‘ବାହାରକୁ ଯିବାକୁ ହେଲେ ଡାଏଲ କର ୧୦୦’

ଟ୍ବିଟର୍‌ରେ ପଚାରି ପାରିବେ ପ୍ରଶ୍ନ: ପୁଲିସ କମିସନର୍‌

ଭୁବନେଶ୍ବର : କରୋନା ମୁକାବିଲା ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା। ଏବେ ହିଁ ପ୍ରକୃତ ଯୋଦ୍ଧାର କାମ ଦେଖାଇବା ସମୟ ଆସିଛି। ଅତି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ପରିବା ପାଇଁ ଗଲେ ଚାଲି ଚାଲି ଯାଆନ୍ତୁ। ଏହାଦ୍ବାରା ବ୍ୟାୟାମ ହେବ ବୋଲି ପରାମର୍ଶ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଏହାସହ ସେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଆଗାମୀ ୭ଦିନ ପାଇଁ ତାଲା ବନ୍ଦ ସମୟରେ ହସ୍ପିଟାଲ, ବିମାନବନ୍ଦରକୁ ଅତି ଗୁରୁତ୍ବପୂର୍ଣ୍ଣ କାମକୁ ଯାଉଥିଲେ ସମ୍ପୃକ୍ତ ବ୍ୟକ୍ତି ପୁଲିସଠାରୁ ପାସ୍ ନେବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲ କାଗଜପତ୍ର, ଏୟାରପୋର୍ଟ ଟିକେଟ ଦେଖାଇବାକୁ ପଡ଼ିବ। ଇନ୍ସପେକ୍ଟର ଓ ଏସିପି ସ୍ତରର ଅଫିସର ଏହି ପାସ୍ ଯୋଗାଇବେ। ଆଉ ଗୋଟିଏ ବାଟ ମଧ୍ୟ ରହିଛି। କେହି ବାହାରକୁ ଯିବାକୁ ଚାହୁଥିଲେ ‘୧୦୦’କୁ ଫୋନ୍‌ କରିବେ। ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀ ବ୍ୟକ୍ତିଙ୍କୁ କେଉଁଠିକୁ ଯିବାର ଅଛି, କି ପ୍ରକାର ଜରୁରୀ କାମ, ଏ ନେଇ ପଚରା ଉଚରା କରିବେ। ଯଦି କାମ ଜରୁରୀ ବୋଲି ସେ ଅନୁଭବ କରନ୍ତି, ତେବେ ପାସ୍‌ ପ୍ରଦାନ କରିବେ। ସମ୍ପୃକ୍ତ ବ୍ୟକ୍ତିର ମୋବାଇଲକୁ ଏକ ମେସେଜ୍‌ ଆସିବ। ଏହି ମେସେଜ୍‌ ହିଁ ଯାଞ୍ଚ ବେଳେ ପାସ୍‌ ଭାବରେ କାମ କରିବ। ବିନା କାମରେ ଏମର୍ଜେନ୍ସି କହି ଠକିବାକୁ ଚେଷ୍ଟା କରି ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନର ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଆଜି ଭଳି ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ତାଲା ବନ୍ଦ ରହିବ। ଯଦି କୌଣସି ଅଫିସ୍‌ରେ ଜରୁରୀ କାମ ଥାଏ, ତା’ହେଲେ ଯେତେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିପାରିବେ। ବେପରୁଆ ହେଲେ ସ୍ଥିତି ବିଗିଡ଼ିଯିବ। ଏଭଳି ସ୍ଥିତିକୁ ନଜରରେ ରଖି ବାରାକ୍‌ରେ ପୁଲିସ କର୍ମଚାରୀଙ୍କୁ ଅଧିକ ସଚେତନ ହେବା ପାଇଁ କୁହାଯାଇଛି। ଆଜି ଜନତା କର୍ଫ୍ୟୁ ସମୟରେ ୪୦ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଜଣ ଅଫିସର ନିୟୋଜିତ ହୋଇଥିଲେ। ଅତିରିକ୍ତ ସିପି ଅନୁପ କୁମାର ସାହୁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ଭୁବନେଶ୍ବରରୁ ଅନ୍ୟ ଜିଲ୍ଲାକୁ ବସ୍‌ ଚାଲିବ। କିନ୍ତୁ ଜିଲ୍ଲା ଭିତରେ ଚଳାଚଳ କରୁଥିବା ବସ୍‌ ବନ୍ଦ ରହିବ। ଏନେଇ ସ୍ପଷ୍ଟ କରିଛି ପରିବହନ ବିଭାଗ। ଭୁବନେଶ୍ବରରୁ ପୁରୀ, କଟକ ଓ ଅନ୍ୟ ସ୍ଥାନକୁ ସୀମିତ ବସ୍‌ ଚାଲିବ ବୋଲି ଆରଟିଓ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଟ୍ବିଟର୍‌ରେ ପଚାରି ପାରିବେ ପ୍ରଶ୍ନ: ପୁଲିସ କମିସନର୍‌


ଭୁବନେଶ୍ବର : ଲକ୍‌-ଡାଉନ୍ ସଂକ୍ରାନ୍ତୀୟ ଯଦି କିଛି ସନ୍ଦେହ କିମ୍ବା ପ୍ରଶ୍ନ ଥାଏ, ତା’ ହେଲେ ଟ୍ବିଟ୍‌ ଯୋଗେ ମୋତେ ଟ୍ୟାଗ୍‌ କରି ପଚାରି ପାରିବେ ବୋଲି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି ନିଜେ ପୁଲିସ କମିସନର୍‌। ବିନା ଦ୍ବିଧାରେ ଖୁସିର ସହ ସେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର