ରାଜଧାନୀରେ ୨୦୦ ମୁହାଁ ଦୈନିକ ସଂକ୍ରମଣ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଲା

ଭୁବନେଶ୍ବର : କରୋନା ଆଜି ଗତ ୬ମାସର ରେକର୍ଡ ଭାଙ୍ଗିଛି। ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ମୁହାଁ ହୋଇଛି। ଆଜି ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୧ ଛୁଇଁଛି। ଆଜି ୩୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୧୫୨ଜଣ ସ୍ଥାନୀୟ ସଂକ୍ରମିତ। ଆଜି ଖଣ୍ଡଗିରିରୁ ୧୩ଜଣ, ବଡଗଡ଼ରୁ ୧୪ଜଣ, ମଞ୍ଚେଶ୍ବରରୁ ୭ଜଣ, ଭିଏସ୍‌ଏସ୍‌ ନଗରରୁ ୫ଜଣ, ଝାରପଡ଼ାରୁ ୯ଜଣ, ପୁରୁଣା ଭୁବନେଶ୍ବର ଓ ପଟିଆରୁ ୬ଜଣ ଲେଖାଏଁ, ଆଇଆର୍‌ସି ଭିଲେଜରୁ ୬ଜଣ, ସୁନ୍ଦରପଦା ଓ ସତ୍ୟନଗରରୁ ୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଫ୍‌ସିଆଇର ୩ ଅଧିକାରୀଙ୍କ ସମେତ ୪ ପଜିଟିଭ୍
ଭୁବନେଶ୍ବର : ଏଫ୍‌ସିଆର ଆଞ୍ଚଳିକ କାର୍ଯ୍ୟାଳୟରେ ମାଡ଼ି ଚାଲିଛି କରୋନା। ଗତ କିଛିଦିନ ଭିତରେ ସେଠାରେ ୩ଜଣ ଅଧିକାରୀଙ୍କ ସମେତ ୪ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିବା ଲାଗି ଏଫ୍‌ସିଆଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛି ଏଫ୍‌ସିଆଇ ଏକଜିକ୍ୟୁଟିଭ୍ ଷ୍ଟାଫ୍‌ ୟୁନିୟନ୍। ବିଏମ୍‌ସିର କୋଭିଡ୍‌ ପ୍ରୋଟୋକଲକୁ ଅନୁକରଣ କରି କାର୍ଯ୍ୟାଳୟକୁ ସିଲ୍‌ କରିବା ସହିତ ସାନିଟାଇଜ୍ ଓ ଆବଶ୍ୟକ ପରିମାଣର ସାନିଟାଇଜର, ଗ୍ଲୋଭ୍‌ସ ଓ ମାସ୍କ ଯୋଗାଇ ଦେବାକୁ ସଂଘ ଦାବି କରିଛି। ସଂକ୍ରମଣ ସତ୍ବେ କାର୍ଯ୍ୟାଳୟ ଖୋଲା ରହିବାକୁ ନେଇ ଅନେକ ନାପସନ୍ଦ କରିଛନ୍ତି।

ରମାଦେବୀ ଛାତ୍ରୀଙ୍କୁ କରୋନା
ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶିକ୍ଷାନୁଷ୍ଠାନକୁ ନ ଆସିବା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ଉକ୍ତ ଛାତ୍ରୀଙ୍କୁ କୁହାଯାଇଛି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରୀ ଓ କର୍ମଚାରୀଙ୍କୁ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବିଶ୍ବବିଦ୍ୟାଳୟର ଗୋଟିଏ ହଷ୍ଟେଲର ୫ଜଣ ଛାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି।

ରେଳସଦନରେ ୮୩ ଜଣ ନେଲେ ଟିକା
ପୂର୍ବତଟ ରେଳପଥ କାର୍ଯ୍ୟାଳୟ ରେଳସଦନରେ ୮୩ ଜଣ କର୍ମଚାରୀଙ୍କୁ ଆଜି ଟିକା ଦିଆଯାଇଛି। ବିଏମସିର ଅର୍ବାନ ଟାସ୍କଫୋର୍ସ ରେଳ ସଦନ ସହ ଅନ୍ୟ ଦୁଇଟି ସ୍ଥାନରେ ଟିକାକରଣ କେନ୍ଦ୍ର ପାଇଁ ଅସ୍ଥାୟୀ ଭାବେ ଅନୁମୋଦନ କରିଥିଲା। ୪୫ ବର୍ଷରୁ ଅଧିକ ବୟସର ରେଳ କର୍ମଚାରୀ ଉଦୟଗିରି ହଲରେ ଅନୁଷ୍ଠିତ ଶିବିରରେ ଭାଗନେଇ ଟିକା ନେଇଥିଲେ। ପୂର୍ବତଟ ରେଳପଥର ପ୍ରମୁଖ ଚିକିତ୍ସା ନିର୍ଦ୍ଦେଶକ କେ ସି ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର