ଭୁବନେଶ୍ବର: ରିଆ ଘୋଷ। ଘର ପଶ୍ଚିମବଙ୍ଗରେ। ସ୍ନାୟୁଗତ ସମସ୍ୟାରେ ପୀଡ଼ିତ ରିଆ ଓ ତାଙ୍କର ୩ ପରିବାର ସଦସ୍ୟ ଚିକିତ୍ସା ଲାଗି ଭୁବନେଶ୍ବର ଏମ୍ସ ଆସିଛନ୍ତି। ଏଠାରେ ଅନ୍ୟୂନ ୧୫ଦିନ ରହିବା ପାଇଁ ଡାକ୍ତର କହିଛନ୍ତି। କିନ୍ତୁ ଡାକ୍ତରଖାନାରେ ଶଯ୍ୟା ମିଳିବା ସମ୍ଭବ ହେଉ ନଥିବାରୁ ନିକଟରେ ଥିବା ଏକ ଘରେ ଦୈନିକ ୩୦୦ଟଙ୍କା ହିସାବରେ ଭଡ଼ାରେ ରହୁଛନ୍ତି। ଚିକିତ୍ସା ଲାଗି ଏମ୍ସ ଆସିବା କିମ୍ବା ଦିନିକିଆ ଭଡ଼ା ଦେଇ ଏଠାରେ ରହିବା ତାଙ୍କ ପାଇଁ ନୂଆ ନୁହେଁ। ୩ବର୍ଷ ହେଲା ତାଙ୍କ ପରିବାର ଏମିତି କରି ଆସୁଛି। ଘର ମାଲିକ ବି ଚିହ୍ନା ହୋଇଯାଇଥିବାରୁ ଆସିବା ପୂର୍ବରୁ ସେ ଫୋନ୍ରେ ଆଗୁଆ ଘର ବୁକିଂ କରିଦିଅନ୍ତି। ବୁକିଂ ନ କରି ଆସିଲେ ବି ସେମିତି ଭଡ଼ାରେ ରହିବାକୁ ତାଙ୍କୁ ଏଠି ଅନ୍ୟ କେଉଁ ଘର ବି ମିଳିଯାଏ। ଖାଲି ରିଆ ନୁହେଁ, ତାଙ୍କ ଭଳି ଏମ୍ସକୁ ଆସୁଥିବା ହଜାର ହଜାର ରୋଗୀ ଏମିତି ମାସେ, ପନ୍ଦରଦିନିଆ ଘର ଭଡ଼ାରେ ରହି ସିଜୁଆ ଏବଂ ପାତ୍ରପଡ଼ାର ଭାଗ୍ୟ ବଦଳାଇ ଦେଇଛନ୍ତି। ଖାଲି ରୋଗୀଙ୍କୁ ଭଡ଼ା ଦେବା ପାଇଁ ଏଠାରେ ଅନେକ ଘରକୁ ଗେଷ୍ଟ ହାଉସ୍ରେ ପରିଣତ କରିଦିଆଯାଇଛି। ଚାହିଦା ଏତେ ଅଧିକ ଯେ ଏମ୍ସ ନିକଟ ଜମିର ମୂଲ୍ୟ ବଢ଼ିବା ସହ ଆଖପାଖରେ ଘର ତିଆରି ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ରୋଗୀଙ୍କ ଆର୍ଥିକ ବୋଝ ବଢ଼ୁଛି ସିନା କିନ୍ତୁ ସ୍ଥାନୀୟ ଅଧିବାସୀ ଘର ଭଡ଼ା ଦେଇ ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି।
ଲୋକଙ୍କ ଘର ରୋଗୀଙ୍କ ପାଇଁ ଗେଷ୍ଟହାଉସ୍
ମାଲିକ ମାଲେମାଲ, ରୋଗୀଙ୍କ ଉପରେ ବଢ଼ୁଛି ଆର୍ଥିକ ଚାପ
ବଦଳୁଛି ସିଜୁଆ, ପାତ୍ରପଡ଼ାର ଚିତ୍ର
ସୁଲଭ ମୂଲ୍ୟରେ ଧର୍ମଶାଳା ପାଇଁ ଦାବି
କିନ୍ତୁ ସମସ୍ତଙ୍କୁ ବ୍ୟଥିତ କଲା ଭଳି କଥାଟି ହେଲା, ଭୁବନେଶ୍ବର ବର୍ତ୍ତମାନ ଚିକିତ୍ସାର ମୁଖ୍ୟ କେନ୍ଦ୍ର ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଧର୍ମଶାଳାଟିଏ ନିର୍ମାଣ କରିବାକୁ ଆଗ୍ରହ ଦେଖାଉନାହାନ୍ତି। କିମ୍ବା ରୋଗୀଙ୍କ ରହିବା ଭଳି ଏଠାରେ ମୁମ୍ବାଇ, ବେଙ୍ଗାଲୁରୁ ଭଳି ସାମାଜିକ ଅନୁଷ୍ଠାନ ପକ୍ଷରୁ ସୁଲଭ ମୂଲ୍ୟରେ କୌଣସି ଧର୍ମଶାଳାର ବ୍ୟବସ୍ଥା ନାହିଁ। ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଏ ଦିଗରେ କେହି ଧ୍ୟାନ ଦେଉନାହାନ୍ତି।
ସୂଚନା ଅନୁଯାୟୀ, ଏମ୍ସକୁ ପ୍ରତିଦିନ ପ୍ରାୟ ୧୦ରୁ ୧୧ହଜାର ରୋଗୀ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟ କିମ୍ବା ଜିଲ୍ଲାର। ଗୁରୁତର ଅବସ୍ଥାରେ ଅଧିକାଂଶ ରୋଗୀ ଆସନ୍ତି ଏବଂ ସେମାନଙ୍କ ଲମ୍ବା ସମୟ ଧରି ଚିକିତ୍ସା ଚାଲେ। ଡାକ୍ତରଖାନାରେ ଶଯ୍ୟା ମିଳିବା ସମ୍ଭବ ନ ଥିବାରୁ ୭ରୁ ୧୦ ମାସ ପର୍ଯ୍ୟନ୍ତ ସେମାନେ ଏଠକାର ଆଖପାଖରେ ଥିବା ଘରେ ହୋଟେଲ୍ ଭଳି ଦିନିକିଆ ଭଡ଼ା ଦେଇ ରହିଥା’ନ୍ତି। ଶଯ୍ୟା ପିଛା ଦିଦକୁ ୧୦୦ ଟଙ୍କାରୁ ଆରମ୍ଭ କରି ୩୦୦, ୫୦୦ ଏପରିକି ୧ ହଜାର ପର୍ଯ୍ୟନ୍ତ ଦେଇ ମଧ୍ୟ ଲୋକ ଭଡ଼ାରେ ରହୁଛନ୍ତି। ଯେଉଁ ଘର ଏମିତିରେ ଭଡ଼ାଟିଆଙ୍କୁ ଦେଲେ, ମାଲିକ ମାସକୁ ୫ରୁ ୧୦ହଜାର ଟଙ୍କା ପାଇବା କଥା, ତାହା ରୋଗୀଙ୍କୁ ଦେଇ ସେମାନେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି।
ଏମ୍ସ ନିକଟସ୍ଥ ପାତ୍ରପଡ଼ା, ସିଜୁଆଠାରୁ ଆରମ୍ଭ କରି ପୁଲିସ ଏକାଡେମି, ଦୁର୍ଗାମନ୍ଦିର, ଆଳୁଗଦି, ଏପରିକି ଡୁମଡୁମା ପର୍ଯ୍ୟନ୍ତ ମଧ୍ୟ ରୋଗୀ ଘର ଭଡ଼ା ନେଇ ରହୁଛନ୍ତି। ଏସି ରୁମ୍ ମଧ୍ୟ ମିଳୁଛି। ଅନେକ ବଡ଼ ଲଜ୍ ମଧ୍ୟ ଖୋଲିବା ଆରମ୍ଭ କଲାଣି। ଏମ୍ସଠାରୁ ଘର ଯେତେ ପାଖ, ମୂଲ୍ୟ ସେତେ ଅଧିକ। ଏହି ଘର ସମ୍ପର୍କରେ ପ୍ରଚାରପତ୍ରଗୁଡ଼ିକ ଏମ୍ସର କାନ୍ଥରେ ଲାଗି ରହୁଛି। ଓଡ଼ିଆ, ହିନ୍ଦୀ, ଇଂରାଜୀ ସହ ବଙ୍ଗଳାରେ ଲିଖିତ ପ୍ରଚାରପତ୍ର ମଧ୍ୟ ରହିଛି।
ରୋଗୀଙ୍କ କହିବାନୁସାରେ, ସେମାନେ ସାଧାରଣତଃ ଏମ୍ସ କର୍ମଚାରୀ ଏବଂ ଦୋକାନୀମାନଙ୍କଠାରୁ ଘର ସମ୍ପର୍କରେ ଅବଗତ ହୁଅନ୍ତି। ଅନେକ କର୍ମଚାରୀ ନିଜ ଘରକୁ ଗେଷ୍ଟହାଉସ୍ କରିଛନ୍ତି। ସ୍ବଚ୍ଛଳ ବର୍ଗର ରୋଗୀ ଆଚାର୍ଯ୍ୟବିହାର, ଜୟଦେବ ବିହାରରେ ଆପାର୍ଟମେଣ୍ଟରେ ଘର ଭଡ଼ା ନେଉଥିବା କହିଛନ୍ତି। ଲକ୍ଡାଉନ୍ ସମୟରେ ଯାତାୟାତର ଅସୁବିଧା ଯୋଗୁଁ କର୍କଟ ରୋଗରେ ପୀଡ଼ିତ ମହିଳା କେମୋ ନେବା ପାଇଁ ଏକ ବର୍ଷ ପାଇଁ ଆପାର୍ଟମେଣ୍ଟରେ ଭଡ଼ା ନେଇ ନିଜ ସ୍ବାମୀଙ୍କ ସହିତ ରହୁଥିଲେ।
ରାଜଧାନୀର ସୁପ୍ରିୟା ମଲ୍ଲିକ କୁହନ୍ତି, ତାଙ୍କ ପିଲା ବେଳେ ସିଜୁଆ ବୋଲି ଭୁବନେଶ୍ବରରେ ଗୋଟେ ଜାଗା ଅଛି ବୋଲି ସେମାନେ ଜାଣି ନଥିଲେ। ଏଠି କେବଳ ଘଞ୍ଚ କାଜୁ ବଣ ଥିଲା, କିନ୍ତୁ ୬-୭ ବର୍ଷ ହେଲା ଏହାର ଚିତ୍ର ପୂରାପୂରି ବଦଳି ଯାଇଛି। ସ୍ଥାନୀୟ ଅଞ୍ଚଳରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବଢ଼ିଛି। କିନ୍ତୁ ଦିନିକିଆ ଭଡ଼ା ଗଣି ରୋଗୀଙ୍କ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି। ସେମାନଙ୍କ ସୁବିଧା ପାଇଁ ସରକାର କିମ୍ବା ସାମାଜିକ ଅନୁଷ୍ଠାନ ଏଠାରେ ସୁଲଭ ମୂଲ୍ୟରେ ରହିବା ପାଇଁ ବ୍ୟବସ୍ଥା କରିବା ଉଚିତ।