ଖାଦ୍ୟ ଦେବାରେ ବିଳମ୍ବ ହେବାରୁ ଦାଦାଗିରି: ଦୋକାନୀ ଉପରେ ଗରମ ତେଲ ଢାଳିଦେଲା, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖାଇବା ଅର୍ଡର କଲେ। କିନ୍ତୁ ସାମାନ୍ୟ ବିଳମ୍ବ ହୋଇଗଲା। ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଗଲା। ବାସ୍ ଏତିକିରେ ରାଗ ପଞ୍ଚମକୁ ଚଢ଼ିଗଲା। ନିଜକୁ ଦାଦା ଦେଖାଇବା ସହ କଡ଼େଇରେ ଫୁଟୁଥିବା ଗରମ ତେଲକୁ ଦୋକାନୀଙ୍କ ଉପରକୁ ଢାଳିଦେଲା। ଗରମ ତେଲ ପଡ଼ି ଦୋକାନୀଙ୍କ ଦେହର ଚମଡ଼ା ଛାଡ଼ିଯିବା ସହ ଫୋଟକା ହୋଇଗଲା। ଗୁରୁତର ଅବସ୍ଥାରେ ଦୋକାନୀ ସୋମନାଥ ରାଉତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମନାଥଙ୍କ ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନା ପୁଲିସ ଅଭିଯୁକ୍ତ ଅମିତ ସ୍ବରୂପ ମହାପାତ୍ର ଓରଫ୍ ସାଲିଆକୁ ଗିରଫ କରିଛି। ତା’ର ଘର ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କୁଞ୍ଜପାଟଣାସାହିରେ। ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା-୩୪୧,୨୯୪,୩୨୩,୫୦୬ରେ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁସାରେ, ସୋମନାଥଙ୍କର ଭୀମପୁର ମୌଜାରେ ଏକ ମୋମୋ ଦୋକାନ ରହିଛି। ଗତ ୪ ତାରିଖରେ ସାଲିଆ ସେହି ଦୋକାନକୁ ଯାଇଥିଲା। ମୋମୋ ଦେବାରେ ବିଳମ୍ବ ହେବାରୁ ପାଟିତୁଣ୍ଡ କରିଥିଲା ଏବଂ ଉତକ୍ଷିପ୍ତ ହୋଇ କଡ଼େଇରେ ଥିବା ଗରମ ତେଲ ଢାଳି ଦେଇଥିଲା। ଅମିତ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର