ଭୁବନେଶ୍ବର : ବାତ୍ୟା ୟାସ୍ ପାଇଁ ରାଜଧାନୀରେ ଗୋଟିଏ ଦିନ କରୋନା ପରୀକ୍ଷା ବନ୍ଦ ରହିଥିଲା। ଏହାର ପ୍ରଭାବ ଦୈନିକ ସଂକ୍ରମଣ ଚିହ୍ନଟ ଉପରେ ପଡ଼ିଛି। ୨୪ ଓ ଓ ୨୫ ତାରିଖରେ ହୋଇଥିବା କରୋନା ପରୀକ୍ଷାର ରିପୋର୍ଟ ଆଧାରରେ ଆଜି ଭୁବନେଶ୍ବରରୁ ୪୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୀର୍ଘ ଦିନ ପରେ ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ତଳକୁ ଖସିଥିଲେ ହେଁ ଏହା ଉତ୍ସାହଜନକ ନୁହେଁ। କାରଣ ଦିନେ କରୋନା ପରୀକ୍ଷା ନହୋଇ ବି ୪୭୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ଅତ୍ୟନ୍ତ ଚିନ୍ତାଜନକ। ଅପରପକ୍ଷେ ଆଜି ୧୦୬୨ଜଣ ସୁସ୍ଥ ହେବା କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି। ଆଜି ୩ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।
ବିଏମ୍ସିର ସୂଚନା ଅନୁଯାୟୀ, ଆଜି ଲକ୍ଷ୍ମୀସାଗରରୁ ୧୩, ଝାରପଡ଼ାରୁ ୧୭, ମଞ୍ଚେଶ୍ବରରୁ ୧୨, ଖଣ୍ଡଗିରିରୁ ୧୩, ନୀଳାଦ୍ରିବିହାରରୁ ୧୦, ନୂଆପଲ୍ଲୀରୁ ୧୮, ବରମୁଣ୍ଡାରୁ ୧୦, ଶୈଳଶ୍ରୀବିହାରରୁ ୧୧, ପୁରୁଣା ଭୁବନେଶ୍ବରରୁ ୧୯, ପଟିଆରୁ ୨୦, ପାତ୍ରପଡ଼ାରୁ ୧୬, ୟୁନିଟ୍-୮ରୁ ୧୦, ରସୁଲଗଡ଼ରୁ ୧୫, ୟୁନିଟ-୪ରୁ ୭, ୟୁନିଟ-୩ରୁ ୩ ଓ ୟୁନିଟ-୧ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।