ଭୁବନେଶ୍ବର: ଗତ ଅଗଷ୍ଟ ୨୮ ରାତି ୯ଟାରେ ଆନ୍ଧ୍ରପ୍ରଦେଶରୁ ଗାଈ ନେଇ ଆସୁଥିବା ଦୁଗ୍ଧଚାଷୀଙ୍କୁ ଆକ୍ରମଣ କରି ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଆତଙ୍କରାଜ ଖେଳାଇଥିବା ଏବଂ ଗତ ୬ ତାରିଖରେ ପଳାଶୁଣି ଓଭର୍‌ବ୍ରିଜ୍‌ ତଳେ ଦୁଗ୍ଧଚାଷୀଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଓ ଆକ୍ରମଣକାରୀଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ଗିରଫ କରିବାକୁ ଦାବି ରଖିଛି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ। ଆକ୍ରମଣକାରୀ ଏହା ଭିତରେ ଗିରଫ ‌ନ ହେଲେ ୧୮ ତାରିଖ ବିଧାନସଭା ଆରମ୍ଭ ଦିନ ହଜାର ହଜାର ଗୋପାଳକ, ଦୁଗ୍ଧଚାଷୀ ଓ ଯାଦବ ସଂପ୍ରଦାୟର ଲୋକ ବିଧାନସଭା ଘେରାଉ କରିବେ। ଆ‌ଜି ସହିଦନଗରସ୍ଥିତ ହୋଟେଲ ଏମ୍ପାୟାରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଗୋପାଳକ ସଂଗଠନ ଓ ଦୁଗ୍ଧଚାଷୀ ଏକାଠି ହୋଇ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି।

Advertisment

ଉଭୟ ଘଟଣାରେ ସଂପୃକ୍ତ ସମସ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ୟୁନିଟ-୯ ସ୍ଥିତ ଦୁଗ୍ଧ ଉତ୍ପାଦନକାରୀ ସଂଘ ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ ବଡ଼ ଧରଣର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଦବ ନେତା ଓ ଦୁଗ୍ଧଚାଷୀମାନେ ସରକାରଙ୍କୁ ଚେତାବନୀ ଦେଇ ନିମ୍ନଲିଖିତ ଦାବି ପୂରଣ ନହେଲେ ୧୮ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେମାନେ ଦାବି ଅନୁଯାୟୀ, ଉଭୟ ଘଟଣାରେ ସମ୍ପୃକ୍ତ ସମସ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ପୁଲିସ ଗିରଫ କରୁ। ଆକ୍ରମଣରେ ଆହତ ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବା, ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ବଡ଼ ବଡ଼ ସହରରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ କରୁଥିବା ଚାଷୀଙ୍କୁ ସାମାଜିକ ସୁରକ୍ଷା ଓ ପୁଲିସ ସୁରକ୍ଷା ଯୋଗାଇ ଦେବା ସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ତୁରନ୍ତ ପୁଲିସ ଡିଜି, ଘରୋଇ ବିଭାଗ ସଚିବ ଓ ଦୁଗ୍ଧ ଚାଷୀଙ୍କୁ ନେଇ ଏକ ବୈଠକ କରିବାକୁ ଚାଷୀ ନେତାମାନେ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା, ଭୁବନେଶ୍ବର ଦୁଗ୍ଧ ଉତ୍ପାଦନକାରୀ ସଂଘ ସଭାପତି ରାଜକିଶୋର ଦାସ (ନନ୍ଦ), ସମ୍ପାଦକ ନୃସିଂହ ବେହେରା, ଅଲ୍ ଓଡ଼ିଶା ଗୋପାଳ ସମାଜର ସମ୍ପାଦକ ନାରାୟଣ ଡାଳୁଆ, ଅଲ୍‌ ଓଡ଼ିଶା ଗୋପାଳ ଯାଦବ ମହାସଂଘର ସମ୍ପାଦକ ନାରାୟଣ ବେହେରା, ଭୁବନେଶ୍ୱର ଜିଲ୍ଲା ଯାଦବ ମହାସଭା ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ଦାସଙ୍କ ସମେତ ଯୁବନେତା ଦୀପଦାସ ଯାଦବ, ସଞ୍ଜୟ ବେହେରା, ତ୍ରିନାଥ ବେହେରା, ବାବାଜୀ ବେହେରା, କରୁଣାକର ହୋତା, ହୃଷିକେଶ ଷଡ଼ଙ୍ଗୀ, ନାରୀନେତ୍ରୀ ସୁମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟ ସରକାର ଏହି ୩ ଦଫା ଦାବି ପୂରଣ ନ କଲେ ହଜାର ହଜାର ଦୁଗ୍ଧଚାଷୀ ରାଜରାସ୍ତାକୁ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବେ ବୋଲି ଏହି ଚାଷୀନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।