ଡ.ନୃସିଂହ ତ୍ରିପାଠୀଙ୍କୁ ନିର୍ମଳାକୃତି ସମ୍ମାନ

ପ୍ରଦର୍ଶିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମା’

ଭୁବନେଶ୍ୱର: ପୁଅର କୋଟି ଆଶିଷ ପାଇଁ କେବଳ ମା’ ହିଁ ଆହ୍ଵାନ କରିପାରେ ଇଚ୍ଛାମୃତ୍ୟୁକୁ। ଔଷଧରୁ କାଟି ସେ ପୁଅ ପାଇଁ କୁଲର କିଣିପାରେ, ପୁଣି ରାତିରାତି ଚେଇଁ ରୋଗିଣା ପୁଅକୁ ସୁସ୍ଥ କରିବାର ସଂକଳ୍ପ ନେଇପାରେ। ବୋଧେ ସେଇଥିପାଇଁ ସେ ନାଁ ତା’ର ମା’। ମାତୃତ୍ୱର ଏଇ ଅସୀମତାକୁ ନେଇ ଆଜି ଜୟଦେବ ଭବନରେ ପ୍ରଦର୍ଶିତ ହୋଇଥିଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମା’। ସେବାନୁଷ୍ଠାନ ନିର୍ମଳାକୃତି ବିକାଶ ଟ୍ରଷ୍ଟ୍‍ (ଏନ୍‌କେବିଟି)ପକ୍ଷରୁ ଆୟୋଜିତ ନିର୍ମଳାକୃତି ସମ୍ମାନ ସମାରୋହରେ ପ୍ରଦର୍ଶିତ ଏହି ଚଳଚ୍ଚିତ୍ରଟି ଏନ୍‌କେବିଟି ପକ୍ଷରୁ ପ୍ରସ୍ତୁତ କରଯାଇଥିଲା। ଇଂ ଦିଲ୍ଲୀପ ପଟ୍ଟନାୟକ ଏହାର କାହାଣୀ ଲେଖିଥିବା ବେଳେ ସୌମ୍ୟସ୍ମିତା ପଟ୍ଟନାୟକ ପ୍ରଯୋଜନା କରିଥିଲେ। ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଥିଲେ ମାନସ ପରିଡ଼ା। ଈଶା ବେବର୍ତା ଓ ଚିନ୍ତାମଣି ବିଶ୍ୱାଳ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସମସ୍ତ କଳାକାରଙ୍କ ଅଭିନୟ ପ୍ରଶଂସନୀୟ ଥିଲା।

ଏହି ଅବସରରେ ଡ.ନୃସିଂହ ପ୍ରସାଦ ତ୍ରିପାଠୀ, ପାରମିତା ମହାପାତ୍ର, ଅଭୟ ମହାନ୍ତଙ୍କୁ ନିର୍ମଳାକୃତି ସମ୍ମାନ ପ୍ରଦାନ କରାଯାଇଥିଲା। ବର୍ଷିୟାନ ସାହିତ୍ୟିକ ତଥା ଆୟକର ବିଭାଗର ପୂର୍ବତନ ମହାନିର୍ଦେଶକ ଡ.ନୃସିଂହ ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ, ପୂର୍ବତନ ଆୟକର ବିଭାଗ ନିର୍ଦେଶକ ଆର୍ତବନ୍ଧୁ ପାତ୍ର, ଆୟକର ଆୟୁକ୍ତ ଶରତ ଦାଶ, ଡ.ସେବା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନ୍‌କେବିଟିର ସେବା କାର୍ଯ୍ୟର ପ୍ରଶଂସା କରିଥିଲେ। ଗୁରୁଚରଣ ଦାଶ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ ତାଙ୍କ ସେବା ଜୀବନର ଯାତ୍ରା ସମ୍ପର୍କରେ ମତ ରଖିଥିଲେ। ଚଳଚ୍ଚିତ୍ର ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମାନସୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର