ଭୁବନେଶ୍ବର: କୋଭିଡ୍ ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ଓ ଦେଶର ଅର୍ଥନୀତି ସବୁ କିଛି ଦୋହଲି ଯାଇଛି। ବିଶେଷକରି ଶ୍ରମିକ, ମହିଳା, ଆଦିବାସୀ ବର୍ଗ ଅଧିକ ପ୍ରଭାବିତ ହୋଇଛନ୍ତି। ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଏହାର ନକାରାତ୍ମକ ପ୍ରଭାବ ରହିବ। ତେଣୁ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବଜେଟ୍ରେ ଆବଶ୍ୟକ ଅର୍ଥର ପ୍ରାବଧାନ ରହିବା ଉଚିତ। ଆଜି ସିୱାଇଏସ୍ଡି ଓଡ଼ିଶା ବଜେଟ୍ ଆକାଉଣ୍ଟେବିଲିଟି ସେଣ୍ଟର (ଓବାକ୍) ପକ୍ଷରୁ ଆୟୋଜିତ ପ୍ରାକ୍ ବଜେଟ୍ ପରାମର୍ଶ ସଂପର୍କିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ(ୱେବିନାର୍ ଜରିଆରେ) ଅତିଥିମାନେ ଏଭଳି ମତ ରଖିଛନ୍ତି।
କରୋନା କାଳର ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଫେରାଇ ଆଣିବା, ଆଦିବାସୀ ଅଞ୍ଚଳରେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ସେହିପରି ପାରମ୍ପରିକ ଓ ପ୍ରାକୃତିକ କୃଷିକୁ ମିସନ ମୋଡ୍ରେ କରିବା ପାଇଁ ବଜେଟ୍ରେ ଅର୍ଥ ବରାଦ କରିବା ସହ ଅମଳ ପରବର୍ତ୍ତୀ ଭିତ୍ତିଭୂମି, ପଞ୍ଚାୟତ ସ୍ତରରେ ଶସ୍ୟଭଣ୍ଡାର ଓ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ଅଧିକ ଖର୍ଚ୍ଚ ଅର୍ଥର ଆବଶ୍ୟକ ରହିଛି। ଫୁଲଚାଷ, ଗୋପାଳନ ଓ ସମନ୍ୱିତ କୃଷିକୁ ପ୍ରାଧାନ୍ୟ ଦେବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି। ଉତ୍ପାଦକ ଗୋଷ୍ଠୀର ସାମର୍ଥ୍ୟ ବିକାଶ ଓ ସ୍ୱୟଂସହାୟକ ଦଳର ଉତ୍ପାଦ ତଥା ଲଘୁ ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ବଜାର ସଂଯୋଗ ପାଇଁ ଉଚିତ ବ୍ୟୟ ପ୍ରାବଧାନ ରହିବା ଦରକାର। ସେହିଭଳି ରାଜ୍ୟ ସରକାରଙ୍କ ସ୍ଥିରୀକୃତ ସର୍ବନିମ୍ନ ମଜୁରି ହାର ଓ ମନରେଗା ମଜୁରି ହାର ମଧ୍ୟରେ ସମାନତା ପାଇଁ ବଜେଟ୍ରେ ବ୍ୟୟ ବରାଦ ରହୁ ବୋଲି କୁହାଯାଇଛି। କୃଷି ଫାର୍ମ ଓ ଉତ୍ପାଦକ ଦଳର ସାମର୍ଥ୍ୟ ବୃଦ୍ଧି ପାଇଁ ମନରେଗା ପାଣ୍ଠିରେ ବ୍ୟବସ୍ଥା ରହିଲେ ଗ୍ରାମୀଣ ଭିତ୍ତିଭୂମିରେ ସୁଧାର ଅଣାଯାଇପାରିବ। ସମସ୍ତ ଦୁର୍ବଳ ବର୍ଗ ପରିବାରକୁ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ତେଲ, ଲୁଣ ଓ ଡାଲି ଯୋଗାଇ ଦେବା ଦିଗରେ ବଜେଟ୍ରେ ଗୁରୁତ୍ବ ଦିଆଯାଉ ବୋଲି ପରାମର୍ଶଦାତା ମତ ଦେଇଛନ୍ତି।
କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ଏକ ପଞ୍ଚବାର୍ଷିକ ରିକଭରି ପ୍ଲାନ୍ ପ୍ରସ୍ତୁତ କରନ୍ତୁ ବୋଲି ମତ ପ୍ରକାଶ ପାଇଛି। ଦୁର୍ଗମ ଗାଁଗୁଡ଼ିକରେ ସରକାରୀ ଯୋଜନାକୁ ପହଞ୍ଚାଇବା ଦିଗରେ ସରକାର ଓ ସାମାଜିକ ସଂଗଠନ ମଧ୍ୟରେ ଭାଗିଦାରୀ ବ୍ୟବସ୍ଥା ପାଇଁ ବ୍ୟୟ ବରାଦ ହେଉ ବୋଲି ମତ ପ୍ରକାଶ ପାଇଥିଲା। ମହିଳା ଅପରାଧ ରୋକିବା କ୍ଷେତ୍ରରେ ୱାନ୍ଷ୍ଟପ୍ ସେଣ୍ଟର ସହ ପୀଡ଼ିତାଙ୍କୁ ସିଧାସଳଖ ଅର୍ଥରାଶି ପ୍ରଦାନ ପାଇଁ ବଜେଟ୍ରେ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି କୁହାଯାଇଛି। ସିୱାଇଏସ୍ଡି ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି ୱେବିନାରରେ ରାଜ୍ୟ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ସୁଧାକର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ଡ. ନବନୀତା ରଥ, ନାଇଜର୍ର ରିଡର ଡ. ଅମରେନ୍ଦ୍ର ଦାଶ, ରାଜ୍ୟ ଅର୍ଥ ବିଭାଗର ଯୁଗ୍ମ ସଚିବ ଡ. ସତ୍ୟପ୍ରିୟ ରଥ, ଅର୍ଥନୀତିଜ୍ଞ ଡ. ପ୍ରଭାସ ମିଶ୍ର ମତାମତ ରଖିଥିଲେ। ନବନୀତା ଓ ଉପାଲି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/eeee-aaaa.jpg)