ଭୁବନେଶ୍ବର : ‘ବେରୋଜଗାର ହୋଇ ଦୁଇ ମାସ ଘରେ ବସି ରହିବା ପରେ ଏବେ ୪ ଦିନ ହେଲା କାମ ପାଇଁ ଆସୁଛି। ପ୍ରଥମ ଦୁଇ ଦିନ ବସି ବସି ଘରକୁ ଫେରିଲି। କାମ ମିଳିଲା ନାହିଁ। କିନ୍ତୁ ଏବେ ଦୁଇ ଦିନ ହେଲା କାମ ମିଳୁଛି। ଜଣେ ଠିକାଦାରଙ୍କ ଜରିଆରେ କାମକୁ ଯାଉଛି। ସେଦିନ ମଜୁରି ଟଙ୍କା ହାତରେ ଧରିବା ପରେ କୋଟିନିଧି ପାଇବା ଭଳି ଲାଗିଲା। ତେଣୁ ଏବେ ଆଉ ପିଲାଛୁଆ ଉପାସ ରହିବା ଭୟ ନାହିଁ। ତଥାପି ଡର ମାଡ଼ୁଛି ଆଜ୍ଞା। କିଏ କେତେ କଥା କହୁଛନ୍ତି! କାଳେ ପୁଣି କରୋନା ମାଡ଼ିବ ଓ କଟକଣା ଲାଗୁ ହୋଇଯିବ। ଦୁଇ ମାସର ଭୋକଉପାସ କଥା ମନେ ପଡ଼ିଲେ ମୁଣ୍ଡ ଘୂରାଇ ଦେଉଛି। ଆଉ ସେମିତି ହେଲେ ପିଲାଛୁଆ ମରିଯିବେ। ତେଣୁ ଭଗବାନ ଭରସା। ମାରିଲେ ମାରିବେ, ରଖିଲେ ରଖିବେ।’ ଆଜି ନୂଆପଲ୍ଲୀ ଦୁର୍ଗାମଣ୍ଡପ ଶ୍ରମିକ ହାଟରେ ଏମିତି ବିକଳ ହୋଇ କହୁଥିଲେ ସାଲିଆସାହିରେ ରହୁଥିବା ଦିନ ମଜୁରିଆ ବିକ୍ରମ ନାୟକ।
ଅନ୍ୟ କେତେଜଣ ବିକ୍ରମଙ୍କ ଭଳି ସମାନ କଥା କହିଥିଲେ। ଚଇତା ଦିଗାଲଙ୍କ କଥା ଥିଲା କିନ୍ତୁ ଭିନ୍ନ। ୪ ଦିନ ହେଲା କାମ ନପାଇ ସେ ଏହି ହାଟରେ ବସି ବସି ଘରକୁ ଫେରିଥିଲେ। ଜଣେ ଠିକାଦାର କମ୍ ମୁଜରି ଦେବାକୁ କହିଥିଲେ। ଦିନଯାକ ଖଟାଇବେ କିନ୍ତୁ କମ୍ ମଜୁରି ଦେବେ ବୋଲି କହିବାରୁ ସେ କାମକୁ ଯାଇନଥିଲେ। କିନ୍ତୁ କେତେଦିନ ଆଉ ବସିବେ! ଏବେ ସେ କମ୍ ମଜୁରିରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଯାହା ବି ମିଳୁ, ପିଲାଛୁଆଙ୍କ ମୁହଁରେ ତୋରାଣି ଦେବାକୁ ତାଙ୍କୁ କମ୍ ମଜୁରିରେ କାମ କରିବାକୁ ପଡ଼ୁଛି ବୋଲି ଚଇତା କହିଥିଲେ। ଚଇତାଙ୍କ ଭଳି ଆଉ କିଛି ଶ୍ରମିକ ସମାନ କଥା ଦୋହରାଇଥିଲେ।
ଉଲ୍ଲେଖଯୋଗ୍ୟ, ତାଲାବନ୍ଦ ପରଠାରୁ ବନ୍ଦ ହୋଇ ପଡ଼ିଥିବା ଶ୍ରମିକ ହାଟ ଏବେ ଖୋଲିଛି। କିନ୍ତୁ ପୂର୍ବର ଭିଡ଼ ନାହିଁ। ଯେଉଁଠି ୩ହଜାରରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ସମାଗମ ହେଉଥିଲା ଏବେ ସେଠି ମାତ୍ର ୩୦୦ରୁ ୪୦୦ ଲୋକଙ୍କୁ ଦେଖିବାକୁ ମିଳୁଛି। ତାଲାବନ୍ଦ ପରଠାରୁ ବହୁ ଶ୍ରମିକ କାମ ଅଭାବରୁ ନିଜ ନିଜ ଗାଁକୁ ପଳାଇଛନ୍ତି। ଏବେ ଅନେକ ମାତ୍ରାରେ କଟକଣା କୋହଳ ହୋଇଥିଲେ ମଧ୍ୟ ବସ୍, ଟ୍ରେନ୍ଗୁଡ଼ିକ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ସେମାନେ ରାଜଧାନୀକୁ ଫେରି ପାରୁନାହାନ୍ତି। ଯେତିକି ଶ୍ରମିକ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କୁ ଉଚିତ ମଜୁରିରେ କାମ ମିଳିଯାଉଛି। କିନ୍ତୁ ସକାଳ ୯ଟା ଟପିଯିବା ପରେ କାମ ସମୟ ଗଡ଼ିଯିବା ବାହାନା କରି କିଛି ଠିକାଦାର ସେମାନଙ୍କ ମଜୁରି କମେଇ ଦେଉଛନ୍ତି। ଏଥିରେ କିଛି ଶ୍ରମିକ ରାଜି ନ ହୋଇ ଘରକୁ ଫେରି ଯାଉଛନ୍ତି। କିନ୍ତୁ ପିଲାଛୁଆଙ୍କ ପେଟପାଟଣା ଚିନ୍ତାରେ କିଛି ଶ୍ରମିକ ଅସାଧୁ ଠିକାଦାରଙ୍କ ଚକ୍ରବ୍ୟୁହରେ ପଡ଼ି କମ୍ ମଜୁରିରେ ଖଟିବାକୁ ବାଧ୍ୟ ହେଉଛନ୍ତି।