୪ ଦିନ ଦାଢ଼ାପାଟଣା ଓ ବଜାର ସିଲ୍‌

ଅଭିଯୁକ୍ତଙ୍କ ପାଖରେ କରୋନା ଲକ୍ଷଣ, ସଂଗରୋଧରେ ସ୍ପେସାଲ ସ୍କ୍ୱାଡ୍‌ ଅଧିକାରୀ

ବାରଙ୍ଗ : ବାରଙ୍ଗ ବ୍ଲକ୍‌ ଅଧୀନ ଦାଢ଼ାପାଟଣା ଗ୍ରାମରେ କରୋନା ମାହାମାରୀ ଉଗ୍ରରୂପ ଧାରଣ କରିଛି। ଗାଁରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ପ୍ରାଣହାନି ଘଟିଛି। ଆଗକୁ ଆହୁରି ଅଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ଆଶଙ୍କା ରହିଛି। ତେଣୁ ସଂକ୍ରମଣ ରୋକିବା ପାଇଁ ଗାଁକୁ ମଙ୍ଗଳବାର ରାତିରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏଥିସହ ନିକଟସ୍ଥ ବଜାର ସବୁକୁ ମଧ୍ୟ ସିଲ୍‌ କରାଯାଇଛି। ଦାଢ଼ାପାଟଣା ସରପଞ୍ଚ ସ୍ବର୍ଣ୍ଣଲତା ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭ୍ୟା, ୱାର୍ଡ ସଭ୍ୟ ଓ ଦାଢ଼ାପାଟଣା ଗ୍ରାମର ମୁରବିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବସମ୍ମତିକ୍ରମେ ମଙ୍ଗଳବାର ରାତି ୧୨ରୁ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଦାଢ଼ାପାଟଣା ଗ୍ରାମର ୧ନମ୍ବରରୁ ୫ନମ୍ବର ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ଓ ୬ରୁ ୧୧ ନମ୍ବର ପର୍ଯ୍ୟନ୍ତ ୱାର୍ଡକୁ ସଟ୍‌ଡାଉନ୍‌ କରି ରଖାଯିବକୁ ସ୍ଥିର କରାଯାଇଛି। ଏହି ସମୟ ଭିତରେ ଷ୍ଟେସନ ବଜାର, ସୀତାରାମ ବଜାର ଓ ଆନନ୍ଦ ବଜାର ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବନ୍ଦ ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ପୂର୍ବଭଳି ଶନିବାର ଓ ରବିବାର ବନ୍ଦ ବଳବତ୍ତର ରହିବ ବୋଲି କୁହାଯାଇଛି।

ଅଭିଯୁକ୍ତଙ୍କ ପାଖରେ କରୋନା ଲକ୍ଷଣ, ସଂଗରୋଧରେ ସ୍ପେସାଲ ସ୍କ୍ୱାଡ୍‌ ଅଧିକାରୀ
ଭୁବନେଶ୍ୱର : କେତେକ ଅଭିଯୁକ୍ତଙ୍କ କରୋନା ଲକ୍ଷଣ ଆସିବା ପରେ ଚିନ୍ତାରେ ପଡ଼ିଛି ସ୍ପେସାଲ ସ୍କ୍ୱାଡ୍‌। କିଛି ସଂଦିଗ୍ଧ ଅଭିଯୁକ୍ତଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇଛି। ଏହି ଆଧାରରେ ସ୍ପେସାଲ ସ୍କ୍ୱାଡ୍‌ର ଏକାଧିକ କର୍ମଚାରୀ ସଂଗରୋଧରେ ରହିଛନ୍ତି। ବିଭିନ୍ନ ମିସନରେ ସାମିଲ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କର ଖୁବଶୀଘ୍ର ସ୍ୱାବ ସଂଗ୍ରହ କରାଯିବ ବୋଲି ଜଣା ପଡ଼ିଛି। ବିଭିନ୍ନ ଥାନାରେ କରୋନା ବ୍ୟାପୁଥିବାରୁ ଅନେକ ପୁଲିସ ଅଧିକାରୀଙ୍କ ସହ କର୍ମଚାରୀ ସଂଗରୋଧରେ ଅଛନ୍ତି। ଏଥିପାଇଁ ଅନେକ ମାମଲାର ଅନୁସନ୍ଧାନ ଭାର ସ୍ପେସାଲ ସ୍କ୍ବାଡ୍‌ ନେଉଥିଲା। ଏବେ ଏଭଳି ସ୍ଥିତି ତଦନ୍ତ ପ୍ରକ୍ରିୟାରେ ଶିଥିଳତା ଆଣିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର