ଦାଦା ସାବାଡ ଯୋଜନା ଫୁ : ପୁଲିସ ବଳରେ ବଳିୟାନ ଜମି ମାଫିଆ

୩ ବର୍ଷ ହେଲା ମାନସିକ ଯନ୍ତ୍ରଣାରେ ଡାକ୍ତର

ଭୁବନେଶ୍ବର : ଦାଦାଙ୍କୁ ସାବାଡ଼ କରିବା ପାଇଁ ନିକଟ ଅତୀତରେ କମିସନରେଟ୍‌ ପୁଲିସ ଏକ ଅଭିଯାନ ଆରମ୍ଭ କରିଥିଲା। କିଛି ଦିନ କେବଳ ବାହାବା ଗୋଟାଇଲା। କିନ୍ତୁ ବାସ୍ତବତା ହେଲା, ମାଫିଆଙ୍କ ଦୟା ନହେଲେ ଭୁବନେଶ୍ବରରେ ଜମି କିଣି ହେଉନି। ମାଫିଆ ଇଚ୍ଛା କଲେ କିଣା ଜମିକୁ ବି ଛଡ଼ାଇ ନେବେ। ଆଉ ପୁଲିସ ମାଫିଆଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବ। ଏକଥା ଆମେ କହୁନୁ, ବରଂ ଏକାଧିକ ଘଟଣା ଏହି କଥାକୁ ପ୍ରମାଣିତ କରିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଏମିତି କାନ୍ଦୁଛନ୍ତି ଜଣେ ଜମି ମାଲିକ। ତାଙ୍କଠାରୁ ଜମି ଛଡ଼ାଇ ନେବା ପାଇଁ ମାଫିଆମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। କେତେବେଳେ ପାଚେରି ଭାଙ୍ଗି ଦେଉଛନ୍ତି ତ’ କେତେବେଳେ ଲୁହା ଛଡ଼ ସିମେଣ୍ଟ ନେଇ ଯାଉଛନ୍ତି। ରାଜସ୍ବ ବିଭାଗ ରିପୋର୍ଟଠାରୁ ଆରମ୍ଭ କରି କୋର୍ଟଙ୍କ ଆଦେଶ ଜମି ମାଲିକଙ୍କ ସପକ୍ଷରେ ଥିଲେ ମଧ୍ୟ ଦଲାଲ ଜମିରେ ଘର କରାଇ ଦେଉନାହିଁ। ନ୍ୟାୟ ପାଇଁ ପୁଲିସ ପାଖରେ ପହଞ୍ଚିବା ବେଳକୁ ପୁଲିସ କହୁଛି ‘ଜମି ବିକି ଦିଅନ୍ତୁ, କେତେବେଳେ କେଉଁ କଥା! କାହିଁ ଏତେ ପାଲାରେ ପଶୁଛନ୍ତି?’

ଏହା କୌଣସି ସାଧାରଣ ଲୋକର କାହାଣୀ ନୁହେଁ। ଜମି ଦଲାଲଙ୍କ ଅତ୍ୟାଚାର ଓ ପୁଲିସ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ କୋଭିଡ୍‌ ଯୋଦ୍ଧା। ସେ ହେଉଛନ୍ତି କଟକ ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଲକ୍ଷ୍ମୀଧର ଜେନା। ଅନୁସୂଚିତ ଜାତି ବର୍ଗର ଏହି ଡାକ୍ତର ୨୦୧୮ ମସିହାରେ ନନ୍ଦନକାନନ ଥାନା ଅଞ୍ଚଳ ରଘୁନାଥପୁର ମୌଜାରେ (ଖାତା ୭୨୯/୩୧୦୬ରେ ଥିବା ପ୍ଲଟ୍‌ ନମ୍ବର ୨୧୮୯/୨୯୯୨)ରେ ଶହେ ଡିସିମିଲ ଜାଗା କିଣିଥିଲେ। ଏହାର ଦୁଇବର୍ଷ ପରେ ଏହି ଜମିକୁ ଲାଗି ଆଉ ଏକ ଜମିକୁ ପ୍ରକାଶ ଚନ୍ଦ୍ର ସାହୁ କିଣିଥିଲେ। ଡା. ଜେନାଙ୍କ ଜାଗାକୁ ମିଶାଇ ଏକ ବଡ଼ ପ୍ଲଟ୍‌ କରି ବ୍ୟବସାୟ କରିବା ଯୋଜନାରେ ଜାଗା ବିକି ଦେବା ପାଇଁ ଡା. ଜେନାଙ୍କୁ ପ୍ରକାଶ ପ୍ରବର୍ତ୍ତାଇଥିଲେ। ହେଲେ ସେ ମନା କରିଦେବାରୁ ପ୍ରକାଶ ଡା. ଜେନାଙ୍କର ଶତ୍ରୁ ହୋଇ ଛିଡ଼ା ହୋଇଥିଲେ।

ଡା. ଜେନା କୋଭିଡ୍‌ ଡ୍ୟୁଟିରେ ଥିବା ବେଳେ ତାଙ୍କ ଜମି ଚାରିପାଖେ ଥିବା ପାଚେରିକୁ ଭାଙ୍ଗିଦେଲେ। ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। କଥା ଉପରମୁଣ୍ଡ ପର୍ଯ୍ୟନ୍ତ ଯିବାରୁ ଏତଲାରେ ନାଁ ନ ଥିବା ଜଣେ ଅଭ୍ୟାସଗତ ଅପରାଧୀକୁ ବାନ୍ଧି ପୁଲିସ କୋର୍ଟ ଚାଲାଣ କରି ଦେଇଥିଲା। ଏହା ପରେ ଡା. ଜେନାଙ୍କୁ ସମ୍ପୃକ୍ତ ଜମିକୁ ପ୍ରବେଶ କରାଇ ନ ଦେବା ପାଇଁ ଅଭିଯୁକ୍ତ ନୂଆ ଚାଲ୍‌ ଖେଳିଲେ। ଡା. ଜେନା ତାଙ୍କ ଜମିକୁ ମାଡ଼ି ବସିଥିବା ଅଭିଯୋଗ କରିବା ସହ ଶାନ୍ତି ବଜାୟ ରଖିବା ପାଇଁ ନିଜ ଜମିରେ ନିଜେ ୧୪୪ ଧାରା ଜାରି କରାଇଲେ। ଡା. ଜେନା ଆଉ ଥରେ ପାଚେରି ନିର୍ମାଣ କରିବାକୁ ଯିବା ବେଳେ ପୁଲିସ ବାରଣ କରିଥିଲେ। କୋର୍ଟଙ୍କ ଆଦେଶ କ୍ରମେ ପୁଲିସ ସରଜମିନ୍‌ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ପୁଲିସ ରିପୋର୍ଟ ଆଧାରରେ ୧୪୪ ଧାରାର ବିଚାର କମିସନରେଟ୍‌ ପୁଲିସ କୋର୍ଟରେ ହୋଇଥିଲା। ଥରେ କିମ୍ବା ଦୁଇ ଥର ନୁହେଁ, ବରଂ ବାରମ୍ବାର ୧୪୪ ଜାରି ହେଉଥିଲା।

୨୦୧୯ ମସିହାରେ ଡା. ଜେନାଙ୍କ ଜମିର ସୀମା ନିର୍ଦ୍ଧାରଣ ହୋଇଥିଲା। ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ବାଲିପଡ଼ା ଆର୍‌ଆଇ ଏହି ଜମିକୁ ମାପଚୁପ କରି ଭୁବନେଶ୍ବର ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଡା. ଜେନା ଦଖଲରେ ଥିବା‌ ଜମି ତାଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏ ସବୁକୁ ଆଧାର କରି କୋର୍ଟ ଡା. ଜେନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଡା. ଜେନା ନିଜ ଜମି ଦଖଲରେ ଥିବା ସହ ଜଣେ ଡାକ୍ତର ହୋଇଥିବାରୁ ସେ କୌଣସି ପ୍ରକାରର ବେଆଇନ କାର୍ଯ୍ୟରେ ଲିପ୍ତ ହୋଇପାରିବେ ନାହିଁ। ବରଂ ପ୍ରତିପକ୍ଷ ତାଙ୍କୁ ହଇରାଣ କରିବାକୁ ଏଭଳି କାରବାର କରୁଛି। ଏଣୁ ନନ୍ଦନକାନନ ଥାନା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆଦେଶ ହୋଇଥିଲା।

ଇତିମଧ୍ୟରେ ନନ୍ଦନକାନନ ଥାନାରେ ଇନ୍‌ସ୍‌ପେକ୍ଟର ଭାବରେ ବିଶ୍ବରଞ୍ଜନ ସେନାପତି ଯୋଗ ଦେଇଥିଲେ। ସେ ଯୋଗ ଦେବା ପରେ ଡା. ଜେନାଙ୍କ ଉପରେ ଅତ୍ୟାଚାର ବଢ଼ିଥିଲା। ଗୋଟିଏ ୧୪୪ର ଅବଧି ଶେଷ ହେବା ପରେ ଆଉ ଗୋଟିଏ ଆରମ୍ଭ ହେଉଥିଲା। କେତେବେଳେ ପାଚେରି ଭାଙ୍ଗୁଥିଲେ ତ କେତେବେଳେ ଇଟା ସିମେଣ୍ଟ ଲୁହାଛଡ଼ ଚୋରି ହେଉଥିଲା। ନନ୍ଦନକାନନ ଥାନାରେ ଏ ଭଳି ୩ଟି ମାମଲା ମଧ୍ୟ ରୁଜୁ ହୋଇଥିଲା। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ପୂର୍ବରୁ ଥରେ ବିଧିବଦ୍ଧ ଭାବରେ ସୀମା ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ସେ ଆଉ ଥରେ ସୀମା ଚିହ୍ନଟ ପାଇଁ ଜିଦ୍‌ କରିଥି‌ଲେ।

ଏ ନେଇ ଡା. ଜେନା ପୁଲିସ କମିସନରଙ୍କ ନିକଟରେ ପହଞ୍ଚିଥିଲେ। ସମସ୍ତ କାଗଜପତ୍ର ଦେଖିସାରିବା ପରେ କମିସନର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଜଣେ ଡାକ୍ତରଙ୍କୁ କିଭଳି ଏଭଳି ହନ୍ତସନ୍ତ କରାଯାଇପାରେ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଡା. ଜେନା ତାଙ୍କ ଜାଗା ଭିତରକୁ ପଶି ପାରୁ ନାହାନ୍ତି।

ତେବେ କାହା ବଳରେ ପୁଲିସ ମାଫିଆଙ୍କୁ ସମର୍ଥନ କରୁଛି? ବଡ଼ ବଡ଼ ଅଧିକାରୀଙ୍କ ସହ କୋର୍ଟଙ୍କ ଆଦେଶ ସତ୍ତ୍ବେ ପୁଲିସର ଏଭଳି କାର୍ଯ୍ୟକଳାପ ପଛରେ କିଏ? ‘୫-ଟି’ ବ୍ୟବସ୍ଥାର ନାକ ତଳେ ପୁଲିସ ଏଭଳି ଗୁଣ୍ଡାଗିରି କରୁଥିବା ବେଳେ ଅନ୍ୟଜାଗାରେ କଣ ଅବସ୍ଥା ହେଉଥିବ? ପ୍ରକାଶ ସାହୁଙ୍କ ଭାଇ ‘କିଟ୍‌’ରେ ଚାକିରି କରୁଥିବାରୁ ଏହା ପଛରେ ‘କିଟ୍‌’ ସମ୍ପୃକ୍ତି ଆଶଙ୍କା କରାଯାଉଛି। ତେବେ କିଟ୍‌ ସ୍ପଷ୍ଟ କରିଛି କି ଏଭଳି ଜମି କାରବାରରେ କିଟ୍‌ର କୌଣସି ସମ୍ପୃକ୍ତି ନାହିଁ। ଯଦି କିଟ୍‌ ନାମ ନେଇ କୌଣସି କର୍ମଚାରୀ ଏଭଳି କରୁଛନ୍ତି ତେବେ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ଇନ୍‌ସ୍‌ପେକ୍ଟର ଶ୍ରୀ ସେନାପତି ଏହି ଅଭିଯୋଗକୁ ଖଣ୍ଡନ କରି ଅଦ୍ଭୁତ ଯୁକ୍ତି ବାଢ଼ିଛନ୍ତି। ଥରେ ସରକାରୀ ଭାବରେ ସୀମା ଚିହ୍ନଟ ହୋଇଥିଲେ ମଧ୍ୟ ଆଉ ଥରେ ପ୍ରକାଶ ସାହୁଙ୍କ ଜମି ମାପ କରି ସୀମା ନିର୍ଦ୍ଧାରଣ କରିବାକୁ ଯୋଜନା କରିଛନ୍ତି। ସେ କହିଛନ୍ତି, ବାରମ୍ବାର ଏଭଳି ବିବାଦ ଉପୁଜୁଥିବାରୁ ସୀମା ନିର୍ଦ୍ଧାରଣ ପାଇଁ ସୁପାରିସ ହୋଇଛି। ପୂର୍ବରୁ ଡା. ଜେନାଙ୍କ ଜମିର ସୀମା ନିର୍ଦ୍ଧାରଣ ହୋଇଥିଲା। ଏଥର ପ୍ରକାଶ ସାହୁଙ୍କର ଜମି ସୀମା ଚିହ୍ନଟ ହୋଇଗଲେ ଉଭୟ ଜମିକୁ ନେଇ ବିବାଦ ରହିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର