ହୋଟେଲ୍‌ରୁ ଛାତ୍ରଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଚନ୍ଦ୍ରଶେଖରପୁର: ପଟିଆ ନନ୍ଦନବିହାର ନିକଟରେ ଥିବା ଏକ ହୋଟେଲ୍ ଭିତରୁ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଜଣେ ଇଂଜିନିୟରିଂ ଛାତ୍ରଙ୍କ ଶବ ଉଦ୍ଧାର କରିଛି। ଛାତ୍ର ହେଲେ ଚିନ୍ମୟ ନାଗ(୩୨)। ତାଙ୍କ ଘର ବିହାରରେ, ସେ ପଟିଆ ନିକଟ ଏକ ଇଂଜିନିୟରିଂ କଲେଜରେ ବିଟେକ୍ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହୋଟେଲ୍‌ରେ ତାଙ୍କ ସହ ରହୁଥିବା ସହପାଠୀ ସଦାମ ହୁସେନ୍(୩୦)ଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଅନ୍ୟପକ୍ଷରେ ପୁଲିସ ଚିନ୍ମୟଙ୍କ ପରିବାର ଲୋକଙ୍କ ସୂଚନା ଦେବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ ସୂଚନା ଅନୁଯାୟୀ ଉଭୟ ଚିନ୍ମୟ ଓ ସଦାମ ପୂର୍ବରୁ କଲେଜ ହ‌ଷ୍ଟେଲ୍‌ରେ ରହୁଥିଲେ। ମାତ୍ର ବିଶୃଙ୍ଖଳିତ ଆଚରଣ ପାଇଁ କଲେଜ କର୍ତୃପକ୍ଷ ଉଭୟଙ୍କୁ ବାରମ୍ବାର ଚେତାବନୀ ଦେଇଥିଲେ। ମାତ୍ର ବ୍ୟବହାରରେ ସୁଧାର ନ ଆସିବାରୁ ସେମାନଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ଫଳରେ ସେମାନେ କିଛି ଦିନ ପାଇଁ ଘରକୁ ଚାଲିଯାଇଥିଲେ। ପରୀକ୍ଷା ପାଇଁ ଗତ ୧୬ତାରିଖରୁ ଭୁବନେଶ୍ବର ଆସିଥିଲେ। ୧୭ ତାରିଖରୁ ନନ୍ଦନବିହାରସ୍ଥିତ ‌ହୋଟେଲ୍‌ କପଲ୍ ପ୍ଲାଜାରେ ରହୁଥିଲେ। ହୋଟେଲ୍ କର୍ମଚାରୀଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ବିଳମ୍ବିତ ରାତିରେ ଫେରୁଥିଲେ। ସଦାମ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ ସେମାନେ ଗତକାଲି ପ୍ରବଳ ନିଶା ସେବନ କରି ଶୋଇ ପଡ଼ିଥିଲେ। ଆଜି ସକାଳେ ପରୀକ୍ଷା ପାଇଁ ବାହାରିବା ବେଳେକୁ ଚିନ୍ମୟ ଆଉ ଉଠି ନଥିଲେ। ଏ ନେଇ ହୋଟେଲ୍‌ କର୍ମଚାରୀ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍ ପହଞ୍ଚି ସେମାନେ ରହୁଥିବା ରୁମ୍‌ରୁ କିଛି ନିଶା ସାମଗ୍ରୀ ଓ ମଦ ବୋତଲ ଜବତ କରିଥିଲା। ପ୍ରଚୁର ନିଶା ଖାଇବା ଯୋଗୁ ଚିନ୍ମୟଙ୍କ ମୃତ୍ୟୁ ହୋଇଛି ବୋଲି ଆଇଆଇସି ବିଶ୍ବଜିତ୍ ମହାନ୍ତି କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସନ୍ଦେହରେ ସହପାଠୀ ସୁଦାମକୁ ଅଟକ ରଖାଯାଇଛି। ଏହି ଘଟଣା ପରେ ଚିନ୍ମୟ ପଢ଼ୁଥିବା କଲେଜରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର