ଫେଲ୍‌ ମାରିଲା ଡାଏଲ ୧୦୦, ମରାମତି ପରେ ଠିକ୍‌ ହେଲା

ଭୁବନେଶ୍ୱର : କୋଭିଡ୍‌-୧୯ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ସମୟରେ ଲୋକଙ୍କର ଲାଇଫ୍ ଲାଇନ୍‌ ପାଲଟିଛି ‘ଡାଏଲ-୧୦୦’। ରୋଗୀଙ୍କୁ ମେଡିକାଲ୍ ନେବା ପାଇଁ ହେଉ କିମ୍ବା ବରିଷ୍ଠ ନାଗରିକଙ୍କୁ ସହାୟତା ହେଉ, କିମ୍ବା ବିଦ୍ୟୁତ, ପାଣି, ଔଷଧ ପହଞ୍ଚାଇବା ଭଳି ଜୁରୁରୀ ଆବଶ୍ୟକତା ହେଉ, ସବୁ ସମସ୍ୟାର ସମାଧାନ କମିସନରେଟ୍‌ ପୁଲିସ କଣ୍ଟ୍ରୋଲ ରୁମ୍ ‘ଡାଏଲ୍ ୧୦୦’ ବ୍ୟବସ୍ଥାରେ ରହିଛି। ଲକ୍‌ଡାଉନ୍‌ରେ ସାଧାରଣ ଜନତା ଘରେ ରହୁଥିବା ବେଳେ ସେମାନଙ୍କୁ ଏଭଳି ଏକ ସ୍ବତନ୍ତ୍ର ବ୍ୟବସ୍ଥା ୨୪ଘଣ୍ଟିଆ ସେବା ଯୋଗାଇ ଦେଉଛି କମିସନରେଟ୍‌ ପୁଲିସ। ଯୋଗାଯୋଗର ମାତ୍ର କେଇ ମିନିଟ୍‌ ଭିତରେ ମୋବାଇଲ୍ ମେସେଜ୍‌ ବକ୍ସରେ ପହଞ୍ଚୁଛି ପାସ୍‌।

ଲୋକଙ୍କ ଆଶା ଭରସା ପାଲଟିଥିବା ଏହି ‘ଡ‌ାଏଲ-୧୦୦’ ବ୍ୟବସ୍ଥାରେ କିନ୍ତୁ ଆଜି କିଛି ସମୟ ପା‌ଇଁ ତ୍ରୁଟି ଦେଖା ଦେବାରୁ ପ୍ରତ୍ୟେକ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲେ। ପ୍ରତି ମିନିଟ୍‌ରେ ୪ରୁ ଊର୍ଦ୍ଧ୍ବ କଲ୍‌ (ଘଣ୍ଟାକୁ ପାଖାପାଖି ୨୫୦ କଲ୍‌) ଆସୁଥିବା ଏହି ଫୋନ୍‌ ଅଚଳ ହୋଇପଡ଼ିବାରୁ ଅନେକ ସେବା ନ ପାଇ ହତାଶ ହୋଇପଡ଼ିଥିଲେ।

ଅପରାହ୍‌ଣରେ ପାଖାପାଖି ଅଧଘଣ୍ଟାଏ ଧରି ମରାମତି ହେବା ପରେ ତାହା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବିନା କାରଣରେ ଗାଡ଼ି ଧରି ବାହାରିଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଲୋକମାନେ ଏହା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ମିନିଟ୍‌ ଏଥିରେ ସମସ୍ୟା ହେଲେ ଅସନ୍ତୋଷ ବଢ଼ୁଛି। ତେବେ ଆଜିର ଏହି ତ୍ରୁଟି ଓ ମରାମତି ସମ୍ପର୍କରେ ପୁଲିସ କମିସନର ଟ୍ବିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମକୁ ୬ ହଜାରରୁ ଅଧିକ କଲ୍ ଆସୁଛି। ତିନିଟି ସିଫ୍ଟରେ ୩୦ରୁ ଊର୍ଦ୍ଧ୍ବ କର୍ମଚାରୀ ରହି ଲୋକଙ୍କର ଯାବତୀୟ ସମସ୍ୟାର ସମାଧାନ କରୁଛନ୍ତି। ସବୁଠାରୁ ଅଧିକ କଲ ଲୋକଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ରହୁଛି। ଏଭଳି କଲ ପାଖାପାଖି ୭୦ ପ୍ରତିଶତ ରହୁଥିବା ବେଳେ ବାହାରେ ବା ଗାଁରେ ରହୁଥିବା ପିତାମାତା, ସମ୍ପର୍କୀୟଙ୍କୁ ଏଠାକୁ ଆଣିବା ଲାଗି ପାସ୍ ପାଇଁ ଆବେଦନ କରୁଛନ୍ତି। ବରିଷ୍ଠ ନାଗରିକମାନେ ମଧ୍ୟ ସେମାନଙ୍କର ସମସ୍ୟା କହୁଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ପାସ୍‌ ପାଇଁ ଆବେଦନ ହେଉଥିଲେ ତୁରନ୍ତ ପ୍ରଦାନ କରି ଦିଆଯାଉଛି। ତେବେ କେତେକ କାମ ଜରୁରୀ ନ ଥିଲେ ମଧ୍ୟ ଲୋକମାନେ ଫୋନ୍‌ କରି ପାସ୍‌ ପାଇଁ ଆବେଦନ କରୁଛନ୍ତି। ଏଭଳି କଲ୍‌କୁ ଗୁରୁତ୍ବ ଦିଆଯାଉ ନାହିଁ। ଅନ୍ୟମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ପାସ୍ ଦିଆଯାଉଛି। ଦିନକୁ ପାଖାପାଖି ୫ ଶହ ପାସ୍‌ ଦିଆଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର