ଝାରପଡ଼ା ଜେଲ୍‌ର ୫ କଏଦୀଙ୍କୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର ନିର୍ଦେଶ

‘ଡି’ ବ୍ରଦର୍ସ ଲିଙ୍କ

ଭୁବନେଶ୍ୱର,: କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲ୍‌ ଗୁଳିମାଡ଼ ଘଟଣାରେ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତଙ୍କ ସମ୍ପୃକ୍ତି ପରେ ଜେଲ୍‌ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇଛି। ଝାରପଡ଼ା ଜେଲ୍‌ରେ ଥିବା ସୁଶାନ୍ତଙ୍କ ୫ ଜଣ ସହଯୋଗୀଙ୍କୁ ତୁରନ୍ତ ଏଠାରୁ ହଟାଇ ବ୍ରହ୍ମପୁର ସ୍ୱତନ୍ତ୍ର କାରଗାରଙ୍କୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟାରେ ଜେଲ୍‌ ଏଡିଜି ଏନ୍‌.କେ. ଥାବ୍ରା ଝାରପଡ଼ା ଜେଲ୍‌ ସୁରକ୍ଷାର ସମୀକ୍ଷା କରି ଏଭଳି ନିର୍ଦେଶ ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜେଲ୍‌ର ୫ ଜଣ ଓ୍ଵାର୍ଡର୍‌ଙ୍କୁ ନିଲମ୍ବନ କରାଯାଇଛି।
ଗତ କିଛି ଦିନ ତଳେ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଗୁଳିକାଣ୍ଡର ଷଡ଼ଯନ୍ତ୍ର ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ଝାରପଡ଼ା ଜେଲ୍‌ ପରିସରରୁ ଷଡ଼ଯନ୍ତ୍ର କରିଥିଲା ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ନୂଆପଲ୍ଲୀ ଅଞ୍ଚଳର ମିକୁ ବେହେରା ଓ ସଦା ନାୟକ ସୁଶାନ୍ତଙ୍କ ନିର୍ଦେଶରେ ବିଜନକୁ ଗୁଳି କରିଥିଲେ। ପରବର୍ତୀ ସମୟରେ କଟକ ପୁଲିସ ତଦନ୍ତ କରି ମିକୁକୁ ଗିରଫ କରିଥିବା ବେଳେ ସଦା ନାୟକକୁ ଏନ୍‌କାଉଣ୍ଟର କରିଥିଲା। ଉଭୟ ପୁଲିସ ଆଗରେ ମାନିଥିଲେ ଯେ ସେମାନେ ଝାରପଡ଼ା ଜେଲ୍‌ରେ ଥିବା ବେଳେ ଏଭଳି ଯୋଜନା କରାଯାଇଥିଲା। କଟକ ଡିସିପି ଶ୍ରୀ ସିଂ ଝାରପଡ଼ା ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ପରେ ଜେଲ୍‌ ବିଭାଗ ପକ୍ଷରୁ ସୁଶାନ୍ତ ସହଯୋଗୀଙ୍କୁ ବ୍ରହ୍ମପୁର ଜେଲ୍‌ ପଠାଇବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର