ରାଜଧାନୀରେ ଝାଡ଼ାବାନ୍ତି, ସପ୍ତାହରେ ୪୮ ଆକ୍ରାନ୍ତ

ଭୁବନେଶ୍ବର: ସମ୍ପ୍ରତି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟା‌ପୁଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି। ଗତ ଜୁଲାଇ ମାସରେ ଏଠାରେ ୨୬୩ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ବେଳେ ଗତ ସପ୍ତାହରେ କେବଳ ୪୮ ଜଣ ଆକ୍ରାନ୍ତ ଏଠାରେ ଭର୍ତ୍ତି ହୋଇଥିଲେ। ଏବେ ବି ପ୍ରତିଦିନ ୫ରୁ ୭ ଜଣ ନୂଆ ଆକ୍ରାନ୍ତ ଏହି ହସ୍ପିଟାଲକୁ ଆସୁଛନ୍ତି। ତେଣୁ ବେଳ ହୁଁ ସତର୍କ ନହେଲେ, ଏହି ଝାଡ଼ାବାନ୍ତି ପ୍ରକୋପ ବଡ଼ ସଂଗିନ୍ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗତ ସପ୍ତାହରେ ନୂଆପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୭ ଜଣ ସଂକ୍ରମିତ ଏଠାରେ ଚିକିତ୍ସିତ ହୋଇଛନ୍ତି। ସେହିଭଳି ଖଣ୍ଡଗିରି ଅଞ୍ଚଳରୁ ୫ ଜଣ, ଲକ୍ଷ୍ମୀସାଗର ଓ ସତ୍ୟନଗର ଅଞ୍ଚଳରୁ ୪ ଜଣ ଲେଖାଏଁ, ପଳାସୁଣି, ବରମୁଣ୍ଡା, ଖାରବେଳନଗର, ପୁରୁଣା ଭୁବନେଶ୍ୱର ଓ ସୁନ୍ଦରପଦା ଅଞ୍ଚଳରୁ ୩ ଜଣ ଲେଖାଏଁ ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ତେବେ ଏହା ବାଦ୍‌ ଉକ୍ତ ସମସ୍ତ ଅଞ୍ଚଳରୁ ଅନେକ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

ତେଣୁ ସରକାରୀ ହିସାବରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ବେଶି। ସେହିଭଳି ରାଜଧାନୀ ଉପକଣ୍ଠ ଧଉଳି, ବାଲିଅନ୍ତା, ବାଲିପାଟଣା ଅଞ୍ଚଳରୁ ମଧ୍ୟ ବହୁ ସଂକ୍ରମିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଏବେ ଏହି ବିଭାଗ‌ରେ ୧୦ଟି ଶଯ୍ୟା ରହିଛି। ମାତ୍ର ଏହା ଯଥେଷ୍ଟ ହେଉନାହିଁ। ବେଳେବେଳେ ଆକ୍ରାନ୍ତ ସଂଖ୍ୟା ହଠାତ୍ ବଢ଼ିଗଲେ, ସେମାନଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। ଏବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ ଶୀଘ୍ର ନୂଆ ଶଯ୍ୟା ସ୍ଥାପନ କରାଯିବ। ବର୍ତ୍ତମାନ ସୁଦ୍ଧା ଏଠାକୁ ଆସିଥିବା ଆକ୍ରାନ୍ତମାନେ ଚିକିତ୍ସା ପରେ ସୁସ୍ଥ ହୋଇଯାଉଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ଖାଦ୍ୟ ପ୍ରତି ଲୋକେ ସଚେତନ ହେବା ଜରୁରୀ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର