ଚନ୍ଦ୍ରଶେଖରପୁର: ଦୁଇ ବର୍ଷ ପରେ ମା’ଙ୍କ ଆବାହନ ଲାଗି ଚଳଚଞ୍ଚଳ ହୋଇଉଠିଛି ପ୍ରଶାନ୍ତି ବିହାର। କଲୋନିଠାରୁ ବସ୍ତି ପର୍ଯ୍ୟନ୍ତ ସମସ୍ତେ ଯେପରି ଧୁମ୍ଧାମରେ ମା’ଙ୍କ ପୂଜାର୍ଚ୍ଚନା କରିବେ ସେଥିପାଇଁ ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତବର୍ଷ ୨୨ବର୍ଷରେ ପଦାର୍ପଣ କରିଥିବାରୁ ୫୦ ଫୁଟର କାଳ୍ପନିକ ତୋରଣ ନିର୍ମାଣ ଜାରି ରହିଛି। ଓଡ଼ିଶାର କାରିଗରମାନେ ଦିନରାତି ଏକ କରି ଏହି ତୋରଣକୁ ନିର୍ମାଣ କରୁଛନ୍ତି। ଏବର୍ଷ ପୂଜାର ଆକର୍ଷଣ ପାଲଟିବ ଚାନ୍ଦି ମୁକୁଟ। ୧୫ ଫୁଟ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୃଣ୍ମୟୀ ମୃର୍ତ୍ତି ନିର୍ମାଣରେ କଟକର ୩ଜଣ କାରିଗର ଲାଗିପଡ଼ିଛନ୍ତି। ହାତରେ ଆଉ କମ୍ ସମୟ ଥିବାରୁ ମୂର୍ତ୍ତି ନିର୍ମାଣକୁ ତ୍ବରାନ୍ବିତ କରିଛନ୍ତି।
ପୂଜା କମିଟି ପକ୍ଷରୁ ଏଥର ପୂଜା ଲାଗି ସାଢେ ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅଷ୍ଟମୀରେ ମା’ଙ୍କ ପାଖରେ ଖେଚୁଡ଼ି ଓ ନବମୀରେ ଦହି ପଖାଳ ଭୋଗ ଲାଗି ହେବ। ଦଶମୀରେ ଅନ୍ନଛତ୍ର କରାଯାଇ ୩ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ଗୁରୁତ୍ବ ଦିଆଯାଇଛି। ସପ୍ତମୀରେ ଡ୍ୟାନ୍ସ ଡ୍ୟାନ୍ସ, ଅଷ୍ଟମୀରେ ଭଜନ ସନ୍ଧ୍ୟା ଓ ନବମୀ/ଦଶମୀରେ ଲୋକପ୍ରିୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି। ବୟସ୍କଙ୍କ ଲାଗି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି। ସୁପରିଚାଳନା ଲାଗି ୭୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଖୋଲିବ ସୂଚନା କେନ୍ଦ୍ର
/sambad/media/post_attachments/wp-content/uploads/2022/09/65-5.jpg)
କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ନିରାଡ଼ମ୍ବରରେ ପୂଜା ହୋଇଥିଲା। ତେଣୁ ଏଥର ପୂଜାକୁ ଧୁମ୍ଧାମ୍ରେ କରିବାକୁ ନିଷ୍ପତ୍ତି ହୋଇଛି। ଅଷ୍ଟମୀରୁ ଦଶମୀ ପର୍ଯ୍ୟନ୍ତ ଅଧିକ ଭିଡ଼ ହେବାକୁ ଥିବାରୁ ତାହା ଉପରେ ସ୍ବତନ୍ତ୍ର ନଜର ରଖାଯିବ। ପାରମ୍ପରିକ ରୀତିନୀତିରେ ପୂଜା ହେବ। ମଣ୍ଡପ ବାହାରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଠାରେ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ସୂଚନା ପ୍ରଦାନ କରିବେ।
-ଧ୍ରୁବଚରଣ ପାତ୍ର, ସଭାପତି
ପଲିଥିନ୍ ବ୍ୟବହାର ଉପରେ କଟକଣା
/sambad/media/post_attachments/wp-content/uploads/2022/09/66-3.jpg)
ଚଳିତବର୍ଷ ପ୍ରଦୂଣମୁକ୍ତ ପୂଜା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ମଣ୍ଡପ ନିକଟରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଯିବ। ଡାଲା, ଚାଙ୍ଗୁଡ଼ି ଓ ପିତ୍ତଳ ଥାଳିରେ ଭୋଗ ଆଣିବା ଲାଗି ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଶାନ୍ତିଶୃଙ୍ଖଳାର ସହ ପୂଜା କିଭଳି ହେବ ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ପୁଲିସର ସହାୟତା ନିଆଯାଇଛି।
-ସୀତାଂଶୁ ଦାସ, ସମ୍ପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/60-6.jpg)