ତ୍ତାକୁ ପ୍ରସାରିତ କରିବା ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ‘ସେଭ୍ ସଏଲ୍’ ଥିମ୍ ସଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରି ରାସ୍ତାରେ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
‘‘ବିଶ୍ୱ ଜନସ୍ୱାସ୍ଥ୍ୟକୁ ବାୟୁ, ଜଳ, ପରିବେଶ ଏବଂ ଜଳବାୟୁ ଗଭୀର ଭାବେ ପ୍ରଭାବିତ କରିଥାଏ। କେହି କେହି ମତ ଦିଅନ୍ତି ଯେ, ଜଳ ସଙ୍କଟ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। କିନ୍ତୁ ମୋ ମତରେ ହୁଏତ ତୃତୀୟ ବିଶ୍ୱଯୁଦ୍ଧର ପ୍ରମୁଖ କାରଣ ହୋଇପାରେ ମାଟି ବା ମୃତ୍ତିକାର ଗୁଣବତ୍ତାକୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନ। କାରଣ ମାଟି ହେଉଛି ସମସ୍ତ ଜୀବ ଓ ଉଦ୍ଭିଦ ଜଗତର ଆଧାର। ତେଣୁ ଆଜି ଆମ ସମସ୍ତଙ୍କର, ବିଶେଷକରି ଯୁବପିଢ଼ିର ଦାୟିତ୍ୱ ହେଉଛି ଏହି ମାଟିକୁ ବଞ୍ଚାଇବା”, କାର୍ଯ୍ୟକ୍ରମ ଅବସରରେ ଏକ ବାର୍ତ୍ତା ଦେଇ କହିଛନ୍ତି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଭାପତି ତଥା ଆମେରିକାସ୍ଥିତ ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାକ୍ତର ପିନାକୀ ପାଣିଗ୍ରାହୀ।
ସେହିପରି କୁଳପତି ପଦ୍ମଶ୍ରୀ ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସାଇକ୍ଲୋଥନର ଲକ୍ଷ୍ୟ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ମୃତ୍ତିକା ବଞ୍ଚାଇବା ଅଭିଯାନକୁ ସଫଳ କରିବା ପାଇଁ ଯୁବବର୍ଗଙ୍କୁ ଆଗେଇ ଆସିବା ଲାଗି ସେ ଆହ୍ୱାନ ଦେଇଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସହଭାଗିତାରେ ଏହି ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। ଏଥିପାଇଁ ବିଏମ୍ସି ପକ୍ଷରୁ ଓଡ଼ିଶା ସରକାରଙ୍କ ‘ମୋ ସାଇକେଲ’ ଯୋଗାଇ ଦିଆଯାଇଥିଲା।
/sambad/media/post_attachments/wp-content/uploads/2022/06/0f18ca88-9337-4ae8-9246-0b5b115b9984.jpg)
ଏହି କାର୍ଯ୍ୟକ୍ରମରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ସାରସ୍ୱତ ମିଶ୍ର, ବିଭିନ୍ନ ବିଭାଗର ଡିନ୍ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ମ୍ୟାନେଜର (ଓ ଆଣ୍ଡ ଏମ୍) ଅମିତାଭ ମହାନ୍ତି, ଟ୍ୱେଣ୍ଟିଟୁ ବାଇକର ପ୍ରତିଷ୍ଠାତା ତଥା ସାଇକେଲପ୍ରେମୀ ଅଜୟ ନନ୍ଦ, ଓଲିଉଡ ଅଭିନେତା ରିଷି, ଇଶା ଫାଉଣ୍ଡେସନର ସ୍ଥାନୀୟ ସଂଯୋଜକ ନିହିତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
ଜନସ୍ୱାସ୍ଥ୍ୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିଗଣିତ। ଏଠାରେ ପବ୍ଲିକ ହେଲଥ୍, ଆଲାଏଡ୍ ହେଲଥ୍ ସାଇନ୍ସସେସ୍, ବାୟୋଲୋଜିକାଲ୍ ସାଇନ୍ସସେସ୍ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ଆଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଏମ୍ବିଏ, ପିଏଚ୍ଡି ଏବଂ ପୋଷ୍ଟ ଡକ୍ତରାଲ ପାଠ୍ୟକ୍ରମ ରହିଛି। ଫୁଲନଖରା ନିକଟସ୍ଥ ଇଷ୍ଟ କ୍ୟାମ୍ପସରେ ଚାଲିଥିବା ଏହି ବିଶ୍ୱବିଦ୍ୟାଳୟରେ ଧନ୍ଦାମୂଳକ ଓ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ମଧ୍ୟ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/69ca4a64-8326-4ca8-bc22-365f039b1760.jpg)